ପଶ୍ଚିମ ଓଡ଼ିଶାର ସୁନାମଧନ୍ୟ କଳାକାରଙ୍କ ପରଲୋକ

0 126

ବରଗଡ଼ : ବିିଶ୍ୱପ୍ରସିଦ୍ଧ ଧନୁଯାତ୍ରାରେ ୨୪ ବର୍ଷ ଧରି ମହାନାୟକ କଂସ ଭୂମିକାରେ ଅଭିନୟ କରି ଦେଶ ବିଦେଶରେ ସୁନାମ ଅର୍ଜନ କରିଥିବା ଗୋପାଳ ସାହୁ(ଏଲି)ଙ୍କର ଆଜି ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୦ ବର୍ଷ ବୟସ ହୋଇଥିଲା । ପଶ୍ଚିିମ ଓଡ଼ିଶାର ବଲାଙ୍ଗୀର ଜିଲ୍ଲାରେ ଜନ୍ମିତ ଏଲି ବରଗଡ଼ ଜିଲ୍ଲା ବରପାଲି ନିକଟ କାଇଁଶିରରେ ସପରିବାର ରହୁଥିଲେ। ଏହି ମହାନ କଳାକାର ୨ ଦଶନ୍ଧି ଧରି ଅପ୍ରତିଦ୍ୱନ୍ଦ୍ୱି କଂସ କଳାକାର ଭାବେ ପ୍ରସିଦ୍ଧ ଧନୁଯାତ୍ରାରେ ଅଭିନୟ କରି ଚର୍ଚ୍ଚିତ ହୋଇଥିଲେ। ପେସାରେ ଜଣେ ପୁଲିସ୍ ଅଧିକାରୀ ଭାବେ କାର୍ଯ୍ୟ କରିଥିଲେ ହେଁ ନିଶା ଥିଲା ତାଙ୍କର ଅଭିନୟ। ପ୍ରତି ବର୍ଷ ଧନୁଯାତ୍ରାରେ କଂସ ଭୂମିକାରେ ଅଭିନୟ କରିବା ସହ ରାଜକୀୟ ସଂଳାପରେ ଦର୍ଶକଙ୍କ ମନ ମୋହି ନେଉଥିଲେ। ଏଣିକି ଏହି ମହାନ କଳାକାରଙ୍କ ଅଟ୍ଟହାସ୍ୟ ସଂଳାପ ଆଉ ଏଣିକି ଶୁଣିବାକୁ ମିଳିବ ନାହିଁ । ଝାରସୁଗୁଡ଼ାରେ ରହୁଥିବା ତାଙ୍କ ସାନ ପୁଅ ନିକଟରେ ରହି ସେ ଚିକିତ୍ସିତ ହେଉଥିଲେ। ଗତକାଲି ହଠାତ୍ ତାଙ୍କ ସ୍ୱାସ୍ଥ୍ୟ ବିଗିଡ଼ିଯିବାରୁ ନିକଟସ୍ଥ ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ଧନୁଯାତ୍ରାର ୧୦/୧୧ ଦିନକୁ ଛାଡ଼ିଦେଲେ ବାକି ଦିନରେ ମଧ୍ୟ ଏଲିଙ୍କୁ ନେଇ ଶ୍ରଦ୍ଧାରେ କଂସ ମହାରାଜ ହିଁ ଡାକିଥାନ୍ତି। ଯୁଦ୍ଧିଷ୍ଠିର ଶତପଥୀଙ୍କ ପରେ ଯଦି କେହି ସଫଳ କଂସ ଅଭିନୟର ଶ୍ରେୟ ନେଇଥାନ୍ତି ତେବେ ସେ ଥିଲେ ଗୋପାଳ ସାହୁ(ଏଲି) ।


ଏହି ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାରେ ପ୍ରଥମ କଂସ ଯୁଦ୍ଧିଷ୍ଠିର ଶତପଥୀ, ଦେବେନ୍ଦ୍ର ବିଶ୍ୱାଳଙ୍କ ଭଳି କଳାକାରଙ୍କ ପରେ କଂସ ଭୂମିକାରେ ଏଲିଙ୍କର ହିଁ ଦୀର୍ଘ ବର୍ଷ ରାଜ୍ ଚାଲିଥିଲା । ପୁଲିସ୍ କନେଷ୍ଟବଳ ଚାକିରି ଜୀବନ ଆରମ୍ଭ କରିଥିବା ଏଲି ୧୯୮୪ ମସିହାରେ ଏହି ବିଶ୍ୱପ୍ରସିଦ୍ଧ ଧନୁଯାତ୍ରାରେ ପ୍ରଥମ ଥର ପାଇଁ କଂସ ଭୂମିକାରେ ପଦାର୍ପଣ କରି ଆଉ ପଛକୁ ଫେରିନଥିଲେ । ୧୯୮୪ରୁ ୧୯୯୦ ପର୍ଯ୍ୟନ୍ତ କଂସ ଭୂମିକାରେ ଅବତୀର୍ଣ୍ଣ ହୋଇଥିବା ବେଳେ ୧୯୯୧ରେ ଏହି ଯାତ୍ରା ବନ୍ଦ ଥିଲା । ପରେ ସେ ୧୯୯୨ରୁ ୯୮ ପର୍ଯ୍ୟନ୍ତ କଂସ ଭୂମିକାରେ ଅବତୀର୍ଣ୍ଣ ହୋଇଥିବା ବେଳେ ୧୯୯୯ରେ ଏଲି ବାଦ୍ ପଡ଼ିଥିଲେ। ସେଥର ଭୁବନେଶ୍ୱର ପ୍ରଧାନଙ୍କୁ କଂସ ଭୂମିକା ପାଇଁ ଚୟନ କରାଯାଇଥିଲା। ତେବେ ୨୦୦୦ ମସିହାରେ ପୁନର୍ବାର ଏଲି ତାଙ୍କ ଉଚ୍ଚାଙ୍ଗ ସଂଳାପ, ଆକର୍ଷଣୀୟ ଠାଣି, ଯାଦୁକରୀ ଅଭିନୟରେ ପୁନର୍ବାର ଚୟନକର୍ତାଙ୍କ ଆସ୍ଥାଭାଜନ ହୋଇଥିଲେ। ଅପ୍ରତିଦ୍ୱନ୍ଦ୍ୱୀ କଳାକାର ଭାବେ ସେ ୨୦୦୮ ପର୍ଯ୍ୟନ୍ତ କଂସ ଭୂମିକାରେ ଅବତୀର୍ଣ୍ଣ ହୋଇଥିଲେ। ଏହା ପରଠାରୁ ସ୍ୱାସ୍ଥ୍ୟଗତ କାରଣରୁ ଏହି ମହାନ କଳାକାର କଂସ ଭୂମିକାରୁ ବାଦ୍ ପଡ଼ିଥିଲେ । ତେବେ ଏହି ୨୩ ବର୍ଷର ଅଭିନୟ ଭିତରେ ରାଜ୍ୟ ସରକାର ତାଙ୍କୁ ଏକାଧିକ ବାର ପୁରସ୍କୃତ କରିବା ସହ କନେଷ୍ଟବଳ ଚାକିରିରୁ ଏଏସ୍ଆଇ ପଦକୁ ପଦୋନ୍ନତି ଦେଇଥିଲେ। ଏସ୍ଆଇ ଭାବେ ଚାକିରିରୁ ଅବସର ନେଲା ପରେ ସେ କ୍ରମେ ମଧୁମେହରେ ଆକ୍ରାନ୍ତ ହୋଇ ଅସୁସ୍ଥ ଥିଲେ ।

ଏହି ମହାନ କଳାକାରଙ୍କ ପରଲୋକ ଖବର ପ୍ରଚାରିତ ହେବା ପରେ କେବଳ ପଶ୍ଚିମ ଓଡ଼ିଶା ନୁହଁ ସାରା ରାଜ୍ୟରେ ଶୋକ ବ୍ୟକ୍ତ କରାଯାଇଛି । ଆଜି ବହୁ ବିଶିଷ୍ଟ ବ୍ୟକ୍ତି ଏଲିଙ୍କ ଶବାଧାରରେ ପହଞ୍ଚି ଶ୍ରଦ୍ଧାସୁମନ ଅର୍ପଣ କରିଛନ୍ତି ।

hiring

ଅଷ୍ଟମ ଗର୍ଭରେ ଜନ୍ମ ଏଲି କୃଷ୍ଣ ନହୋଇ କଂସ ହୋଇଗଲେ

ବଲାଙ୍ଗୀର ଜିଲ୍ଲାରେ ଜନ୍ମିତ ଏହି କଳାକାର ତାଙ୍କ ପିତାମାତାଙ୍କର ଥିଲେ ଅଷ୍ଟମ ଗର୍ଭର ସନ୍ତାନ । ୮ ଜଣ ଭାଇ ଭଉଣୀଙ୍କ ମଧ୍ୟରେ ସବା ସାନ I ଗୋପାଳଙ୍କ ଖାଦ୍ୟପେୟ ପ୍ରତି ବେଶ୍ ଦୁର୍ବଳତା ଥିଲା। କ୍ରମେ ଗାଁ ଆଖଡ଼ାରୁ ଅଭିନୟର ପାରଦର୍ଶିତା ତାଙ୍କୁ ଏପରି ଧନୁଯାତ୍ରାର କଳାକାର ଭାବେ ପ୍ରତିଷ୍ଠିତ କରାଇଥିଲା। ଓଡ଼ିଶାରେ ସେ ପ୍ରସିଦ୍ଧ ଧନୁଯାତ୍ରା ମଞ୍ଚରେ ଦିବଂଗତ ମୁଖ୍ୟମନ୍ତ୍ରୀ ଜାନକୀବଲ୍ଲଭ ପଟ୍ଟନାୟକ, ବିଜୟାନନ୍ଦ ପଟ୍ଟନାୟକଙ୍କ ସମେତ ଅନେକ କେନ୍ଦ୍ରମନ୍ତ୍ରୀ, ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସାନ୍ନିଧ୍ୟ ଲାଭ କରି ପ୍ରଶଂସିତ ହୋଇଥିଲେ। ତାଙ୍କ ଅଭିୟନର ଚାତୁରିର ବୈଶିଷ୍ଟ ହେଲା ମଞ୍ଚରେ ବେଶ୍ ଭାବୁକ ଓ ଉପସ୍ଥିତ ବୁଦ୍ଧି ବଳରେ ପେସ୍ କରୁଥିବା ଡାଏଲଗ୍ରେ ଅନେକ ମନ୍ତ୍ରୀ, ପ୍ରାଶାସନିକ ଅଧିକାରୀ ଅଡ଼ୁଆରେ ପଡ଼ନ୍ତି ଓ ଗଣମାଧ୍ୟମରେ ବେଶ୍ ଚର୍ଚ୍ଚା ହୋଇଥାଏ ।

hiranchal ad1
Leave A Reply

Your email address will not be published.

1 + 7 =