ନୂଆଦିଲ୍ଲୀ : ଭାରତୀୟ ଅଧିନାୟକ ବିରାଟ କୋହଲି ବିଗତ ଦିନର ଏକ ତିକ୍ତ ଅନୁଭୂତି ଏବେ ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ, ଦଳରେ ସ୍ଥାନ ପାଇବା ଏକପ୍ରକାର ନିଶ୍ଚିତ ହୋଇଯାଇଥିଲା । କିନ୍ତୁ ଏଥିପାଇଁ ଲାଞ୍ଚ ଦାବି କରାଯାଇଥିଲା । କିନ୍ତୁ ମୋ ବାପା ଲାଞ୍ଚ ଦେବାକୁ ମନା କରିଦେବାରୁ ମୁଁ ଦଳରେ ସ୍ଥାନ ପାଇପାରି ନଥିଲି ବୋଲି କୋହଲି ପ୍ରକାଶ କରିଛନ୍ତି । ଭାରତୀୟ ଫୁଟବଲ୍ ଟିମ୍ ଅଧିନାୟକ ସୁନୀଲ୍ ଛେତ୍ରୀଙ୍କ ସହ ଇନଷ୍ଟାଗ୍ରାମରେ ଗପସପ କରୁଥିବା ବେଳେ ୩୧-ବର୍ଷୀୟ କୋହଲି ଏହି ଦୁର୍ଭାଗ୍ୟଜନକ ଘଟଣା ବର୍ଣ୍ଣନା କରିଥିଲେ । ସେ କହିଥିଲେ ଯେ, ମୁଁ ସେତେବେଳେ ଭଲ ପ୍ରଦର୍ଶନ କରୁଥିଲେ ମଧ୍ୟ ମୋତେ ଦଳରେ ସାମିଲ୍ କରାଯାଇ ନଥିଲା । ସାମିଲ୍ ହେବା ପାଇଁ ଜଣେ ଅଧିକାରୀ ଲାଞ୍ଚ ଦାବି କରିଥିଲେ । କିନ୍ତୁ ଲାଞ୍ଚ ଦେବାକୁ ବାପା ରୋକ୍ଠୋକ୍ ମନା କରିଦେଇଥିଲେ । ଯାହାଫଳରେ ସମ୍ପୃକ୍ତ ଅଧିକାରୀଜଣକ ନିରାଶ ହୋଇ ଫେରିଥିଲେ ଏବଂ ମୋତେ ଦଳରୁ ବଂଚିତ ହେବାକୁ ପଡ଼ିଥିଲା । ମୋ ରାଜ୍ୟ ଦିଲ୍ଲୀରେ ବେଳେବେଳେ ଏଭଳି ସବୁ ଘଟଣା ଘଟେ, ଯାହା ଆଦୌ ଉଚିତ୍ ନୁହେଁ । ଗୋଟିଏ ପରେ ଚୟନ ପାଇଁ ନିୟମ ରହୁଥିବା ବେଳେ ଅନ୍ୟପଟେ ଏହି ନିୟମକୁ କେତେକ କ୍ଷେତ୍ରରେ ବଳି ପକାଯାଇଥାଏ । କେତେକ ଚୟନ କ୍ଷେତ୍ରରେ ନିୟମକୁ ଆଦୌ ବ୍ୟବହାର କରାନଯାଇ ଅଧିକାରୀଙ୍କ ମନମାନି ଆଧାରରେ ଖେଳାଳିଙ୍କୁ ସ୍ଥାନ ଦିଆଯାଇଥାଏ ବୋଲି କୋହଲି କହିଛନ୍ତି । କୋହଲି ଆଲୋଚନା ବେଳେ କହିଥିଲେ ଯେ, ସେହି ଅଧିକାରୀ ଜଣକ ମୋ ବାପାଙ୍କୁ କହିଥିଲେ ଯେ, ମନୋନୀତ ହେବା ପାଇଁ କୋହଲିଙ୍କର ଯୋଗ୍ୟତା ରହିଛି । ତେବେେ ଦଳରେ ସାମିଲ୍ ହେବା ବିଷୟକୁ ଶତପ୍ରତିଶତ ନିଶ୍ଚୟ କରିବା ପାଇଁ କିଛିଟା ଅଧିକ କାମ କରିବାକୁ ପଡ଼ିବ । ଏହି ଅଧିକ କାମର ଅର୍ଥ ହେଉଛି ଲାଞ୍ଚ । ତେବେ ମୋ ବାପା କହିଥିଲେ ଯେ, ସେ ତାଙ୍କ ଜୀବନରେ କୌଣସି କାର୍ଯ୍ୟ ପାଇଁ କାହା ନିକଟରେ ହାତ ପାତି ନାହାନ୍ତି କି ଲାଞ୍ଚ ଦେଇନାହାନ୍ତି । ତେଣୁ ଏହି କାମ ପାଇଁ ସେ ଲାଞ୍ଚ ଦେବେ ନାହିଁ ବୋଲି ସିଧାସଳଖ ଜଣାଇ ଦେଇଥିଲେ । ଏହାପରେ ଯାହା ହେବା କଥା ତାହା ଘଟିଥିଲା । ଅର୍ଥାତ୍ ମୋତେ ମନୋନୀତ କରାଯାଇନଥିଲା ବୋଲି କୋହଲି କହିଥିଲେ ।