ଆସନ୍ତାକାଲିଠାରୁ ବୌଦ୍ଧ-କନ୍ଧମାଳରେ ଭଲିବଲ୍‍ ମହାକୁମ୍ଭ

0 203

ଭୁବନେଶ୍ୱର, ୧୦ ।୧୧: କନ୍ଧମାଳ ସଂସଦୀୟ କ୍ଷେତ୍ରର ବୌଦ୍ଧ ଓ କନ୍ଧମାଳ ଜିଲ୍ଲାରେ ୬୯ତମ ରାଜ୍ୟସ୍ତରୀୟ ଭଲିବଲ୍‍ ଚାମ୍ପିଅନସିପ ଆରମ୍ଭ ହେବାକୁ ଯାଉଛି । ଓଡ଼ିଶା ସରକାର, କିଟ୍‍ ଓ କିସ୍‍ର ଆର୍ଥିକ ସହାୟତା, କନ୍ଧମାଳ ସାଂସଦ ତଥା ଭାରତୀୟ ଭଲିବଲ୍‍ ଫେଡେରେସନ୍‍ର ସଭାପତି ଅଚ୍ୟୁତ ସାମନ୍ତଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଦୀର୍ଘ ୬୮ ବର୍ଷ ପରେ ପ୍ରଥମ ଥର ଲାଗି କନ୍ଧମାଳ ସଂସଦୀୟ କ୍ଷେତ୍ରରେ ଏଭଳି ଏକ ଐତିହାସିକ ମହାକୁମ୍ଭ ଅନୁଷ୍ଠିତ ହେବାକୁ ଯାଉଛି । ଓଡ଼ିଶା ଭଲିବଲ୍‍ ଆସୋସିଏସନ୍‍ ଓ ବୌଦ୍ଧ-କନ୍ଧମାଳ ଜିଲ୍ଲା ଆଥଲେଟିକ ଆସୋସିଏସନ୍‍ର ମିଳିତ ଆନୁକୂଲ୍ୟରେ ଏହି ଭଲିବଲ୍‍ ମହାକୁମ୍ଭ ଅନୁଷ୍ଠିତ ହେଉଛି । ନଭେମ୍ବର ୧୧ରୁ ୧୪ତାରିଖ ପର୍ଯ୍ୟନ୍ତ ୪ଦିନ ଧରି ଚାଲିବାକୁ ଥିବା ଏହି ଭଲିବଲ୍‍ ଚାମ୍ପିଅନ୍‍ସିପ (ମହିଳା ଓ ପୁରୁଷ) ଏବଂ ପ୍ରଥମ ଆନ୍ତଃକ୍ଲବ୍‍ ପାରମ୍ପରିକ ଢାବ୍‍ବା ଭଲିବଲ୍‍ ପୁରୁଷ ପ୍ରତିଯୋଗିତା କନ୍ଧମାଳ ଜିଲ୍ଲାର ଫୁଲବାଣୀ, ଟିକାବାଲି, ବାଲିଗୁଡ଼ା ଓ ରାଇକିଆଠାରେ ଅନୁଷ୍ଠିତ ହେବାକୁ ଥିବା ବେଳେ ବୌଦ୍ଧ ଜିଲ୍ଲାର ବୌଦ୍ଧଠାରେ ମ୍ୟାଚ୍‍ସବୁ ଅନୁଷ୍ଠିତ ହେବ ।
ପ୍ରଥମ ଥର ଲାଗି ଏହି ଚାମ୍ପିଅନ୍‍ସିପ୍‍ରେ ଚାମ୍ପିଅନ୍‍, ରନର୍ସଅପ୍‍ ଓ ତୃତୀୟ ବିଜେତା ଦଳକୁ ଆର୍ଥିକ ପୁରସ୍କାର ପ୍ରଦାନ କରାଯିବାର ବ୍ୟବସ୍ଥା କରାଯାଇଛି । ଏହି ଭଲିବଲ୍‍ ମହାକୁମ୍ଭରେ ଓଡ଼ିଶାର ୩୦ଟି ଜିଲ୍ଲା ଓ ରାଜ୍ୟର ୬ଟି ୟୁନିଟ୍‍ରୁ ଉଭୟ ମହିଳା ଓ ପୁରୁଷ ବରିଷ୍ଠ ବର୍ଗର ୭୨ଟିମ୍‍ ଭାଗ ନେଉଥିବା ବେଳେ ୧୫ଶହରୁ ଊଦ୍ଧ୍ୱର୍ ଖେଳାଳି, ୨ଶହ କୋଚ ଓ ଅଫିସିଆଲ୍‍ ଯୋଗଦେବେ । ସେହିପରି ଉଭୟ କନ୍ଧମାଳ ଓ ବୌଦ୍ଧ ଜିଲ୍ଲାର ବଛାବଛା ୨୦ଟି ଢାବ୍‍ବା ଭଲିବଲ୍‍ ଦଳ ଏହି ଚାମ୍ପିଅନ୍‍ସିପ୍‍ରେ ଭାଗନେବେ ।
୧୧ ତାରିଖ ଉଦ୍‍ଘାଟନୀ ଉତ୍ସବରେ ଓଡ଼ିଶାର ଜଙ୍ଗଲ ଓ ପରିବେଶ ତଥା ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ; ପଞ୍ଚାୟତିରାଜ, ଆଇନ୍‍ ତଥା ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା; କ୍ରୀଡ଼ା, ଯୁବସେବା ତଥା ଇଲେକ୍ଟ୍ରୋନିକ୍‍ ଓ ସୂଚନା-ପ୍ରଯୁକ୍ତି ବିଭାଗ ମନ୍ତ୍ରୀ ତୁଷାରକାନ୍ତି ବେହେରା, କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତଙ୍କ ସମେତ କନ୍ଧମାଳ ସଂସଦୀୟ କ୍ଷେତ୍ରର ସମସ୍ତ ବିଧାୟକ, ଜିଲ୍ଲାପ୍ରଶାସନର ବରିଷ୍ଠ ପଦାଧିକାରୀ ଓ ଜିଲ୍ଲା ଆଥଲେଟିକ୍‍ ଆସୋସିଏସନ୍‍ର କର୍ମକର୍ତ୍ତା ପ୍ରମୁଖ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ସୂଚନାଯୋଗ୍ୟ, ଗତବର୍ଷ ଫେବୃଆରୀ ୨୮ରୁ ମାର୍ଚ୍ଚ ୧୫ତାରିଖ ଯାଏ କନ୍ଧମାଳ ଜିଲ୍ଲାରେ ଅନୁରୂପ ଏକ ଭଲିବଲ୍‍ ଟୁର୍ଣ୍ଣାମେଣ୍ଟ କୋଭିଡ୍‍ କଟକଣା ଯୋଗୁଁ ବାତିଲ୍‍ ହୋଇଥିଲା ।

hiranchal ad1
Leave A Reply

Your email address will not be published.

nine − two =