ରାଜ୍ୟଗୋଷ୍ଠୀ କ୍ରୀଡା : ସେମିରେ ପୁରୁଷ ହକି ଟିମ୍‌

0 95

ବର୍ମିଂହାମ: ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତୀୟ ପୁରୁଷ ହକି ଦଳ ସେମି ଫାଇନାଲରେ ପ୍ରବେଶ କରିଛି । ଆଜି ଗ୍ରୁପ ପର୍ଯ୍ୟାୟର ଶେଷ ମ୍ୟାଚ୍‌ରେ ମନପ୍ରୀତ ସିଂହଙ୍କ ଭାରତୀୟ ଦଳ ୱେଲ୍ସକୁ ୪-୧ରେ ପରାସ୍ତ କରିଛି । ଏଥିସହ ଗ୍ରୁପ ପର୍ଯ୍ୟାୟରେ ଅପରାଜେୟ ରହି ସେମିରେ ସ୍ଥାନ ସୁରକ୍ଷିତ କରିଛି । ଏହାପୂର୍ବରୁ ଭାରତର ମହିଳା ହକି ଟିମ କାନାଡାକୁ ୩-୨ରେ ହରାଇ ଗତକାଲି ସେମିରେ ପ୍ରବେଶ କରିଥିଲା । ଭାରତୀୟ ପୁରୁଷ ହକି ଟିମ୍‌ ପାଇଁ ଆଜିର ମ୍ୟାଚ୍‌ ବେଶ ସହଜ ଥିଲା । ୱେଲ ଅପେକ୍ଷାକୃତ ଦୁର୍ବଳ ହୋଇଥିବାରୁ ଆରମ୍ଭରୁ ହିଁ ଦଳ ତା’ର ଦବଦବା ଦେଖାଇଥିଲା । କିନ୍ତୁ ୱେଲ୍ସର ଗୋଲପୋଷ୍ଟ ମଧ୍ୟରେ ବଲ ମାରିବାକୁ ଦଳ ସକ୍ଷମ ହୋଇ ନଥିଲା । ଫଳରେ ପ୍ରଥମ କ୍ୱାର୍ଟରରେ ସ୍ଥିତି ୦-୦ ରହିଥିଲା । ତେବେ ଦ୍ୱିତୀୟ କ୍ୱାର୍ଟରରେ ସ୍ଥିତି ବଦଳି ଥିଲା । ଭାରତର ଡ୍ରାଗ ଫ୍ଲିକର ଦୁଇ ମିନିଟ ମଧ୍ୟରେ ଦୁଇଟି ପେନାଲ୍ଟି କର୍ଣ୍ଣରକୁ ଗୋଲରେ ପରିଣତ କରି ସ୍ଥିତିକୁ ୨-୦ କରି ଦେଇଥିଲେ । ସେ ୧୯ତମ ଓ ୨୦ତମ ମିନଟରେ ଗୋଲ ସ୍କୋର କରିଥିଲେ । ୱେଲ୍ସ କାଉଣ୍ଟର ଆଟାକ କରିଥିଲେ ମଧ୍ୟ ସୁଫଳ ପାଇ ନଥିଲେ । ଦ୍ୱିତୀୟ କ୍ୱାର୍ଟର ଶେଷ ସୁଦ୍ଧା ଭାରତ ୨-୦ରେ ଆଗରେ ରହିଥିଲା । ତୃତୀୟ କ୍ୱାର୍ଟରରେ ଭାରତକୁ ଗୋଟିଏ ପେନାଲ୍ଟ ଷ୍ଟୋକ ମିଳିଥିଲା । ମ୍ୟାଚର ୪୦ତମ ମିନିଟରେ ମିଳିଥିବା ପେନାଲ୍ଟି ଷ୍ଟୋକକୁ ହରମନପ୍ରୀତ ଗୋଲରେ ପରିଣତ କରିଥିଲେ । ଏଥିସହ ସେ ମ୍ୟାଚ୍‌ରେ ନିଜର ହ୍ୟାଟ୍ରିକ ହାସଲ କରିଥିଲେ । ୪ର୍ଥ କ୍ୱାର୍ଟରରେ ଗୁରଜନ୍ତ ସିଂହ ଚମତ୍କାର ଫିଲ୍ଡ ଗୋଲ କରି ଭାରତ ପାଇଁ ୪ର୍ଥ ଗୋଲ ସ୍କୋର କରିଥିଲେ । ମ୍ୟାଚ୍‌ ସରିବାକୁ ଆଉ ମାତ୍ର ୫ ମିନିଟରୁ କମ ସମୟ ଥିବା ବେଳେ ୱେଲ୍ସ ଗୋଟିଏ ଗୋଲ ଦେବାକୁ ସକ୍ଷମ ହୋଇଥିଲା । ହେଲେ ଭାରତ ୪-୧ରେ ମ୍ୟାଚ୍‌ ଜିତି ସେମିରେ ନିଜର ସ୍ଥାନ ପକ୍କା କରିଥିଲା । ଭାରତ ଗ୍ରୁପ ପର୍ଯ୍ୟାୟରେ ଘାନାକୁ ୧୧-୦ରେ ହରାଇଥିବା ବେଳେ ଇଂଲଣ୍ଡ ସହ ମ୍ୟାଚ୍‌କୁ ୪-୪ରେ ଡ୍ର ରଖିଥିଲା । ଏହାପରେ କାନାଡାକୁ ୮-୦ରେ ହରାଇଥିଲା । ଆଜି ୱେଲ୍ସ ୪-୧ରେ ଭାରତ ଠାରୁ ହାରିଛି ।

hiranchal ad1
Leave A Reply

Your email address will not be published.

three × four =