ଲଣ୍ଡନ: ବିଶ୍ୱ ଟେନିସର ଦୁଇ ନମ୍ବର ଖେଳାଳି ଡାନିଏଲ ମେଦଭେଦେଭଙ୍କୁ ଚଳିତ ବର୍ଷ ୱିମ୍ବଲଡନ ଟୁର୍ଣ୍ଣାମେଣ୍ଟରେ ଦେଖିବାକୁ ମିଳିବ ନାହିଁ । ରୁଷ ଓ ବେଲାରୁଷ ଖେଳାଳିଙ୍କ ଉପରେ ପ୍ରତିବନ୍ଧକ ଲଗାଇଛି ୱିମ୍ବଲଡନ୍ । ଏହି ଦୁଇ ଦେଶର ଖେଳାଳି ଟୁର୍ଣ୍ଣାମେଣ୍ଟରେ ଭାଗ ନେଇ ପାରିବେ ନାହିଁ । ରୁଷ କ୍ରମାଗତ ଭାବେ ୟୁକ୍ରେନ ବିରୋଧରେ ଯୁଦ୍ଧ କରି ଚାଲିଥିବାରୁ ୱିମ୍ବଲଡନ ପକ୍ଷରୁ ଏପରି ନିଷ୍ପତ୍ତି ନିଆଯାଇଛି । କେବଳ ରୁଷ ନୁହେଁ ବେଲାରୁସର ଖେଳାଳିଙ୍କ ଉପରେ ମଧ୍ୟ ସମାନ ପ୍ରତିବନ୍ଧକ ଲଗାଯାଇଛି । କାରଣ ରୁଷର ୟୁକ୍ରେନ ବିରୋଧୀ ଯୁଦ୍ଧକୁ ବେଲାରୁସ ସମର୍ଥନ କରିଛି । ମାର୍ଚ୍ଚ ମାସରୁ ବିଶ୍ୱର ବିଭିନ୍ନ ଟେନିସ ସଂଘ ରୁଷକୁ ଦଳ ଭିତ୍ତିକ ପ୍ରତିଯୋଗୀତାରୁ ବାଦ ଦେଇଥିଲେ । ତେବେ ସିଙ୍ଗଲ୍ସ ଇଭେଣ୍ଟ ଗୁଡିକରେ ରୁଷର ଖେଳାଳିଙ୍କୁ ଦେଶର ପତାକା ବିନା ଖେଳିବାକୁ ସୁଯୋଗ ମିଳିଥିଲା । ଏବେ ୱିମ୍ବଲଡନର ଆୟୋଜନ କରୁଥିବା ଏଇଏଲଟିସି ରୁଷର ଖେଳାଳିଙ୍କ ଉପରେ ବ୍ୟାନ ଲଗାଇଛି । ଏହି ନିଷ୍ପତ୍ତି ଯୋଗୁ ମେଦଭେଦେଭଙ୍କ ବ୍ୟତୀତ ୮ମ ସ୍ଥାନରେ ଥିବା ଆଣ୍ଡ୍ରେ ରୁବଲେଭ, ଗତବର୍ଷ ୱିମ୍ବଲଡନ ସେମିଫାଇନାଲ ଖେଳିଥିବା ଆରୟନା ସାବାଲେଙ୍କା ଓ ବେଲାରୁଷର ଭିକ୍ଟୋରିଆ ଆଜରେଙ୍କାଙ୍କ ଭଳି ଟପ୍ ୫ ଟେନିସ ଖେଳାଳିଙ୍କୁ ଚଳିତ ବର୍ଷ ୱିମ୍ବଲଡନରେ ଦେଖିବାକୁ ମିଳିବନି ।