ନୂଆଦିଲ୍ଲୀ : ଏସିଆ କପ୍ ୨୦୨୨ ର ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି । ଚଳିତ ମାସ ଶେଷରୁ ଆରମ୍ଭ ହେବାକୁ ଥିବା ଏସିଆ କପ୍ର କାର୍ଯ୍ୟସୂଚୀକୁ ଏସୀୟ କ୍ରିକେଟ୍ ପରିଷଦ (ଏସିସି) ର ଅଧ୍ୟକ୍ଷ ଜୟ ଶାହା ଘୋଷଣା କରିଛନ୍ତି । ଜୟ ଶାହା ଟି -୨୦ ଫର୍ମାଟରେ ଆୟୋଜିତ ହେବାକୁ ଥିବା ଏସିଆ କପ୍ ୨୦୨୨ ର କାର୍ଯ୍ୟସୂଚୀ ଘୋଷଣା କରିଛନ୍ତି । ଭାରତୀୟ ଦଳର ପ୍ରଥମ ମ୍ୟାଚ୍ ୨୮ ଅଗଷ୍ଟ ରବିବାର ଦିନ ପାକିସ୍ତାନ ବିପକ୍ଷରେ ରହିଛି ।
ଏସୀୟ କ୍ରିକେଟ୍ ପରିଷଦର ଚେୟାରମ୍ୟାନ୍ ତଥା ବିସିସିଆଇର ସଚିବ ଜୟ ଶାହା ଟ୍ୱିଟ୍ କରି କହିଛନ୍ତି ଯେ ୨୭ ଅଗଷ୍ଟରେ ଏସୀୟ କପ ଆରମ୍ଭ ହେବ ଏବଂ ଫାଇନାଲ୍ ୧୧ ସେପ୍ଟେମ୍ବରରେ ଖେଳାଯିବ । ଏହି ଟୁର୍ନାମେଣ୍ଟରେ ମୋଟ ୬ଟି ଦଳ ଭାଗ ନେବାକୁ ଯାଉଛନ୍ତି ।
ଭାରତ, ପାକିସ୍ଥାନ, ବାଂଲାଦେଶ, ଶ୍ରୀଲଙ୍କା ଏବଂ ଆଫଗାନିସ୍ତାନ ଏବଂ ଏକ ଦଳ ଯୋଗ୍ୟତା ପର୍ଯ୍ୟାୟ ମାଧ୍ୟମରେ ଏସିଆ କପ୍ ୨୦୨୨ ର ଅଂଶ ହେବ । ଏସିଆ କପ୍ ର ଏହି ସିଜନ ଶ୍ରୀଲଙ୍କା କ୍ରିକେଟ୍ ବୋର୍ଡ ଦ୍ୱାରା ଆୟୋଜିତ ହୋଇଛି, କିନ୍ତୁ ଏହି ଟୁର୍ନାମେଣ୍ଟ ୟୁଏଇରେ ଖେଳାଯିବ । ଏସିସି ଏହି ଟୁର୍ନାମେଣ୍ଟ ପାଇଁ ଦୁବାଇ ଏବଂ ଶାରଜାଙ୍କୁ ବାଛିଛି, ଯେଉଁଠାରେ ୧୬ ଦିନ ମଧ୍ୟରେ ଫାଇନାଲ ସମେତ ମୋଟ ୧୩ ଟି ମ୍ୟାଚ୍ ଖେଳାଯିବ ।
ଭାରତୀୟ ଦଳର ମ୍ୟାଚ୍ ବିଷୟରେ କହିବାକୁ ଗଲେ ପ୍ରଥମ ମ୍ୟାଚ୍ ରେ ଟିମ୍ ଇଣ୍ଡିଆ ଅଗଷ୍ଟ ୨୮ ରେ ଦୁବାଇରେ ପାକିସ୍ତାନକୁ ଭେଟିଥିବାବେଳେ ଭାରତର ଦ୍ୱିତୀୟ ମ୍ୟାଚ୍ ଯୋଗ୍ୟତା ଦଳ ସହିତ ହେବ । ଏହି ମ୍ୟାଚ୍ ୩୧ ଅଗଷ୍ଟରେ ଦୁବାଇରେ ଖେଳାଯିବ । ଗ୍ରୁପ୍ ପର୍ଯ୍ୟାୟରେ ଭାରତ କେବଳ ଦୁଇଟି ମ୍ୟାଚ୍ ଖେଳିବ । ଏହି ଦଳରେ ଭାରତ, ପାକିସ୍ତାନ ଏବଂ ଅନ୍ୟ ଏକ ଦଳ ଥିବାବେଳେ ଆଫଗାନିସ୍ତାନ, ବାଂଲାଦେଶ ଏବଂ ଶ୍ରୀଲଙ୍କା ଦ୍ୱିତୀୟ ଗ୍ରୁପରେ ଅଛନ୍ତି ।