ଲିଜେଣ୍ଡ୍‌ସ ଲିଗ୍‌ କ୍ରିକେଟ, ଇଣ୍ଡିଆନ ମହାରାଜା ଦଳର ନେତୃତ୍ୱ ନେବେ ସେହ୍ୱାଗ

0 93

ନୂଆଦିଲ୍ଲୀ : ପୂର୍ବତନ ଓପନର ବିରେନ୍ଦ୍ର ସେହ୍ୱାଗ ଆସନ୍ତାକାଲିଠାରୁ ଆରମ୍ଭ ହେବାକୁ ଥିବା ଲିଜେଣ୍ଡ ଲିଗ୍‌ କ୍ରିକେଟ(ଏଲଏଲସି) ଟି-୨୦ ଟୁର୍ଣ୍ଣାମେଣ୍ଟରେ ଭାରତର ପୂର୍ବତନ ଖେଳାଳିଙ୍କ ଟିମ୍‌ ଇଣ୍ଡିଆନ ମହାରାଜ ଦଳର ନେତୃତ୍ୱ ନେବେ । ସେହ୍ୱାଗ ଭାରତୀୟ ଦଳର ନେତୃତ୍ୱ ନେବା ସହ ଆଇପିଏଲ ଦିଲ୍ଲୀ ଡେୟାରଡେଭିଲ୍ସ ଓ ପଞ୍ଜାବ କିଙ୍ଗ୍‌ସ ଦଳର ମଧ୍ୟ ନେତୃତ୍ୱ ନେଇସାରିଛନ୍ତି । ଏହି ଦଳରେ ମହମ୍ମଦ କୈଫ୍‌ ଉପ ଅଧିନାୟକ ନିଯୁକ୍ତ ହୋଇଛନ୍ତି । ଅଷ୍ଟ୍ରେଲିଆର ବିଶ୍ୱକପ ବିଜେତା କୋଚ୍‌ ଜାନ୍‌ ବୁକାନନ କୋଚ୍‌ ଭୂମିକା ନିଭାଇବେ ।
ସେହିପରି ପାକିସ୍ତାନର ପୂର୍ବତନ ଅଧିନାୟକ ମିସିବା ଉଲ ହକ୍‌ ଏସିଆ ଲାୟନ୍ସ ଦଳର ନେତୃତ୍ୱ ନେବେ । ଏହି ଟିମରେ ପାକିସ୍ତାନ, ବାଂଲାଦେଶ ଓ ଆଫଗାନିସ୍ତାନର ପୂର୍ବତନ ଖେଳାଳିମାନେ ସାମିଲ ହୋଇଛନ୍ତି । ଟିମରେ ଶାହିଦ ଆଫ୍ରିଦୀ, ସୋଏବ ଅଖତର, ମହମ୍ମଦ ହାଫିଜ, ଓମର ଗୁଲ, ସନଥ ଜୟସୂର୍ଯ୍ୟ, ତିଲକରତ୍ନ ଦିଲସାନ, ଚାମିଣ୍ଡା ଭାସ ଓ ହବିବୁଲ ବଶରଙ୍କ ଭଳି ଖେଳି ଅଛନ୍ତି । ଏସିଆ ଲାୟନ୍ସ ଦଳରେ ଦିଲସାନ ଉପ ଅଧିନାୟକ ରହିଥିବା ବେଳେ ଅର୍ଜୁନ ରଣତୁଙ୍ଗା କୋଚ ଦାୟିତ୍ୱ ନିଭାଇବେ ।
ଟୁର୍ଣ୍ଣାମେଣ୍ଟର ତୃତୀୟ ଦଳ ୱାର୍ଡ ଜଏଣ୍ଟସର ନେତୃତ୍ୱ ୱେଷ୍ଟିଇଣ୍ଡିଜ ଦଳର ପୂର୍ବତନ ଅଧିନାୟକ ଡେରେନ ସାମି ନେବେ । ଏହି ଟିମରେ ନ୍ୟୁଜିଲାଣ୍ଡର ପୂର୍ବତନ ଅଧିନାୟକ ଡେନିଏଲ ଭିକ୍ଟୋରି, ବ୍ରେଟ ଲି, କେଭିନ ପିଟରସନ, ଇମ୍ରାନ୍‌ ତାହିରଙ୍କ ଭଳି ଖେଳାଳି ଅଛନ୍ତି । ଦକ୍ଷିଣ ଆଫ୍ରିକାର ପୂର୍ବତନ ବ୍ୟାଟ୍ସମ୍ୟାନ ଜୋଣ୍ଟି ରୋଡ୍ସ ଦଳର ଖେଳାଳି ସହ ମେଣ୍ଟର ଦାୟିତ୍ୱ ନିଭାଇବେ । ଆସନ୍ତାକାଲିଠାରୁ ଏହି ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବ । ପ୍ରଥମ ମ୍ୟାଚରେ ଇଣ୍ଡିଆନ ମହାରାଜା ଓ ଏସିଆ ଲାୟନ୍ସ ମଧ୍ୟରେ ମୁକାବିଲା ହେବ । ଏହାର ଫାଇନାଲ ମ୍ୟାଚ୍‌ ଆସନ୍ତା ୨୯ ତାରିଖ ଦିନ ଅନୁଷ୍ଠିତ ହେବ ।

hiranchal ad1
Leave A Reply

Your email address will not be published.

one × four =