କିଆକଟା ପଞ୍ଚାୟତରେ ତ୍ରିମୁଖୀ ଲଢେଇ ; ଗାୟତ୍ରୀଙ୍କ ପଥରେ ସଂଯୁକ୍ତା କଣ୍ଟା, ଖେଳ ବିଗାଡିପାରନ୍ତି ଡଲି

0 404

କିଆକଟା : ଅନୁଗୋଳ ଜିଲ୍ଲାର ସୀମାନ୍ତ ପଞ୍ଚାୟତ ଭାବେ ପରିଗଣିତ କିଆକଟା ଗ୍ରାମ ପଞ୍ଚାୟତରେ ନିର୍ବାଚନୀ ତାରିଖ ଘୋଷଣା ପରଠାରୁ ରାଜନୀତି ଉଷ୍ଣ ହେବାରେ ଲାଗିଛି । କଂଗ୍ରେସର ଗଡ ଭାବେ ପରିଚିତ ଏହି ପଞ୍ଚାୟତରେ ଚଳିତ ନିର୍ବାଚନରେ ତ୍ରିମୁଖୀ ପ୍ରତିଦ୍ୱନ୍ଦିତା ହେଉଛି । ପ୍ରତି ପଞ୍ଚାୟତ ନିର୍ବାଚନରେ ବିଜେଡି ସମର୍ଥିତ ପ୍ରାର୍ଥୀଙ୍କ ବିରୁଦ୍ଧରେ ବିଦ୍ରୋହୀ ପ୍ରାର୍ଥୀ ଛିଡା ହେଉଥିବାରୁ ଏହାର ଫାଇଦା ସିଧାସଳଖ କଂଗ୍ରେସ ସମର୍ଥିତ ପ୍ରାର୍ଥୀ ପାଇଥାନ୍ତି । କିନ୍ତୁ ଏଥର ସେମିତି କିଛି ହୋଇନାହିଁ । ରାଜ୍ୟର ତିନି ପ୍ରମୁଖ ଦଳର ସମର୍ଥିତ ତିନିଜଣ ପ୍ରାର୍ଥୀ ନିର୍ବାଚନୀ ମୈଦାନରେ ଅବତିର୍ଣ୍ଣ ହୋଇଛନ୍ତି । ରାଜନୈତିକ ଦଳମାନେ ପ୍ରତ୍ୟକ୍ଷ ଭାବେ ସମର୍ଥନ ଜଣାଉନଥିଲେ ମଧ୍ୟ ପରୋକ୍ଷ ଭାବରେ ପ୍ରାର୍ଥୀମାନଙ୍କୁ ସହଯୋଗ କରୁଥିବା ଜଣାପଡିଛି । ଶାସକ ବିଜୁ ଜନତା ଦଳର ସମର୍ଥିତ ପ୍ରାର୍ଥୀ ଭାବେ ଡଲି ପ୍ରଧାନ କିଆକଟା ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ ଭାବେ ନିର୍ବାଚନ ଲଢୁଥିବା ବେଳେ କଂଗ୍ରେସ ସମର୍ଥିତ ଭାବେ ସଂଯୁକ୍ତ ପ୍ରଧାନ ଓ ବିଜେପି ସମର୍ଥିତ ପ୍ରାର୍ଥୀ ଭାବେ ଗାୟତ୍ରୀ ବେହେରା ନିର୍ବାଚନରେ ଅଂଶଗ୍ରହଣ କରିଛନ୍ତି । ଏହା କହିବା ପଛରେ ମଧ୍ୟ ଏକ ବଡ କାରଣ ରହିଛି । କାରଣ ଡଲି ପ୍ରଧାନ ବିଜୁ ଜନତା ଦଳ ପକ୍ଷରୁ ୨୦୧୨ ମସିହାରେ ଆଠମଲ୍ଲିକ ବିଧାନସଭାର ୫ ନଂ ଜୋନର ଜିଲ୍ଲା ପରିଷଦ ସଭ୍ୟା ଭାବେ ନିର୍ବାଚିତ ହୋଇଥିବା ବେଳେ ସଂଯୁକ୍ତା ପ୍ରଧାନ ୨୦୧୭ ମସିହାରେ ଜିଲ୍ଲା ପରିଷଦ ସଭ୍ୟା ଭାବେ କଂଗ୍ରେସ ଦଳ ପକ୍ଷରୁ ନିର୍ବାଚନ ଲଢି ପରାଜୟକୁ ସାମ୍ନା କରିଥିଲେ । ସେହିପରି ଗାୟତ୍ରୀ ବେହେରାଙ୍କ ଶାଶୂ ମାଆ ତପସ୍ୱିନୀ ପ୍ରଧାନ ମଧ୍ୟ ୨୦୧୨ ମସିହାରେ ବିଜେପି ଟିକେଟରୁ ଜିଲ୍ଲା ପରିଷଦ ପ୍ରାର୍ଥୀ ଭାବେ ନିର୍ବାଚନ ଲଢି ପରାଜୟର ସମ୍ମୁଖୀନ ହୋଇଥିଲେ । ଏଣୁ ତିନି ଜଣ ପ୍ରାର୍ଥୀଙ୍କ ସପକ୍ଷରେ ତିନି ପ୍ରମୁଖ ଦଳର ହାତ ଥିବା ସ୍ପଷ୍ଟ ହେଉଛି ।
କିଆକଟା ପଞ୍ଚାୟତରେ ତିନି ପ୍ରାର୍ଥୀ ଏବେ ଘରଘର ବୁଲି ଭୋଟ ମାଗୁଥିବାର ନଜିର ରହିଛି । ପ୍ରଚାରରେ ଆଗରେ ଗାୟତ୍ରୀ ବେହେରା ରହିଥିବା ବେଳେ ତାଙ୍କ ପଛକୁ ସଂଯୁକ୍ତା ପ୍ରଧାନ ଥିବା ଜଣାପଡିଛି । ଏ କ୍ଷେତ୍ରରେ ଡଲି ପ୍ରଧାନ ଟିକିଏ ପଛରେ ପଡିଥିବା ଜଣାପଡିଛି । ଗାୟତ୍ରୀ ପ୍ରଧାନ ପଞ୍ଚାୟତର ବଡ ଗ୍ରାମ ଭାବେ ପରିଚିତ କାଦପଡା ଗ୍ରାମର ବୋହୂ ହୋଇଥିବାରୁ ଏହା ତାଙ୍କ ପାଇଁ ବେଶ୍‌ ସହାୟକ ହେବ ବୋଲି ଜଣାପଡିଛି । କାରଣ ଏହି ଗ୍ରାମର ଶତ ପ୍ରତିଶତ ଭୋଟ ତାଙ୍କ ସପକ୍ଷରେ ଯିବ ବୋଲି ସେ ଖୁବ୍‌ ଆଶାବାଦୀ ଅଛନ୍ତି । କିନ୍ତୁ ଗ୍ରାମର କିଛି ଲୋକ ତାଙ୍କୁ ଖୋଲାଖୋଲି ବିରୋଧ କରୁଥିବାରୁ ଏହା ତାଙ୍କ ପାଇଁ କିଛିଟା ବୁମେରାଂ ହୋଇପାରେ । ବିରୋଧ ସତ୍ତେ୍ୱ ଗ୍ରାମର ୯୦ରୁ ୯୫ ପ୍ରତିଶତ ଭୋଟ ତାଙ୍କ ସପକ୍ଷରେ ଯିବାର ସମ୍ଭାବନା ରହିଛି । ସେହିପରି ପଡୋଶୀ ଗ୍ରାମ କିଆକଟାରେ ଗାୟତ୍ରୀଙ୍କ ସଂପର୍କୀୟ ଓ ପକେଟ ଭୋଟ ଥିବା ଜଣାପଡିଛି । ଏଣୁ କିଆକଟାରେ ମଧ୍ୟ ଅନ୍ୟ ଦୁଇ ପ୍ରାର୍ଥୀଙ୍କ ଅପେକ୍ଷା ତାଙ୍କ ଭୋଟ ପ୍ରତିଶତ ଅଧିକ ରହିବ ବୋଲି ଅନୁମାନ କରାଯାଉଛି । ଅନ୍ୟ ଦୁଇପ୍ରାର୍ଥୀଙ୍କ ଗ୍ରାମକୁ ଛାଡି ପଞ୍ଚାୟତର ଅନ୍ୟ ସବୁ ଗ୍ରାମରେ ଭୋଟ ପ୍ରାୟତଃ ତିନି ଭାଗ ହେବାର ସମ୍ଭାବନା ଅଧିକ ରହିଛି । ତେଣୁ ପଞ୍ଚାୟତରେ ସରପଞ୍ଚ ଭାବେ ଗାୟତ୍ରୀଙ୍କ ବିଜୟ ସମ୍ଭାବନା ଅଧିକ ଥିବା ରାଜନୈତିକ ସମୀକ୍ଷକମାନେ ଆଶା ପ୍ରକାଶ କରିଛନ୍ତି । ତେବେ ସଂଯୁକ୍ତା ପ୍ରଧାନ ତାଙ୍କ ପଥରେ କଣ୍ଟା ଭାବେ ଛିଡା ହୋଇଛନ୍ତି । କାରଣ କାଦପଡା ଗ୍ରାମରୁ ଯେଉଁ କେତେକ ଲୋକ ଗାୟତ୍ରୀଙ୍କ ପ୍ରାର୍ଥୀତ୍ୱକୁ ବିରୋଧ କରୁଛନ୍ତି ସେମାନେ ସବୁ ସଂଯୁକ୍ତାଙ୍କୁ ସମର୍ଥନ କରୁଥିବା ଜଣାପଡିଛି । ସେହିପରି ସଂଯୁକ୍ତା ପୂର୍ବରୁ ଥରେ ସରପଞ୍ଚ ହୋଇଥିବା ବେଳେ ତାଙ୍କ ସ୍ୱାମୀ ମଧ୍ୟ ଅନେକ ଥର କିଆକଟା ପଞ୍ଚାୟତରେ ସରପଞ୍ଚ ଭାବେ ଦାୟିତ୍ୱ ଗ୍ରହଣ କରି ଲୋକଙ୍କ ଆଶାଭାଜନ ହୋଇଥିଲେ । ତାଙ୍କ ବିୟୋଗ ପରେ ସଂଯୁକ୍ତା ପ୍ରଧାନ ଥରେ ସରପଞ୍ଚ ଭାବେ ନିର୍ବାଚିତ ହୋଇଥିବା ବେଳେ ଦ୍ୱିତୀୟ ଥର ପୁଣି ନିର୍ବାଚନ ମୈଦାନରେ ଅବତୀର୍ଣ୍ଣ ହୋଇଛନ୍ତି । ତେଣୁ ତାଙ୍କର ବିଜୟ ସମ୍ଭାବନା ମଧ୍ୟ ଅଧିକ ରହିଛି । ସେହିପରି ଶାସକ ବିଜୁ ଜନତା ଦଳର ସମର୍ଥିତ ଭାବେ ନିର୍ବାଚନ ମୈଦାନକୁ ଓହ୍ଲାଇଥିବା ଡଲି ପ୍ରଧାନ ମଧ୍ୟ ଶେଷ ଭାଗରେ କିଛି ଓଲଟପାଲଟା କରିପାରନ୍ତି ବୋଲି କୁହାଯାଉଛି । କାରଣରୁ ଡଲି ପ୍ରଧାନ ୨୦୧୨ ମସିହାରେ ଜିଲ୍ଲା ପରିଷଦ ସଭ୍ୟ ଭାବେ ନିର୍ବାଚିତ ହୋଇଥିଲେ । ତେଣୁ ତାଙ୍କର ସମର୍ଥକ ସଂଖ୍ୟା ମଧ୍ୟ ପଞ୍ଚାୟତରେ କମ୍‌ ନାହାନ୍ତି । ସେହିପରି ସେ ନବୀନ ପଟ୍ଟନାୟକଙ୍କ ବିକାଶମୂଳକ କାର୍ଯ୍ୟକୁ ଲୋକଙ୍କ ପାଖରେ ପହଞ୍ଚାଇ ଭୋଟ ମାଗୁଥିବା ଜଣାପଡିଛି । ସେ ମଧ୍ୟ ତାଙ୍କର ବିଜୟୀର ବାନା ଉଡାଇ ପଞ୍ଚାୟତର ସେବା କରିବାକୁ ଚାହିଁ ବସିଛନ୍ତି । ଏଣୁ ତିନି ପ୍ରାର୍ଥୀ ମଧ୍ୟରେ କଡା ପ୍ରତିଦ୍ୱନ୍ଦିତା ହେବା ସୁନିଶ୍ଚିତ । ତେବେ ପଞ୍ଚାୟତବାସୀ କାହା ମୁଣ୍ଡରେ ସୁନାକଳସ ଢାଳିବେ ତାହା ଭୋଟ ଗଣତି ଦିନ ଜଣାପଡିବ ।
ସୂଚନାଯୋଗ୍ୟ ଯେ, ଗାୟତ୍ରୀ ବେହେରା ଖୋଲା ବହି ଚିହ୍ନରେ ନିର୍ବାଚନ ଲଢୁଥିବା ବେଳେ ସଂଯୁକ୍ତା ପ୍ରଧାନ ସୂର୍ଯ୍ୟ ଚିହ୍ନ ଓ ଡଲି ପ୍ରଧାନ ମାଛ ଚିହ୍ନରେ ନିର୍ବାଚନ ଲଢୁଛନ୍ତି । ଗାୟତ୍ରୀ ପ୍ରଧାନ ପ୍ରଥମ ଥର ପାଇଁ ନିର୍ବାଚନରେ ପାଦ ଦେଇଥିବା ବେଳେ ସଂଯୁକ୍ତା ପ୍ରଧାନ ଓ ଡଲି ପ୍ରଧାନଙ୍କ ପାଖରେ ନିର୍ବାଚନୀ ଅଭିଜ୍ଞତା ରହିଛି । ଗାୟତ୍ରୀ ପ୍ରଧାନ ଜଣେ ଯୁବ ନେତ୍ରୀ ହେଉଥିବାରୁ ତାଙ୍କ ସପକ୍ଷରେ ଯୁବ ଭୋଟରଙ୍କ ସମର୍ଥନ ଅଧିକ ଥିବା ଜଣାପଡିଛି ।
ଉଲ୍ଲେଖଯୋଗ୍ୟ ଯେ, କିଆକଟା ପଞ୍ଚାୟତ ୧୩ଟି ୱାର୍ଡକୁ ନେଇ ଗଠିତ । ପଞ୍ଚାୟତରେ ପାଖାପାଖି ୩୨ଶହ ଭୋଟର ଥିବା ଜଣାପଡିଛି । ଯେଉଁ ପ୍ରାର୍ଥୀଙ୍କ ସପକ୍ଷରେ ୧୨ରୁ ୧୩ଶହ ଭୋଟ ପଡିବ ତାଙ୍କର ବିଜୟ ହେବାର ସମ୍ଭାବନା ଅଧିକ ରହିବ ।

hiranchal ad1
Leave A Reply

Your email address will not be published.

15 − 7 =