ନୂଆଦିଲ୍ଲୀ : ଏଥର ଆଇପିଏଲ୍ ଭାରତ ବାହାରେ ଅନୁଷ୍ଠିତ ହେଉଛି । ଏହାକୁ ସୁରକ୍ଷିତ ଓ ଦୁର୍ନୀତି ତଥା ବିବାଦମୁକ୍ତ ରଖିବା ଲାଗି ବିସିସିଆଇ ପକ୍ଷରୁ ସବୁ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଉଛି । ଟୁର୍ଣ୍ଣାମେଣ୍ଟ ସମୟରେ ଆଇପିଏଲ୍ ଖେଳାଳିମାନଙ୍କ ଉପରେ ତୀକ୍ଷ୍ଣ ନଜର ରଖାଯିବ । ବୁକିମାନେ ଯେପରି ଖେଳାଳିମାନଙ୍କ ସହିତ ଯୋଗାଯୋଗରେ ନରହିପାରିବେ, ତାହାକୁ ସୁନିଶ୍ଚିତ କରିବା ପାଇଁ କଡ଼ା ବ୍ୟବସ୍ଥା କରାଯାଇଛି । ସେହିପରି, ଖେଳାଳିମାନଙ୍କୁ କରୋନା ସଂକ୍ରମଣରୁ ଦୂରେଇ ରଖିବା ଲାଗି ମଧ୍ୟ ପଦକ୍ଷେପ ନିଆଯାଇଛି । ଗୋଟିଏ ପଟେ କରୋନା ସଂକ୍ରମଣର ଭୟ, ଅନ୍ୟପଟେ ବୁକିମାନଙ୍କ କାର୍ଯ୍ୟକଳାପ । ଏହି ଦୁଇଟି ଦିଗକୁ ସର୍ବାଧିକ ଗୁରୁତ୍ୱ ଦିଆଯାଉଛି ବୋଲି ବିସିସିଆଇର ଦୁର୍ନୀତି ନିବାରଣ ବିଭାଗର ମୁଖ୍ୟ ଅଜିତ୍ ସିଂ ଶୁକ୍ରବାର ଏକ ବିବୃତିରେ ଜଣାଇଛନ୍ତି ।