ନୂଆଦିଲ୍ଲୀ: ମୁମ୍ବାଇ ବିମାନବନ୍ଦରରେ କଷ୍ଟମ ବିଭାଗ ଜବତ କରିଥିବା ଦୁଇଟି ଘଣ୍ଟା ପ୍ରସଙ୍ଗରେ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଏକ ବିବୃତ୍ତି ଜାରି କରି କହିଛନ୍ତି ଯେ ନଭେମ୍ବର ୧୫ ଦିନ ସକାଳେ ଦୁବାଇରୁ ମୁମ୍ବାଇରେ ପହଞ୍ଚିବା ପରେ ମୁଁ ନିଜେ ଯାଞ୍ଚ ପାଇଁ କଷ୍ଟମ କାଉଣ୍ଟରକୁ ଯାଇଥିଲି । ସେ କହିଛନ୍ତି ଯେ, ସୋସିଆଲ ମିଡିଆରେ ମୋ ବିଷୟରେ ମିଥ୍ୟା ଖବର ପ୍ରଚାରିତ ହେଇଛି । ମୁଁ ନିଜେ ବିମାନବନ୍ଦରରେ ଉପସ୍ଥିତ ଥିବା କଷ୍ଟମ ଅଧିକାରୀଙ୍କୁ ସମସ୍ତ ବ୍ୟାଗ ବିଷୟରେ ସୂଚନା ଦେଇଥିଲି । କଷ୍ଟମ ବିଭାଗ ମୋ ଠାରୁ ଡକ୍ୟୁମେଣ୍ଟ ମାଗିଛନ୍ତି । ସେମାନେ ବର୍ତ୍ତମାନ ସମସ୍ତ ପ୍ରକାର କାଗଜପତ୍ର ଯାଞ୍ଚ କରୁଛନ୍ତି । ମୁଁ ସମ୍ପୂର୍ଣ୍ଣ କାଗଜପତ୍ର ଦାଖଲ କରିବାକୁ ପ୍ରସ୍ତୁତ ବୋଲି ସେ କହିଛନ୍ତି । ଏଥିସହ ଘଣ୍ଟାର ମୂଲ୍ୟ ସୋସିଆଲ ମିଡିଆରେ ୫ କୋଟି ବୋଲି କୁହାଯାଇଛି, ଏହା ମଧ୍ୟ ଭୁଲ ଅଟେ । ଏହି ଘଣ୍ଟାର ମୂଲ୍ୟ ୧.୫ କୋଟି ଟଙ୍କା ଅଟେ ।
ସୂଚନାଯୋଗ୍ୟ ଯେ, ଗତକାଲି ଏକ ରିପୋର୍ଟରେ ପ୍ରକାଶ ପାଇଥିଲା ଯେ, ମୁମ୍ବାଇ ବିମାନବନ୍ଦରରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଦୁଇଟି ଘଣ୍ଟାକୁ କଷ୍ଟମ ବିଭାଗ ଜବତ କରିଥିଲା । ଘଣ୍ଟାର ମୂଲ୍ୟ ୫କୋଟି ବୋଲି ପ୍ରକାଶ ପାଇଥିଲା । ଏ ସଂପର୍କରେ ତାଙ୍କ ପାଖରେ କୌଣସି ବିଲ୍ ନଥିଲା ବୋଲି କୁହାଯାଇଥିଲା ।