ରାଜ୍ୟଗୋଷ୍ଠୀ ପୁରୁଷ ହକି :
କାନାଡାକୁ ହରାଇ ଟେବୁଲ ଶୀର୍ଷରେ ଭାରତ

0 92

ବର୍ମିଂହାମ: ରାଜ୍ୟଗୋଷ୍ଠୀ କ୍ରୀଡ଼ାର ପୁରୁଷ ହକିରେ ଆଜି ଭାରତୀୟ ଦଳ କମାଲ କରିଛନ୍ତି । ମନପ୍ରୀତ ସିଂହଙ୍କ ଭାରତୀୟ ଟିମ୍‌ କାନାଡାକୁ ୮-୦ ଗୋଲରେ ପରାସ୍ତ କରିଛି । ଏହି ବିଜୟ ସହ ଦଳ ଟେବୁଲ୍‌ ବି’ରେ ଏକ ନମ୍ବର ସ୍ଥାନରେ ପହଞ୍ଚିଛି । ଏଥିସହ ସେମି ଫାଇନାଲରେ ନିଜର ସ୍ଥାନ ଏକ ପ୍ରକାରର ସୁରକ୍ଷିତ କରିନେଇଛି । ହରମନପ୍ରୀତ ସିଂହ ଓ ଆକାଶଦୀପ ସିଂହ ଦୁଇଟି ଲେଖାଏ ଗୋଲ ସ୍କୋର କରିଥିବା ବେଳେ ଓଡିଆ ତାରକା ଅମିତ ରୋହିଦାସ, ମନଦୀପ ସିଂହ, ଗୁରଜନ୍ତ ସିଂହ ଓ ଲଳିତ ଉପାଧ୍ୟାୟ ଗୋଟିଏ ଲେଖାଏ ଗୋଲ ଦେଇ ଭାରତକୁ ଏକପାଖିଆ ବିଜୟ ଦେଇଛନ୍ତି । ପ୍ରଥମ କ୍ୱାର୍ଟରରେ ଭାରତ ଦମଦାର ଖେଳ ଦେଖାଇଥିଲା । କ୍ରମାଗତ ଭାବେ ଦଳ କାନାଡାର ଡି’ ଅଞ୍ଚଳରେ ପ୍ରବେଶ କରି ଚାପ ସୃଷ୍ଟି କରିଥିଲା । ତେବେ ମ୍ୟାଚର ୫ମ ମିନିଟରେ ଭାରତକୁ ଦୁଇଟି ପେନାଲ୍ଟି କର୍ଣ୍ଣର ମିଳିଥିଲେ ମଧ୍ୟ ଏହାକୁ ଭାରତ ଗୋଲରେ ପରିଣତ କରିପାରି ନଥିଲା । ହେଲେ ୭ମ ମିନିଟରେ ମିଲିଥିବା ପେନାଲ୍ଟିକୁ ହରମନପ୍ରୀତ ସିଂହ ହାତ ଛଡା କରି ନଥିଲେ । ସେ ଏହାକୁ ଗୋଲରେ ପରିଣତ କରି ଭାରତକୁ ୧-୦ରେ ଆଗୁଆ କରି ଦେଇଥିଲେ । ମ୍ୟାଚର ୯ମ ମିନିଟରେ ଓଡିଆ ତାରକା ଅମିତ ରୋହିଦାସ ଚମତ୍କାର ଫିଲ୍ଡ ଗୋଲ କରି ଏହି ଲିଡକୁ ୨-୦ କରିଦେଇଥିଲେ । ଆତ୍ମବିଶ୍ୱାସ ସହ ଦ୍ୱିତୀୟ କ୍ୱାର୍ଟର ଆରମ୍ଭ କରିଥିବା ଭାରତୀୟ ଟିମ୍‌ ତୁରନ୍ତ ଆଉ ଗୋଟିଏ ଗୋଲ କରିଥିଲା । ଏହି ଗୋଲଟି ମ୍ୟାଚ୍‌ର ୨୦ତମ ମିନିଟରେ ଲଳିତ ଉପାଧ୍ୟାୟଙ୍କ ଷ୍ଟିକରୁ ଆସିଥିଲା । ଦ୍ୱିତୀୟ କ୍ୱାର୍ଟରର ୧୨ତମ ମିନିଟରେ ଗୁରଜନ୍ତ ଗୋଲ କରି ସ୍ଥିତି ୪-୦ କରିଥିଲା । ମ୍ୟାଚର ୩୮ତମ ମିନିଟରେ ଆକାଶଦୀପଙ୍କ ଦମଦାର ଶଟ ଭାରତକୁ ୫-୦ରେ ଆଗୁଆ କରି ଦେଇଥିଲେ । ୫-୦ରେ ଲିଡ ପାଖରେ ଥିଲେ ମଧ୍ୟ ଗ୍ରାହମ ରେଇଡଙ୍କ ଟିମ୍‌ ଚାପ ସୃଷ୍ଟି କରିବାକୁ ଭୁଲି ନଥିଲା । ଏହାର ଲାଭ ୪ର୍ଥ କ୍ୱାର୍ଟରରେ ମିଳିଥିଲା । ଶେଷ ୧୫ ମିନିଟରେ ଭାରତୀୟ ଟିମ୍‌ ୩ଟି ଗୋଲ ସ୍କୋର କରିଛି । ୪ର୍ଥ କ୍ୱାର୍ଟରର ପ୍ରଥମ ଗୋଲ ହରମନପ୍ରୀତ ସିଂହ ପିସି ଜରିଆରେ ହାସଲ କରିଥିଲେ । ଏହାପରେ ମ୍ୟାଚ୍‌ ସିରିବାକୁ ୩ ମିନିଟ ବାକିଥିବା ବେଳେ ମନଦୀପ ସିଂହ ଫିଲ୍ଡ ଗୋଲ ସ୍କୋର କରି ସ୍ଥିତିକୁ ୭-୦ କରିଥିଲେ । ଶେଷ ମିନିଟରେ ଆକାଶଦୀପ ସିଂହ ପୁଣି ଗୋଲ ସ୍କୋର କରି ଭାରତକୁ ୮-୦ରେ ବିଜୟୀ କରାଇଥିଲେ । ଭାରତୀୟ ହକି ଟିମ ଆସନ୍ତାକାଲି ୱେଲ୍ସ ବିପକ୍ଷରେ ନିଜର ଅନ୍ତିମ ଗ୍ରୁପ ମ୍ୟାଚ୍‌ ଖେଳିବ ।

hiranchal ad1
Leave A Reply

Your email address will not be published.

two × two =