ଭାରତର ଜିମ୍ବାୱେ ଗସ୍ତ ବାତିଲ୍‌

0 96

ନୂଆଦିଲ୍ଲୀ : କରୋନା ଭାଇରସ ସଂକ୍ରମଣ ଯୋଗୁଁ ଭାରତର ଜିମ୍ବାୱେ ଗସ୍ତକୁ ବିସିସିଆଇ ବାତିଲ୍ କରିଛି । ଆଜି ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି । କରୋନା ସଂକ୍ରମଣ ପାଇଁ କ୍ରିକେଟରମାନଙ୍କର ଟ୍ରେନିଂ କାର୍ଯ୍ୟକ୍ରମ ଆରମ୍ଭ କରିବା ଲାଗି ମଧ୍ୟ ଅନୁମତି ମିଳିନାହିଁ । ଶ୍ରୀଲଙ୍କା କ୍ରିକେଟ୍ ଦିନକ ପୂର୍ବରୁ ଘୋଷଣା କରିଥିଲା ଯେ, ଭାରତର ସୀମିତ ଓଭର ଗସ୍ତ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ରଖାଯାଇଛି । ଏହାପରେ ବିସିସିଆଇ ଏଭଳି ନିଷ୍ପତ୍ତି ନେଇଛି । ଜୁନ୍ କିମ୍ବା ଜୁଲାଇରେ ଶ୍ରୀଲଙ୍କା ଗସ୍ତ କାର୍ଯ୍ୟକ୍ରମ ଥିଲା । କିନ୍ତୁ ବର୍ତ୍ତମାନର ପରିସ୍ଥିତିକୁ ଲକ୍ଷ୍ୟ ରଖି ତାହାକୁ ସ୍ଥଗିତ ରଖାଯାଇଛି । ବିସିସିଆଇର ସମ୍ପାଦକ ଜୟ ଶାହ ଆଜି ଏକ ବିବୃତିରେ କହିଛନ୍ତି ଯେ, ଶ୍ରୀଲଙ୍କା ଓ ଜିମ୍ବାୱେକୁ ଖେଳିବା ପାଇଁ ଭାରତୀୟ କ୍ରିକେଟ୍ ଦଳ ଯିବ ନାହିଁ । ଏବେବି କରୋନା ବିପଦ ରହିଥିବାରୁ ଏଭଳି ପଦକ୍ଷେପ ନିଆଯାଇଛି । ବର୍ତ୍ତମାନ ସମୟରେ ଖେଳ କାର୍ଯ୍ୟକ୍ରମ କରାଗଲେ ସଂକ୍ରମଣର ବିପଦ ଅଧିକ ଗୁରୁତର ହେବ । ବିଶ୍ୱରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଛି । ବିଭିନ୍ନ ଦେଶରେ ଲୋକେ ଏହି ରୋଗରେ ଆକ୍ରାନ୍ତ ହେଉଛନ୍ତି । ତେଣୁ ଏଭଳି ସ୍ଥିତିରେ ବିଦେଶ ଗସ୍ତରେ ଯିବା ଆଦୌ ନିରାପଦ ହେବ ନାହିଁ । ଜୁନ୍ ୨୪ ତାରିଖରେ ଭାରତ ଶ୍ରୀଲଙ୍କା ଗସ୍ତରେ ଯିବାର କାର୍ଯ୍ୟକ୍ରମ ସ୍ଥିର ହୋଇଥିଲା । ସେଠାରେ ଭାରତ ତିନୋଟି ଦିନିକିଆ ଏବଂ ଟି-୨୦ ଖେଳିବାର କାର୍ଯ୍ୟକ୍ରମ ରହିଥିଲା । ଜିମ୍ବାୱେ ଗସ୍ତରେ ମଧ୍ୟ ତିନୋଟି ଦିନିକିଆ ଟୁର୍ଣ୍ଣାମେଣ୍ଟର କାର୍ଯ୍ୟସୂଚୀ ରହିଥିଲା; କିନ୍ତୁ ପରିସ୍ଥିତି ସୁଧୁରୁ ନଥିବାରୁ ଏହି କାର୍ଯ୍ୟକ୍ରମକୁ ବାତିଲ୍ କରାଯାଇଛି । ଆଗାମୀ ସମୟରେ ଯଦି ସ୍ଥିତିରେ ସକରାତ୍ମକ ପରିବର୍ତ୍ତନ ଦେଖାଦିଏ, ତେବେ ଗସ୍ତ ନେଇ ବିଚାର କରାଯିବ । ବର୍ତ୍ତମାନ ସମୟରେ ବିଦେଶ ଗସ୍ତରେ ଯାଇ ବିପଦକୁ ଆମନ୍ତ୍ରଣ କରାଯିବା ଠିକ୍ ହେବ ନାହିଁ ।

hiranchal ad1
Leave A Reply

Your email address will not be published.

17 + 19 =