ମୁମ୍ବାଇ : ନ୍ୟୁଜିଲ୍ୟାଣ୍ଡର ଅଧିନାୟକ କେନ୍ ୱିଲିୟମସନ୍ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ସହ ବିତାଇଥିବା କିଛି ମୁହୂର୍ତ୍ତକୁ ଏବେ ଏକ ଦଳଗତ ଆଲୋଚନା ବେଳେ ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ, ଅଧିକାଂଶ ସମୟରେ ମୁଁ ତାଙ୍କର ବ୍ୟାଟିଂକୁ ଅତି ନିକଟରୁ ନିରୀକ୍ଷଣ କରିଥାଏ । ତାଙ୍କ ସହ ଖେଳିବାର ସୁଯୋଗ ପାଇବା ମୋ ପାଇଁ ଏକ ସୌଭାଗ୍ୟ ବୋଲି ମନେ କରେ । ୨୦୦୮ରେ ଅନୁଷ୍ଠିତ ୧୯ ବର୍ଷରୁ କମ୍ ଆଇସିସି ବିଶ୍ୱକପ୍ରେ ମାଲେସିଆରେ ଆମେ ଦୁଇଜଣ ମିଳିତ ହୋଇଥିଲୁ । ସେହି ବିଶ୍ୱକପ୍ ମୋ ପାଇଁ ଏକ ସ୍ମରଣୀୟ ଟୁର୍ଣ୍ଣାମେଣ୍ଟ ଥିଲା । ଭାରତ କପ୍ ଜିତିଥିଲା । ତେବେ ସେହି ପ୍ରତିଯୋଗିତା ବେଳେ କୋହଲିଙ୍କ ସହ ଖେଳିବା ଏବଂ କିଛି ମୁହୂର୍ତ୍ତ ବିତାଇବାର ଯେଉଁ ଅବସର ପାଇଥିଲି, ତାହା ଅତ୍ୟନ୍ତ ଆନନ୍ଦଦାୟକ ବୋଲି ୱିଲିୟମସନ୍ କହିଛନ୍ତି । ଷ୍ଟାର୍ ସ୍ପୋର୍ଟସ୍ର ଏହି କାର୍ଯ୍ୟକ୍ରମରେ ଭାଗ ନେଇ ସେ କହିଛନ୍ତି ଯେ, ଆମେ ପରସ୍ପର ବିପକ୍ଷରେ ସାମ୍ନାସାମ୍ନି ଖେଳିବା ବାସ୍ତବରେ ଅତି ଚମତ୍କାର । ମୋ କ୍ୟାରିୟରରେ ଏହା ଏକ ସବୁଠୁ ମଜାଦାର ଓ ଆନନ୍ଦଦାୟକ ଅବସର । କୋହଲି ବ୍ୟାଟିଂରେ ଯେତିକି ଆଗଉଥିଲେ, ମୁଁ ତାଙ୍କୁ ସେତିକି ନିରୀକ୍ଷଣ ମଧ୍ୟ କରୁଥିଲି । ଉଭୟ ପକ୍ଷର ପ୍ରଦର୍ଶନ ଏବଂ ଆମର ମତ ବିନିମୟ ବେଶ୍ ଆନନ୍ଦଦାୟକ ଓ ନିର୍ବିବାଦୀୟ ଥିଲା । ପଡ଼ିଆରେ କୋହଲି ଆକ୍ରମଣାତ୍ମକ ଥିବା ବେଳେ ପଡ଼ିଆ ବାହାରେ ଆମମାନଙ୍କ ସହିତ ତାଙ୍କର ସଂପର୍କ ଅତି ସ୍ୱାଭାବିକ ଓ ବିନମ୍ର ଥିଲା ବୋଲି ୱିଲିୟମସନ୍ ସ୍ୱୀକାର କରିଛନ୍ତି ।