ବକ୍ସିଂରେ ପଦକ ପକ୍କା କଲେ ନିତୁ ଓ ହସମୁଦ୍ଦିନ

0 86

ବର୍ମିଂହାମ: ରାଜ୍ୟଗୋଷ୍ଠୀ କ୍ରୀଡାର ବକ୍ସିଂ ଇଭେଣ୍ଟରେ ଭାରତ ଉଲ୍ଲେଖନୀୟ ପ୍ରଦର୍ଶନ କରିଚାଲିଛି । ଏହି ବିଭାଗରେ ଦୁଇ ଜଣ ବକ୍ସର ନିତୁ ଓ ମହମ୍ମଦ ହସମୁଦ୍ଦିନ ଭାରତ ପାଇଁ ପଦକ ପକ୍କା କରିଛନ୍ତି । ବକ୍ସିଂର ନିୟମ ଅନୁଯାୟୀ, ସେମିରେ ପ୍ରବେଶ କରୁଥିବା ବକ୍ସରଙ୍କୁ ଅତିକମରେ ବ୍ରୋଞ୍ଜ ପଦକ ମିଳିବ । ଏହାର ଅର୍ଥ ଭାରତର ଦୁଇ ଖେଳାଳି ସେମିରେ ହାରିଲେ ମଧ୍ୟ ଅତିକମରେ ବ୍ରୋଞ୍ଜ ପଦକ ହାସଲ କରିବେ । ଆଜି ୫୭ କେଜି ବର୍ଗର କ୍ୱାର୍ଟର ଫାଇନାଲରେ ହସମୁଦ୍ଦିନଙ୍କ ମୁକାବିଲା ନାମ୍ବିଆର ଟ୍ରାୟାଗେନ ଏନଡେଭେଲୋଙ୍କ ସହ ହୋଇଥିଲା । ସେ ଏହି ମ୍ୟାଚ୍‌କୁ ୪:୧ରେ ଜିତି ସେମିରେ ପ୍ରବେଶ କରିଛନ୍ତି । ମ୍ୟାଚ୍‌ରେ ୨୮ ବର୍ଷୀୟ ହସମୁଦ୍ଦିନଙ୍କୁ ଏନଡେଭେଲୋ କଡା ଚ୍ୟାଲେଞ୍ଜ ଦେଇଥିଲେ । ସେ ଆଟାକିଂ ଖେଳ ପ୍ରଦର୍ଶନ କରିଥିବା ବେଳେ ହସମୁଦ୍ଦିନ ସୁଯୋଗ ଦେଖି ପଞ୍ଚିଂ ମାରିଥିଲେ । ଉଭୟ ଜଜଙ୍କୁ ପ୍ରଭାବିତ କରିଥିଲେ ମଧ୍ୟ ଶେଷରେ ଭାରତ ସପକ୍ଷରେ ରେଜଲ୍ଟ ଯାଇଥିଲା । ଏହି ବିଜୟ ସହ ହସମୁଦ୍ଦିନ ସେମିରେ ସ୍ଥାନ ପକ୍କା କରିଛନ୍ତି । ୨୦୧୮ ଗୋଲ୍ଡକୋଷ୍ଟରେ ସେ ଭାରତ ପାଇଁ ବ୍ରୋଞ୍ଜ ମେଡାଲ ଜିତିଥିଲେ । ତେଣୁ ଏଥର ସେ ସ୍ୱର୍ଣ୍ଣ ଜିତିବାକୁ ଲକ୍ଷ୍ୟ ରଖିଛନ୍ତି । ରାଉଣ୍ଡ ୩୨ ମୁକାବିଲାରେ ମହମ୍ମଦ ହସମୁଦ୍ଦିନ ଦକ୍ଷିଣ ଆଫ୍ରିକାର ଆମଜୋଲେଲେ ଡିଙ୍କୁ ୫-୦ରେ ପରାସ୍ତ କରିଥିଲେ । ଆମଜୋଲେଲେଙ୍କ ବିରୋଧରେ ଭାରତୀୟ ବକ୍ସର ହସମୁଦ୍ଦିନଙ୍କ ପଞ୍ଚ ଓ ପାଦର ମୁଭମେଣ୍ଟ ବେଶ ଚମତ୍କାର ରହିଥିଲା । ଏଥିପାଇଁ ସେ ୫ ଜଣ ବିଚାରପତିଙ୍କ ସର୍ବସମ୍ମତିକ୍ରମେ ତାଙ୍କୁ ବିଜେତା ଘୋଷଣା କରିଥିଲେ । ଏହାପୂର୍ବରୁ ୨୧ ବର୍ଷୀୟ ନିତୁ ୪୮ କେଜି ବର୍ଗ ବକ୍ସିଂରେ ଭାରତ ପାଇଁ ପଦକ ପକ୍କା କରିଥିଲେ । ଆଜି ସେ ଏହି ବର୍ଗରେ ନର୍‌ଦର ଆୟର୍ଲ୍ୟାଣ୍ଡର ନିକୋଲ କ୍ଲାୟଡେଙ୍କୁ ହରାଇଛନ୍ତି । ଏହି ବିଜୟ ସହ ସେ ୪୮ କେଜି ମହିଳା ବର୍ଗର ସେମି ଫାଇନାଲରେ ପ୍ରବେଶ କରିଛନ୍ତି । ଏହାର ଅର୍ଥ ସେ ସେମିରେ ହାରିଲେ ମଧ୍ୟ ଭାରତକୁ ଅତିକମରେ ବ୍ରୋଞ୍ଜ ପଦକ ମିଳିବ ।

hiranchal ad1
Leave A Reply

Your email address will not be published.

thirteen + 13 =