ଭୁବନେଶ୍ୱର : ପଞ୍ଚାୟତ ନିର୍ବାଚନରେ ଅତ୍ୟନ୍ତ ନୈରାଶ୍ୟଜନକ ପ୍ରଦର୍ଶନ କରିଛି ବିଜେପି । ୩୦ଟି ଯାକ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ଏବେ ବିଜେଡ଼ି ହାତକୁ ଯିବା ନିଶ୍ଚିତ ହୋଇସାରିଛି । ଅନେକ ଜିଲ୍ଲାରେ ବିଜେପି ଖାତାବି ଖୋଲିପାରିନାହିଁ । ଏଭଳି ପରିପ୍ରେକ୍ଷୀରେ ପୌର ନିର୍ବାଚନର ପରିଣତି କ’ଣ ହେବ ତାହାକୁ ନେଇ ଚର୍ଚ୍ଚା ହେବା ସ୍ୱାଭାବିକ ।
ଆଗକୁ ପୌର ନିର୍ବାଚନ ଥିବାବେଳେ ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର ଭବିଷ୍ୟବାଣୀ କରିଛନ୍ତି । ସେ କହିଛନ୍ତିଯେ, ପଞ୍ଚାୟତ ନିର୍ବାଚନର ଫଳାଫଳ ବିରୋଧୀଙ୍କ ମନୋବଳ ସମ୍ପୂର୍ଣ୍ଣ ଭାବେ ଭାଙ୍ଗିଦେଇଛି । ନେତାଙ୍କ ଠାରୁ ନେଇ କର୍ମୀଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ମନୋବଳ ଭାଙ୍ଗି ଯାଇଥିବାବେଳେ ପୌର ନିର୍ବାଚନରେ ବି ତାହା ପ୍ରତିଫଳିତ ହେବା ନିଶ୍ଚିତ । ବିଜେଡ଼ିର ତୃଣମୂଳସ୍ତରରେ ସାଂଗଠନିକ ଶକ୍ତି ରହିଛି । ନିର୍ବାଚନ ପରିଚାଳନା ବି ଭଲ ରହିଛି । ଅପରପକ୍ଷରେ ବିରୋଧୀ ବିକଳ୍ପ ଭାବେ ଠିଆ ହୋଇପାରୁନାହାନ୍ତି । ମୁନିସପାଲଟି ନିର୍ବାଚନ ଜିଣିବା ସେମାନଙ୍କ ପକ୍ଷେ କଷ୍ଟକର ହୋଇପଡ଼ିବ । ତେଣୁ ପୌର ନିର୍ବାଚନରେ ବି ବିଜେଡ଼ି ସଫଳତା ପାଇବ ବୋଲି ଶ୍ରୀ ମହାପାତ୍ର ପରୋକ୍ଷରେ ସୂଚାଇ ଦେଇଛନ୍ତି । ବିଜୟ ମହାପାତ୍ରଙ୍କ ଏଭଳି ଭବିଷ୍ୟବାଣୀକୁ ନେଇ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଯାଇଛି ।
ପଞ୍ଚାୟତ ନିର୍ବାଚନ ସମ୍ପର୍କରେ ଶ୍ରୀ ମହାପାତ୍ର କହିଛନ୍ତିଯେ, ଦଳର ପ୍ରଦର୍ଶନକୁ ନେଇ ସେ ବିସ୍ମିତ ନୁହଁନ୍ତି । ଆଠ ମାସ ପୂର୍ବରୁ ମଧ୍ୟ ଦଳ ଏଭଳି ପ୍ରଦର୍ଶନ କରିବ ବୋଲି ସେ ଅନୁମାନ କରୁଥିଲେ । ପଞ୍ଚାୟତ ନିର୍ବାଚନ ପାଇଁ ଯେଉଁଭଳି ରଣନୀତି କରାଯିବା କଥା ତାହା ବିଜେପି କରିନଥିଲା । କୌଣସି ବୈଠକ ହୋଇନଥିଲା, ବ୍ଲୁପ୍ରିଂଟ ପ୍ରସ୍ତୁତ କରାଯାଇନଥିଲା । ତେଣୁ ଦଳର ପ୍ରଦର୍ଶନ ଆଜି ଏଭଳି ହୋଇଛି ।