କରୋନା ମୁକାବିଲା ପାଇଁ ସହାୟତା : କୁଏତ୍ ଓ ୟୁଏଇକୁ ଡାକ୍ତର ଓ ନର୍ସ ପଠାଇବ ଭାରତ

0 299

ନୂଆଦିଲ୍ଲୀ: ଭାରତ ଭଳି କୁଏତ ଓ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)ରେ ମଧ୍ୟ କରୋନା ସଂକ୍ରମଣ ଲାଗି ରହିଛି । ଏହି ଉପସାଗରୀୟ ଦେଶଗୁଡ଼ିକରେ କରୋନା ରୋଗୀମାନଙ୍କର ଚିକିତ୍ସା ପାଇଁ ଆବଶ୍ୟକ ସଂଖ୍ୟକ ସ୍ୱାସ୍ଥ୍ୟକର୍ମୀ ଓ ଡାକ୍ତର ନଥିବାରୁ ସେମାନେ ଭାରତର ସାହାଯ୍ୟ ଲୋଡ଼ିଛନ୍ତି । ନିର୍ଦ୍ଦିଷ୍ଟ ସଂଖ୍ୟକ ଡାକ୍ତର ଓ ନର୍ସ ପଠାଇବା ଲାଗି ସେମାନେ ଭାରତକୁ ଅନୁରୋଧ କରିଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଦୁଇ ଦେଶର ଅନୁରୋଧକୁ ରକ୍ଷା କରିଛନ୍ତି ଏବଂ ଖୁବ୍‌ଶୀଘ୍ର ଆବଶ୍ୟକ ସଂଖ୍ୟକ ଡାକ୍ତର ଓ ନର୍ସ ପଠାଇବା ଲାଗି ଦୃଢ଼ ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି । ଏହା ପୂର୍ବରୁ ଚଳିତ ମାସର ପ୍ରାରମ୍ଭରେ କୁଏତର ପ୍ରଧାନମନ୍ତ୍ରୀ ଶେଖ ଶବାହ ଆଲ-ଖାଲେଦ ଆଲ-ହମାଦ ଆଲ-ଶବାହ ଭାରତର ପ୍ରଧାନମନ୍ତ୍ରୀଙ୍କ ସହ ଫୋନରେ କଥାବାର୍ତ୍ତା ହୋଇଥିଲେ । ଏହି ଆଲୋଚନା ବେଳେ କୁଏତ ପ୍ରଧାନମନ୍ତ୍ରୀ ସାମରିକ କର୍ମଚାରୀ ସହାୟତା ଲୋଡ଼ିଥିଲେ । ଏହାପରେ ପ୍ରଧାନମନ୍ତ୍ରୀ ଭାରତୀୟ ବାୟୁସେନା ବିମାନ ଯୋଗେ ୧୫ଜଣ ସାମରିକ ସହାୟତା କର୍ମୀଙ୍କର ଏକ ଟିମକୁ କୁଏତ ପଠାଇଥିଲେ । ପରେ କୁଏତ ସରକାର ସ୍ୱାସ୍ଥ୍ୟକର୍ମୀ ପଠାଇବା ଲାଗି ଅନୁରୋଧ କରିଥିଲେ । ସେହିପରି, ସଂଯୁକ୍ତ ଆରବ ଏମିରେଟ୍ସ ସରକାର ମଧ୍ୟ ସ୍ୱାସ୍ଥ୍ୟକର୍ମୀ ଲୋଡ଼ିଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ଉଭୟଙ୍କର ଅନୁରୋଧକୁ ଗ୍ରହଣ କରିବା ସହ ଖୁବଶୀଘ୍ର ମେଡ଼ିକାଲ ଟିମ ସେଠାକୁ ପଠାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ସେହିପରି, ଆଉ କେତେକ ଦେଶ ମଧ୍ୟ ଭାରତଠାରୁ ଅନୁରୂପ ସାହାଯ୍ୟ ଲୋଡ଼ିଛନ୍ତି । ସେମାନଙ୍କ ମଧ୍ୟରେ ମରିସସ, କମରୋସ ଅର୍ନ୍ତଭୁକ୍ତ ।

hiranchal ad1
Leave A Reply

Your email address will not be published.

one × 2 =