ପଦ୍ମ ଧରିଲେ ପୂର୍ବତନ ରାଜ୍ୟସଭା ସାଂସଦ ମମତା ମହାନ୍ତ

0 60

ଭୁବନେଶ୍ବର : ବୁଧବାର ରାଜ୍ୟସଭା ଓ ବିଜେଡିରୁ ଇସ୍ତଫା ଦେଇ ମମତା ମହାନ୍ତ ଆଜି ବିଜେପିରେ ଯୋଗଦେଇଛନ୍ତି। ନୂଆଦିଲ୍ଲୀ ସ୍ଥିତି ମୁଖ୍ୟାଳୟରେ ସେ ବିଧିବଦ୍ଧ ଭାବେ ବିଜେପିରେ ସାମଲ୍‌ ହୋଇଛନ୍ତି। ବିଜେପିର ବରିଷ୍ଠ, ବିଜେପି ନେତା ଅରୁଣ ସିଂ ପୁଷ୍ପଗୁଚ୍ଛ ଦେଇ ଶ୍ରୀମତୀ ମହାନ୍ତଙ୍କୁ ସ୍ୱାଗତ କରିଛନ୍ତି। ପ୍ରଭାରୀ ବିଜୟପାଲ୍‌ ସିଂ ତୋମାରଙ୍କ ସହ ଅନ୍ୟ ବହୁ ନେତା ମଧ୍ୟ ଉପସ୍ଥିତ ଥିଲେ। ସୂଚନା ଅନୁସାରେ ଗତକାଲି ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେଇଥିଲେ ବିଜେଡି ସାଂସଦ ମମତା ମହାନ୍ତ। ରାଜ୍ୟସଭା ସାଂସଦ ପଦ ସହ ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ମଧ୍ୟ ସେ ଇସ୍ତଫା ଦେଇଥିଲେ। ଏ ନେଇ ସୋସିଆଲ ମିଡିଆ ‘ଏକ୍ସ’ ହ୍ୟାଣ୍ଡେଲରେ ମମତା ନିଜେ ସୂଚନା ଦେଇଥିଲେ। ମମତା ଦର୍ଶାଇଥିଲେ ଯେ, ଇସ୍ତଫାର କାରଣ ହେଉଛି ବିଜେଡିରେ ସେ ଅଲୋଡ଼ା ହୋଇପଡ଼ିଥିଲେ ଏବଂ ଦଳ ତାଙ୍କ ସେବାର ଆବଶ୍ୟକତା ଅନୁଭବ କରୁନଥିଲା। ଲୋକଙ୍କ ନେତା ଏବଂ ଲୋକଙ୍କ ସେବାହିଁ ତାଙ୍କର ମୁଖ୍ୟ ଧ୍ୟେୟ ବୋଲି ସେ କହିଛନ୍ତି। ଏହି କାରଣରୁ ସେ ଆଉ ସେହି ଦଳରେ ରହିବାର ଆବଶ୍ୟକତା ଅନୁଭବ କରୁନାହାନ୍ତି ବୋଲି ପ୍ରକାଶ କରିଛନ୍ତି I ୨୦୨୦ରେ ମୟୂରଭଞ୍ଜ ଜିଲ୍ଲାର ନେତ୍ରୀ ମମତା ମହାନ୍ତ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ। ୨୦୨୬ ଏପ୍ରିଲରେ ତାଙ୍କ କାର୍ଯ୍ୟକାଳ ସରିବାର ଥିଲା । ତେବେ ଏହାର ପ୍ରାୟ ୨୧ ମାସ ପୂର୍ବରୁ ସେ ରାଜ୍ୟସଭା ସଭ୍ୟ ପଦ ସହ ବିଜେଡି ମଧ୍ୟ ଛାଡ଼ିଛନ୍ତି। ସେପଟେ ମମତା ସାଂସଦ ପଦରୁ ଇସ୍ତଫା ଦେଇଥିବା ନେଇ ରାଜ୍ୟସଭାର ଅଧ୍ୟକ୍ଷ ଜଗଦୀପ ଧନକଡ ସୂଚନା ଦେଇଥିଲେ। ମମତାଙ୍କ ଇସ୍ତଫା ପରେ ବିଜେଡିର ରାଜ୍ୟସଭା ସାଂସଦଙ୍କ ସଂଖ୍ୟା ୯ରୁ ୮କୁ ଖସିଛି।

hiranchal ad1
Leave A Reply

Your email address will not be published.

18 − 6 =