ନୂଆଦିଲ୍ଲୀ: ପାକିସ୍ତାନ ବ୍ୟାଟର ବାବର ଆଜମଙ୍କୁ ପ୍ରଶଂସାରେ ପୋତି ପକାଇଛନ୍ତି ଭାରତୀୟ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ । ଏବେ କରାଚୀରେ ଚାଲିଥିବା ପାକିସ୍ତାନ-ଅଷ୍ଟ୍ରେଲିଆ ଦ୍ୱିତୀୟ ଟେଷ୍ଟରେ ଆଜମଙ୍କ ଶତକୀୟ ଇନିଂସ ଅଶ୍ୱିନଙ୍କୁ ବିଶେଷଭାବରେ ପ୍ରଭାବିତ କରିଛି । ଅଷ୍ଟ୍ରେଲିଆ ଘରୋଇ ଦଳ ପାକିସ୍ତାନ ସାମ୍ନାରେ ୫୦୬ ରନର ବିଜୟ ଲକ୍ଷ୍ୟ ରଖିଛି । ଜବାବରେ ପାକିସ୍ତାନ ଚତୁର୍ଥ ଦିନର ଖେଳ ଶେଷ ସୁଦ୍ଧା ୨ ୱିକେଟ୍ ହରାଇ ୧୯୨ ରନ କରିଛି । ଅଧିନାୟକ ବାବର ଆଜମ ଶତକୀୟ ଇନିଂସ ଖେଳି ପାକିସ୍ତାନ ଶିବିରରେ ପ୍ରାଣ ଭରିଛନ୍ତି । ଦଳକୁ ୫୦୬ ରନର ବିଶାଳ ବିଜୟ ଲକ୍ଷ୍ୟକୁ ପିଛା କରିବା ସମୟରେ ଆରମ୍ଭରୁ ଝଟକା ଲାଗିଥିଲା । ଇମାମ ଉଲ ହକ(୧) ଏବଂ ଆଝାର ଅଲ୍ଲୀ(୬) ଆଉଟ୍ ହୋଇଥିଲେ । ଦଳ ୨୧ ରନରେ ୨ ୱିକେଟ୍ ହରାଇ ସଙ୍କଟରେ ପଡିଥିଲା । ଏମିତି ସମୟରେ ଅବଦୁଲ୍ଲା ସଫିକ ଏବଂ ଅଧିନାୟକ ବାବର ଆଜମ ଦଳକୁ ସମ୍ଭାଳିଥିଲେ । ସଫିକ ୭୧ ଏବଂ ବାବର ୧୦୨ ରନ କରି ଅପରାଜିତ ଅଛନ୍ତି । ପଞ୍ଚମ ଦିନରେ ଖେଳ ରୋମାଞ୍ଚକର ହେବାର ସମ୍ଭାବନା ରହିଛି । ପାକିସ୍ତାନକୁ ଜିତିବା ପାଇଁ ଆଉ ୩୧୪ ରନ ଦରକାର ଥିବା ବେଳେ ଅଷ୍ଟ୍ରେଲିଆକୁ ଦକରାର ୮ ୱିକେଟ୍ । ତେବେ ବାବର ଯେମିତି ଲଢୁଆ ବ୍ୟାଟିଂ କରି ପାକିସ୍ତାନ ଇନିଂସରେ ପ୍ରାଣ ଭରିଛନ୍ତି ତାକୁ ବେଶ୍ ପ୍ରଶଂସା କରିଛନ୍ତି ରବିଚନ୍ଦ୍ରନ । ପଞ୍ଚମ ଦିନର ଖେଳ ବେଶ୍ ରୋଚକ ହେବ ବୋଲି ଆଶା କରିଛନ୍ତି ଅଶ୍ୱିନ । ସେ କହିଛନ୍ତି, ବାବର ଆଜମ, ୱେଲ ଡନ, ଏକ ରୋଚକ ଅନ୍ତ ହେବାକୁ ଯାଉଛି । ଚତୁର୍ଥ ଦିନର ଖେଳ ସମାପ୍ତି ପରେ ବାବର ଇନିଂସକୁ ନେଇ କହିଛନ୍ତି, ଏହି ଇନିଂସ ମୋ ପାଇଁ ବହୁତ ଗୁରୁତ୍ୱ ରଖୁଛି ।