ନୂଆଦିଲ୍ଲୀ : ପୂର୍ବତନ ଭାରତୀୟ ହକି ଖେଳାଳି ପିଆର ଶ୍ରୀଜେଶଙ୍କୁ ସୋମବାର ପଦ୍ମଭୂଷଣ ପୁରସ୍କାରରେ ସମ୍ମାନିତ କରାଯାଇଛି । ସେହିପରି ପୂର୍ବତନ ଭାରତୀୟ ଦଳର ସ୍ପିନର ରବିଚନ୍ଦ୍ରନ ଅଶ୍ୱିନଙ୍କୁ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରାଯାଇଛି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ଭବନରେ ଏକ ସମାରୋହରେ ଶ୍ରୀଜେଶ ଏବଂ ଅଶ୍ୱିନଙ୍କୁ ସମ୍ମାନିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ଏବଂ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଉପସ୍ଥିତ ଥିଲେ । କ୍ରୀଡ଼ା ପ୍ରତି ଉଲ୍ଲେଖନୀୟ ଅବଦାନ ପାଇଁ ଶ୍ରୀଜେଶ ଏବଂ ଅଶ୍ୱିନଙ୍କୁ ଏହି ସମ୍ମାନ ମିଳିଛି ।
ଗଣତନ୍ତ୍ର ଦିବସର ପୂର୍ବ ସନ୍ଧ୍ୟାରେ କେନ୍ଦ୍ର ସରକାର ୨୦୨୫ ପାଇଁ ପଦ୍ମ ପୁରସ୍କାର ଘୋଷଣା କରିଥିଲେ, ଯେଉଁଥିରେ ଶ୍ରୀଜେଶ ଏବଂ ଅଶ୍ୱିନଙ୍କ ନାମ ସାମିଲ ଥିଲା ।
ଗତବର୍ଷ ଅଷ୍ଟ୍ରେଲିଆ ଗସ୍ତ ସମୟରେ ଅଶ୍ୱିନ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଥିଲେ । ସେ ଭାରତର ସଫଳ ସ୍ପିନରମାନଙ୍କ ମଧ୍ୟରୁ ଜଣେ । ଅଶ୍ୱିନ ଟେଷ୍ଟରେ ଭାରତର ଦ୍ୱିତୀୟ ସବୁଠାରୁ ସଫଳ ବୋଲର ଭାବରେ ତାଙ୍କ କ୍ୟାରିଅର ଶେଷ କରିଥିଲେ । ୧୦୬ ଟେଷ୍ଟ ମ୍ୟାଚ୍ରେ, ଅଶ୍ୱିନ ୫୩୭ ୱିକେଟ୍ ନେଇଥିଲେ ଏବଂ ପୂର୍ବତନ ସ୍ପିନର ଅନିଲ କୁମ୍ବଲେ ତାଙ୍କ ଟେଷ୍ଟ କ୍ୟାରିୟରରେ ୬୧୯ ୱିକେଟ୍ ନେଇ ଥିଲେ । ଅଶ୍ୱିନ ବର୍ତ୍ତମାନ ଆଇପିଏଲ ୨୦୨୫ ରେ ଅଂଶଗ୍ରହଣ କରୁଛନ୍ତି ଏବଂ ଏହି ସିଜିନରେ ଚେନ୍ନାଇ ସୁପର କିଙ୍ଗ୍ସ ପାଇଁ ପ୍ରତିନିଧିତ୍ୱ କରୁଛନ୍ତି ।
