ରାଜନୀତିରେ ପାଦ ଥାପିଲେ ଲିଆଣ୍ଡର ପେସ, ଟିଏମ୍‌ସିରେ ସାମିଲ ହେଲେ

0 100

ନୂଆଦିଲ୍ଲୀ : ଭାରତର ତାରକା ଟେନିସ୍‌ ଖେଳାଳି ଲିଆଣ୍ଡର ପେସ୍‌ ଟିଏମସିରୁ ନିଜର ରାଜନୈତିକ ଇନିଂସ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଟେନିସ୍‌ ଚାମ୍ପିଅନ୍‌ ଲିଆଣ୍ଡର୍‌ ପେସ୍‌ ତୃଣମୂଳ କଂଗ୍ରେସରେ ଯୋଗ ଦେଇଛନ୍ତି । ଗୋଆରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପସ୍ଥିତିରେ ଟେନିସ୍‌ ତାରକା ଲିଆଣ୍ଡର୍‌ ପେସ୍‌ ଟିଏମସି ପତାକା ଧରିଛନ୍ତି । ଟେନିସ୍‌ କୋର୍ଟ ପରେ, ବର୍ତ୍ତମାନ ଲିଆଣ୍ଡର୍‌ ରାଜନୀତି କ୍ଷେତ୍ରରେ ନିଜର ଶକ୍ତି ପ୍ରଦର୍ଶନ କରୁଥିବା ଦେଖିବାକୁ ମିଳିବ । ସୂଚନାଯୋଗ୍ୟ ଯେ, ଆସନ୍ତା ବର୍ଷ ହେବାକୁ ଥିବା ଗୋଆ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଟିଏମସି କ୍ରମାଗତ ଭାବରେ ଏହାର ଶିବିରରେ ବହୁ ବରିଷ୍ଠ ନେତାମାନଙ୍କୁ ଯୋଡିଛି ।
ଲିଆଣ୍ଡର୍‌ ପେସ୍‌ ପୂର୍ବରୁ ଅଭିନେତ୍ରୀ ନାଫିସା ଅଲି ମଧ୍ୟ ଟିଏମସିରେ ଯୋଗ ଦେଇଛନ୍ତି । ମମତା ବାନାର୍ଜୀ ବର୍ତ୍ତମାନ ଗୋଆରେ ତିନି ଦିନିଆ ଗସ୍ତରେ ଅଛନ୍ତି, ଯେଉଁଠାରେ ସେ ଦଳକୁ ମଜବୁତ କରିବା ପାଇଁ କ୍ରମାଗତ ଭାବରେ ବୈଠକ କରୁଛନ୍ତି । ବଙ୍ଗଳା ନିର୍ବାଚନରେ ଜିତିବା ପରେ ମମତା ବାନାର୍ଜୀ ଗୋଆ ଦଖଲ ସ୍ୱପ୍ନ ଦେଖୁଛନ୍ତି ।
ଲିଆଣ୍ଡର୍‌ ପେସ୍‌ ଜଣେ ଭାରତୀୟ ଟେନିସ୍‌ ଖେଳାଳୀ ଯିଏ ବର୍ତ୍ତମାନ ଡବଲ୍ସ ଏବଂ ମିଶ୍ରିତ ଡବଲ୍ସ ଇଭେଣ୍ଟରେ ପ୍ରତିଦ୍ୱନ୍ଦ୍ୱିତା କରନ୍ତି ।ସେ ଭାରତର ଅନ୍ୟତମ ସଫଳ ଖେଳାଳି । ସେ ଅନେକ ଚାମ୍ପିୟନଶିପ ଜିତିଛନ୍ତି । ତାଙ୍କୁ ୧୯୯୬-୧୯୯୭ ମସିହାରେ ରାଜୀବ ଗାନ୍ଧୀ ଖେଳ ରତ୍ନ ପୁରସ୍କାର, କ୍ରୀଡ଼ା ଜଗତରେ ଭାରତର ସର୍ବୋଚ୍ଚ ପୁରସ୍କାର ଏବଂ ୨୦୦୯ ରେ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରାଯାଇଥିଲା । ତାଙ୍କୁ ୨୦୧୪ ରେ ପଦ୍ମ ଭୂଷଣ ପ୍ରଦାନ କରାଯାଇଥିଲା । ଲିଆଣ୍ଡର୍‌ ପେସ୍‌ ୧୭ ଜୁନ୍‌ ୧୯୭୩ ରେ କୋଲକାତାରେ ଜନ୍ମଗ୍ରହଣ କରିଥିଲେ ।

hiranchal ad1
Leave A Reply

Your email address will not be published.

2 − one =