ନୂଆଦିଲ୍ଲୀ : କ୍ରିକେଟ୍ ମ୍ୟାଚ୍ ବେଳେ ବଲ୍ରେ ବ୍ୟବହାର କରାଯାଉଥିବା ଛେପ ଓ ଝାଳ ଉପରେ ଆଇସିସି କ୍ରିକେଟ୍ କମିଟି ଚୂଡ଼ାନ୍ତ ନିଷ୍ପତ୍ତି ନେଇଛି । କମିଟି ବଲରେ ଛେପର ବ୍ୟବହାରକୁ ନିଷିଦ୍ଧ କରିଥିବା ବେଳେ ଝାଳକୁ ଅନୁମତି ପ୍ରଦାନ କରିଛି । ଅନୀଲ୍ କୁମ୍ବଲେଙ୍କ ନେତୃତ୍ୱାଧିନ ଏହି କମିଟି ସୋମବାର ଏଭଳି ନିଷ୍ପତ୍ତି ନେଇଛି । ପୂର୍ବରୁ ଝାଳ ଓ ଛେପର ବ୍ୟବହାରକୁ ନେଇ ବିଚାର ଆଲୋଚନା ହୋଇଥିଲା । କରୋନା ସଂକ୍ରମଣ ଦୃଷ୍ଟିରୁ ଏହାର ବ୍ୟବହାର ଉପରେ ନିଷ୍ପତ୍ତି ନେବାର ଆବଶ୍ୟକତା ଥିଲା । ଲକ୍ଡାଉନ୍ ପରବର୍ତ୍ତୀ ସମୟରେ ଯେଉଁ ଖେଳ ହେବ ସେତେବେଳେ କେତେକ ସତର୍କତା ଅବଲମ୍ବନ ପାଇଁ ଏବେଠାରୁ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ବିଶେଷ କରି କ୍ରିକେଟ୍ ଖେଳକୁ ନେଇ ଏଭଳି ଚର୍ଚ୍ଚା ଚାଲିଛି । ଝାଳ ଓ ଛେପରୁ ଭାଇରସ ସଂକ୍ରମଣର ଆଶଙ୍କା ରହିଛି । ତେଣୁ ଲକ୍ଡାଉନ୍ ପରବର୍ତ୍ତୀ ପ୍ରତିଯୋଗିତା ବେଳେ ବଲରେ ଛେପ ଓ ଝାଳ ବ୍ୟବହାରକୁ ସଂପୂର୍ଣ୍ଣ ଭାବେ ନିଷିଦ୍ଧ କରିବା ଲାଗି ଭାରତର ପୂର୍ବତନ ଚୟନ କମିଟି ମୁଖ୍ୟ ଏମ୍ଏସ୍କେ ପ୍ରସାଦ ଦୃଢ଼ ଯୁକ୍ତି ଓ ଦାବି ବାଢ଼ିଥିଲେ । କିନ୍ତୁ ଗତକାଲିର ବୈଠକରେ ଝାଳକୁ ହଁ କରାଯାଇଥିବା ବେଳେ ଲାଳକୁ ନା କରାଯାଇଛି । ଗତ ସପ୍ତାହ ବୈଠକରେ ପ୍ରସାଦ କହିଥିଲେ ଯେ, ସାଧାରଣତଃ ବଲ୍କୁ ଉଜ୍ଜ୍ୱଳ କରିବା ସହ ଭଲ ଭାବେ ସୁଇଂ କରିବା ପାଇଁ ବୋଲରମାନେ ଝାଳ ଓ ଛେପକୁ ବାରମ୍ବାର ବ୍ୟବହାର କରିଥାନ୍ତି । ତେବେ ବର୍ତ୍ତମାନର ସମୟରେ ଏହାକୁ ବ୍ୟବହାର କରାଯିବା ଅର୍ଥ କରୋନା ରୋଗକୁ ଆମନ୍ତ୍ରଣ କରିବା ।