କଟକ ସମେତ ୫ଟି ସହରରେ ହେବ ହକି ବିଶ୍ୱକପ୍‌ ଉତ୍ସବ

0 73

ଭୁବନେଶ୍ୱର,୧୮/୧୧ : ଆଗକୁ ହେବାକୁ ଥିବା ପୁରୁଷ ବିଶ୍ୱକପ୍‌ ହକି-୨୦୨୩କୁ ନେଇ ଓଡ଼ିଶାର କ୍ରୀଡ଼ାପ୍ରେମୀଙ୍କ ମଧ୍ୟରେ ବଶ୍‌ ଉକ୍ରଣ୍ଠା ଦେଖିବାକୁ ମିଳୁଛି । ସେମାନେ ଏହାକୁ ଆଗ୍ରହର ସହ ଅପେକ୍ଷା କରି ବସିଥିବା ବେଳେ ଆଜି ରାଜ୍ୟ ସରକାର ଏହାର ପ୍ରସ୍ତୁତି ନେଇ ସମୀକ୍ଷା କରିଛନ୍ତି । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରାଜ୍ୟ ମନ୍ତ୍ରୀ ପରିଷଦ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ପୁରୁଷ ହକି ବିଶ୍ୱକପ୍‌ ପ୍ରତିଯୋଗିତା ପ୍ରସ୍ତୁତି ସଂପର୍କରେ ସମୀକ୍ଷା କରାଯାଇଥିଲା । ଏହି ମେଗା ଇଭେଣ୍ଟ କଟକ ସମେତ ୫ଟି ସହରରେ ଖେଳାଯିବ । ପୁରୁଷ ବିଶ୍ୱକପ୍‌ ହକି-୨୦୨୩ ଭୁବନେଶ୍ୱର ଓ ରାଉରକେଲାରେ ୧୩ରୁ ୨୯ ଜାନୁଆରି ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଏହି ମର୍ଯ୍ୟାଦାଜନକ ପ୍ରତିଯୋଗିତାରେ ବିଶ୍ୱର ୧୬ଟି ଦଳ ଅଂଶଗ୍ରହଣ କରିବେ । ଭୁବନେଶ୍ୱରରେ ୨୪ଟି ଓ ରାଉରକେଲାରେ ୨୦ଟି ମ୍ୟାଚ ଖେଳାଯିବ । ଏହି ବୈଠକରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ମନ୍ତ୍ରୀ ପରିଷଦର ସଦସ୍ୟମାନଙ୍କୁ ବିଶ୍ୱକପ୍‌ ଆୟୋଜନର ବିଭିନ୍ନ କାର୍ଯ୍ୟକ୍ରମ ସଂପର୍କରେ ଅବଗତ କରାଇଥିଲେ । ପ୍ରତିଯୋଗିତା ପାଇଁ ଭୁବନେଶ୍ୱରର କଳିଙ୍ଗ ହକି ଷ୍ଟାଡିଅମ ସଂପୂର୍ଣ୍ଣ ପ୍ରସ୍ତୁତ ଥିଲା ବେଳେ ରାଉରକେଲା ବିର୍ସାମୁଣ୍ଡା ହକି ଷ୍ଟାଡିଅମ ନଭେମ୍ବର ଶେଷ ସୁଦ୍ଧା ସଂପୂର୍ଣ୍ଣ ହେବ ବୋଲି ସେ ସୂଚନା ଦେଇଥିଲେ । ଉଭୟ ଷ୍ଟାଡିଅମରେ ଆଷ୍‌ଟ୍ରୋ ଟର୍ଫ ଓ ଫ୍ଲଡ୍‌ ଲାଇଟ କାମ ଶେଷ ହୋଇଯାଇଛି । ଅଂଶଗ୍ରହଣକାରୀ ଦଳ ଓ ମ୍ୟାଚ ଅଫିସିଆଲମାନଙ୍କ ରହଣୀ ପାଇଁ ୨୨୫ଟି ରୁମ୍‌ ତିଆରି କାମ ଚାଲିଛି ଏବଂ ଏହା ମଧ୍ୟ ନଭେମ୍ବର ସୁଦ୍ଧା ସଂପୂର୍ଣ୍ଣ ହେବ ।
ଐତିହାସିକ କଟକ ବାରବାଟୀ ଷ୍ଟାଡିଅମ ସମେତ ୫ଟି ମ୍ୟୁନିସିପାଲ କର୍ପୋରେସନରେ ହକି ବିଶ୍ୱ କପ୍‌ ଉତ୍ସବ ପାଳନ କରାଯିବ । ଓଡିଶାର ଅଧିକାଂଶ ଜିଲ୍ଲା ସହିତ ସାରା ଦେଶରେ ଏହି ହକି ବିଶ୍ୱକପ ଟ୍ରଫି ପ୍ରଦର୍ଶନ ଯାତ୍ରା କରାଯିବ । ଏହି ସମୟରେ ଜିଲ୍ଲାସ୍ତରରେ କ୍ରୀଡା ଓ ସାଂସ୍କୃତିକ କାର୍ଯ୍ୟକ୍ରମର ବିକାଶ ପାଇଁ ବିଭିନ୍ନ ପ୍ରକାର ଉତ୍ସବର ଆୟୋଜନ କରାଯିବ । ସ୍କୁଲ, କଲେଜର ପିଲାମାନଙ୍କୁ ଏହି କାର୍ଯ୍ୟକ୍ରମରେ ସାମିଲ କରାଯିବ ଏବଂ ସମସ୍ତଙ୍କ ଭିତରେ ବିଶେଷକରି ପିଲାମାନଙ୍କ ଭିତରେ କ୍ରୀଡା ପ୍ରତିଭାର ବିକାଶ ପାଇଁ ପଦକ୍ଷେପ ନିଆଯିବ । ଆୟୋଜକ କମିଟି ଓ ବିଭିନ୍ନ ସବ୍‌ କମିଟି ବିଶ୍ୱକପ ହକିର ସଫଳ ଆୟୋଜନ ପାଇଁ ପ୍ରସ୍ତୁତି ଜାରି ରଖିଛନ୍ତି । ଏହାକୁ ସଂପୂର୍ଣ୍ଣ ଅଘଟଣମୁକ୍ତ କରିବା ପାଇଁ ନିରାପତ୍ତା ବ୍ୟବସ୍ଥାକୁ ମଧ୍ୟ ସୁଦୃଢ କରାଯାଇଛି ବୋଲି ଶ୍ରୀ ମହାପାତ୍ର ମନ୍ତ୍ରିମଣ୍ଡଳକୁ ଅବଗତ କରାଇଥିଲେ । ବିଶ୍ୱକପ୍‌ ହକି ଆୟୋଜନରେ ସାମିଲ ହୋଇଥିବା ସବୁ ବିଭାଗର ପଦକ୍ଷେପକୁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଥିଲେ ଏବଂ ସବୁ କାର୍ଯ୍ୟକୁ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଶେଷ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ହକି ବିଶ୍ୱକପ୍‌ ଯେଭଳି ବିଭିନ୍ନ ଟିମ୍‌ ଓ ପ୍ରଶଂସକମାନଙ୍କ ନିମନ୍ତେ ଏକ ଭବ୍ୟ ଉତ୍ସବ ଭାବରେ ସ୍ମରଣୀୟ ହୋଇରହିବ, ସେଥିପାଇଁ ପରସ୍ପର ମଧ୍ୟରେ ଉତ୍ତମ ସମନ୍ୱୟ ରଖି କାର୍ଯ୍ୟ କରିବାପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ ।

hiranchal ad1
Leave A Reply

Your email address will not be published.

nine − 6 =