ପାକିସ୍ତାନରେ ଦୁଇ ଭାରତୀୟ ଉଚ୍ଚ ଆୟୋଗ ଅଧିକାରୀ ନିଖୋଜ

0 79

ନୂଆଦିଲ୍ଲୀ : ପାକିସ୍ତାନ ସ୍ଥିତ ଭାରତୀୟ ହାଇକମିଶନ ଅଫିସର ଦୁଇଜଣ ବରିଷ୍ଠ ଅଧିକାରୀ ହଠାତ୍ ନିଖୋଜ ହୋଇଯାଇଛନ୍ତି । ସେମାନଙ୍କ ନିଖୋଜ ସଂପର୍କରେ ଜଣାପଡ଼ିବା ପରେ ଦୁଇ ଦେଶର ରାଜନୈତିକ ସ୍ତରରେ ଆଲୋଡ଼ନ ସୃଷ୍ଟି ହୋଇଛି । ଏହି ଘଟଣାକୁ ନେଇ ଭାରତ ସରକାର ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିବା ସହ ଗଭୀର ଉଦ୍‌ବେଗ ଜାହିର୍ କରିଛନ୍ତି । ଦୁଇ ଅଫିସରଙ୍କ ପତ୍ତା ଲଗାଇବା ପାଇଁ ଭାରତ ପକ୍ଷରୁ ବାରମ୍ବାର ଉଦ୍ୟମ କରାଯାଇଥିଲେ ମଧ୍ୟ ସେଥିରୁ କୌଣସି ସୁଫଳ ମିଳିନାହିଁ । ଘଟଣା ନେଇ କେନ୍ଦ୍ର ବୈଦେଶିକ ମନ୍ତ୍ରାଳୟ ପାକିସ୍ତାନ ସରକାରଙ୍କ ସହ ବରାବର ଯୋଗାଯୋଗ ରଖୁଛି । ତେବେ ପାକ୍ ସରକାରଙ୍କ ପକ୍ଷରୁ ଏ ନେଇ ସହଯୋଗର କୌଣସି ପ୍ରତିଶ୍ରୁତି ମିଳିନାହିଁ । ଏହି ଦୁଇ ଅଫିସର ସରକାରୀ କାମରେ ବାହାରକୁ ଯାଇଥିବା ବେଳେ ନିଖୋଜ ହୋଇଯାଇଥିଲେ । ଏହାକୁ ନେଇ ଦୁଇ ଦେଶ ମଧ୍ୟରେ ପୁଣି ଉତ୍ତେଜନା ଦେଖାଦେଇଛି । ପ୍ରକାଶଥାଉକି, ଏହା ପୂର୍ବରୁ ପାକିସ୍ତାନର ଦୁଇଜଣ ଅଫିସରଙ୍କୁ ଭାରତ ସରକାର ଗୁପ୍ତଚର କାର୍ଯ୍ୟରେ ଲିପ୍ତଥିବା ଅଭିଯୋଗରେ ବହିଷ୍କାର କରିଥିଲା । ସମ୍ଭବତଃ ଏହାର ପ୍ରତିଶୋଧ ନେବାକୁ ଯାଇ ପାକିସ୍ତାନ ଏଭଳି କରିଥାଇପାରେ ବୋଲି ସନ୍ଦେହ କରାଯାଉଛି । ବର୍ତ୍ତମାନର ଘଟଣା ପ୍ରବାହ ଦୃଷ୍ଟିରୁ ପାକିସ୍ତାନରେ ଥିବା ଭାରତୀୟ ହାଇକମିଶନ ସ୍ୱାଭାବିକ ଭାବେ କାର୍ଯ୍ୟ କରିବା ସମ୍ଭବପର ହୋଇପାରୁ ନାହିଁ । ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ଘଟଣା ପରେ ଭାରତରେ ଅବସ୍ଥାପିତ ପାକିସ୍ତାନର କୂଟନୀତିଜ୍ଞଙ୍କୁ ଡକାଇ କେନ୍ଦ୍ର ସରକାର ପ୍ରତିବାଦ ଜଣାଇବା ସହ ନିଖୋଜ ଦୁଇ ଭାରତୀୟ ଅଫିସରଙ୍କ ସନ୍ଧାନରେ ସହଯୋଗ ଲାଗି କହିଛନ୍ତି । ବର୍ତ୍ତମାନ ସୁଦ୍ଧା ପାକିସ୍ତାନ ସରକାରଙ୍କ ଆଡୁ କୌଣସି ସୂଚନା ମିଳିନାହିଁ । ପାକ୍ ଅଧିକୃତ କାଶ୍ମୀର ଏବଂ ଅନ୍ୟ କେତେକ ପ୍ରସଙ୍ଗକୁ ନେଇ ଉତ୍ତେଜନା ଲାଗି ରହିଥିବା ବେଳେ ଏବେ ଏହି ଘଟଣା ନିଆଁରେ ଘିଅ ଢାଳିଲା ଭଳି ହୋଇଛି ।

hiranchal ad1
Leave A Reply

Your email address will not be published.

13 − 5 =