ନୂଆଦିଲ୍ଲୀ: କ୍ରିକେଟ ଫ୍ୟାନମାନଙ୍କ ପାଇଁ ବଡ ଖବର । ପୂର୍ବରୁ କ୍ରିକେଟରେ ଥିବା ଅନେକ ନିୟମରେ ହୋଇଛନ୍ତି ପରିବର୍ତ୍ତନ । ମଙ୍ଗଳବାର କ୍ରିକେଟ ପାଇଁ ନିୟମ ଧାର୍ଯ୍ୟ କରୁଥିବା ମେଲବର୍ଣ୍ଣ କ୍ରିକେଟ କ୍ଲବ(ଏମସିଏ) ନୂଆ ନିୟମ ସମ୍ପର୍କରେ ଘୋଷଣା କରିଛି ।
ମଙ୍କଡିଂ ଠାରୁ ଆରମ୍ଭ କରି ୱାଇଡ ନିୟମରେ ବଡ ପରିବର୍ତ୍ତନ କରିଛି ଏମସିସି । ସେହିପରି ସବୁଦିନ ପାଇଁ ବଲ୍ରେ ଲାଳ ମାରିବା ଉପରେ ମଧ୍ୟ ରୋକ ଲଗାଇ ଦିଆଯାଇଛି । ପୂର୍ବରୁ କରୋନା ପାଇଁ ବଲ୍ରେ କୌଣସି ଖେଳାଳି ଲାଳ ମାରି ଚିକ୍କଣ କରିପାରିବେ ନାହିଁ ବୋଲି ନିୟମ ପ୍ରଣୟନ କରାଯାଇଥିଲା । ହେଲେ ଏହାକୁ ସ୍ଥାୟୀ ନିୟମ କରି ଦିଆଯାଇଛି ।
ପୂର୍ବରୁ ମଙ୍କଡିଂକୁ ଅନଫେୟାର ମୋଡ ଅଫ ଡିସମିସାଲ କୁହାଯାଉଥିଲା । କିନ୍ତୁ ଏବେ କ୍ରିକେଟର ଆଇନ ୩୮ ମଧ୍ୟରେ ଏହାକୁ ଯୋଡା ଯାଇଛି । ଅର୍ଥାତ ଏହା ରନ ଆଉଟ ଭଳି ଗଣତି କରାଯିବ । ତେବେ ଏହାର ନାଁ ମଙ୍କଡିଂ ଆଉଟ ହିଁ ରହିବ ।
ଯଦି କୌଣସି ବ୍ୟାଟର କ୍ୟାଚ୍ ଆଉଟ ହେଉଛନ୍ତି, ତା’ହେଲେ ନୂଆ ବ୍ୟାଟର ପରବର୍ତ୍ତୀ ବଲ୍ ସାମ୍ନା କରିବେ । ପୂର୍ବରୁ ଯଦି ବ୍ୟାଟର କ୍ୟାଚ ଆଉଟ ପୂର୍ବରୁ ନନ ଷ୍ଟ୍ରାଇକରେ ଥିବା ଖେଳାଳି ତାଙ୍କୁ କ୍ରସ କରି ଯାଉଛନ୍ତି, ତା’ହେଲେ ପୁରୁଣା ବ୍ୟାଟର ହିଁ ପରବର୍ତ୍ତୀ ବଲ ସାମ୍ନା କରୁଥିଲେ । ତେବେ ନୂଆ ନିୟମ ଓଭର୍ର ଶେଷ ବଲରେ ଲାଗୁ ହେବନି ।
ସେହିପରି ମ୍ୟାଚ୍ ବେଳେ ଯଦି କୌଣସି ବ୍ୟକ୍ତି କିମ୍ବା ପଶୁ ପଡିଆରେ ପ୍ରବେଶ କରନ୍ତି, ତା’ହେଲେ ଏହାକୁ ଡେଡ ବଲ ଭାବେ ବିବେଚନା କରାଯିବ । ଅନ୍ୟ ଏକ ନିୟମ ଅନୁଯାୟୀ ଫିଲ୍ଡିଂ ଟିମର କୌଣସି ଖେଳାଳି ବୋଲିଂ ବେଳେ ଅଲଗା ସ୍ଥାନକୁ ମୁଭମେଣ୍ଟ କରନ୍ତି କିମ୍ବା ଜାଣିଶୁଣି ଖେଳରେ ବିଭ୍ରାଟ ସୃଷ୍ଟି କରନ୍ତି, ତା’ହେଲେ ବଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ପୂର୍ବରୁ ଏପରି ସ୍ଥିତିରେ ଡେଡ ବଲର ସଙ୍କେତ ଦିଆଯାଉଥିଲା । ଏବେ କିନ୍ତୁ ଏଭଳି ଆଚରଣ ପାଇଁ ବ୍ୟାଟିଂ ଟିମକୁ ୫ ରନ୍ ପେନାଲ୍ଟି ଆକାରରେ ମିଳିବ ।
ସେହିପରି କରୋନା ପାଇଁ ବଲ୍ ଉପରେ ଲାଳ ମାରିବାକୁ ବ୍ୟାନ କରାଯାଇଥିଲା । ଏବେ ଏହି ନିୟମ ସବୁଦିନ ପାଇଁ ବଳବତ୍ତର ରହିବ ।
ଯଦି ବଲ୍ ପିଚର ବାହାରେ ଲ୍ୟାଣ୍ଡ କରୁଛି ଓ କୌଣସି ବ୍ୟାଟର ଏହାକୁ ଖେଳିବାକୁ ଚେଷ୍ଟା କରୁଛନ୍ତି, ତା’ହେଲେ ବ୍ୟାଟ କିମ୍ବା ବ୍ୟାଟରଙ୍କ ଯେକୌଣସି ଅଂଶ କ୍ରିଜରେ ରହିଥିବା ଦରକାର । ଯଦି ଏପରି ନ ହୁଏ, ତା’ହେଲେ ଏହାକୁ ଡେଡ ବଲ ଘୋଷଣା କରାଯିବ ।
ସେହିପରି ଯଦି କୌଣସି ବଲ୍ ପିଚ୍ ବାହାରେ ଲ୍ୟାଣ୍ଡ କରୁଛି ଓ ବ୍ୟାଟର ଏହାକୁ ଖେଳିବାକୁ ଅକ୍ଷମ ହେଉଛନ୍ତି, ତା’ହେଲେ ଏହାକୁ ନୋ-ବଲ ଭାବେ ବିବେଚନା କରାଯିବ ।
ଅନ୍ୟ ଏକ ନିୟମ ଅନୁଯାୟୀ ୱାଇଡ ପାଇଁ ମଧ୍ୟ ଏମସିସି ନୂଆ ନିୟମ ପ୍ରଣୟନ କରିଛି । ଯଦି କୌଣସି ବ୍ୟାଟର ଇନୋଭେଟିଭ ଶଟ ଖେଳିବାକୁ ପ୍ରୟାସ କରନ୍ତି ଓ ବୋଲର ସେହି ଅନୁସାରେ ତାଙ୍କର ପିଛା କରନ୍ତି, ତା’ହେଲେ ଷ୍ଟମ୍ପ ବଦଳେ ବ୍ୟାଟରଙ୍କ ପୋଜିସନରୁ ଅମ୍ପାୟାର ୱାଇଡର ରେଞ୍ଜ ମାପିବେ ।
ସୂଚନାଯୋଗ୍ୟ, ଆସନ୍ତା ଅକ୍ଟୋବର ୧ରୁ ଏହି ସବୁ ନିୟମ ଲାଗୁ ହେବ । ଏହା ଉପରେ କେବଳ ଆଇସିସିର ମୋହର ବାଜିବାର ଆବଶ୍ୟକତା ରହିଛି । ସାଧାରଣତଃ ଏମସିସି ଦେଉଥିବା ପ୍ରସ୍ତାବ ଆଇସିସି ପକ୍ଷରୁ ବିନା କୌଣସି ପ୍ରତିବନ୍ଧକରେ ଅନୁମତି ପ୍ରାପ୍ତ କରିଥାଏ ।
Sign in
Sign in
Recover your password.
A password will be e-mailed to you.
Prev Post
Next Post