ଚାପରେ ଶ୍ରୀଲଙ୍କା : ଜିତିବା ପାଇଁ ବଡ଼ ଟାର୍ଗେଟ ଦେଲା ଭାରତ

0 49

ବେଙ୍ଗାଲୁରୁ,୧୩/୩ : ଭାରତ-ଶ୍ରୀଲଙ୍କା ଦ୍ୱିତୀୟ ଟେଷ୍ଟର ଆଜି ଦ୍ୱିତୀୟ ଦିବସ ବେଶ୍‌ ରୋମାଞ୍ଚକର ଥିଲା । ପ୍ରଥମ ଇନିଂସ୍‌ରେ ମାତ୍ର ୧୦୯ ରନ୍‌ରେ ଅଲ୍‌ଆଉଟ୍‌ ହୋଇଯାଇଥିବା ଶ୍ରୀଲଙ୍କାକୁ ୪୪୭ ରନ୍‌ର ବିଜୟ ଲକ୍ଷ୍ୟ ଦେଇଛି ଭାରତ । ଦ୍ୱିତୀୟ ଦିନର ଷ୍ଟମ୍ପ ଅପସାରଣ ସୁଦ୍ଧା ଅତିଥି ଦଳ ୨୮ ରନ୍‌ କରି ଗୋଟିଏ ୱିକେଟ୍‌ ହରାଇ ଦେଇଛି । ଶ୍ରୀଲଙ୍କାକୁ ୧୦୯ ରନ୍‌ରେ ଆଜି ଅଲ୍‌ଆଉଟ୍‌ କରିବା ପରେ ଦ୍ୱିତୀୟ ଇନିଂସ ଆରମ୍ଭ କରିଥିଲା ଭାରତ । ପ୍ରଥମ ଇନିଂସ ଅପେକ୍ଷା ଏହି ଇନିଂସ୍‌ରେ ସମସ୍ତେ ଆଉ ଟିକେ ଅଧିକ ଦାୟିତ୍ୱର ସହିତ ଖେଳିଥିଲେ । ଯଦିଓ କେହି ବହୁତ ବଡ ସ୍କୋର କରିବାକୁ ସକ୍ଷମ ହୋଇ ନଥିଲେ । ମୟଙ୍କ ଅଗ୍ରୱାଲ ଓ ରୋହିତ ଶର୍ମା ଏହି ଇନିଂସରେ ଅଧିକ ସମୟ କ୍ରିଜ୍‌ରେ ରହିଥିଲେ । ମୟଙ୍କ ୩୪ଟି ବଲ୍‌ର ସମ୍ମୁଖୀନ ହୋଇ ୨୨ ରନ୍‌ କରିଥିବା ବେଳେ ଲସିଥ ଏମ୍ବୁଲଡେନିୟାଙ୍କ ବଲ୍‌ରେ ଧନଞ୍ଜୟ ଡି’ସିଲ୍‌ଭାଙ୍କ ଦ୍ୱାରା କ୍ୟାଚ୍‌ ଆଉଟ୍‌ ହୋଇଥିଲେ । ରୋହିତ ଶର୍ମା ଅଳ୍ପକେ ଅର୍ଦ୍ଧଶତକରୁ ବଞ୍ଚିତ ହୋଇଥିଲେ । ୭୯ ବଲ୍‌ରୁ ୪ ଚୌକା ସହାୟତାରେ ୪୬ ରନ୍‌ କରିଥିବା ବେଳେ ଧନଞ୍ଜୟ ଡି’ସିଲ୍‌ଭାଙ୍କ ବଲ୍‌ରେ ଆଞ୍ଜେଲୋ ମାଥ୍ୟୁସଙ୍କ ଦ୍ୱାରା କ୍ୟାଚ୍‌ ଆଉଟ୍‌ ହୋଇଥିଲେ । ହନୁମା ବିହାରୀ ମଧ୍ୟ ପ୍ରଥମ ଇନିଂସ ଅପେକ୍ଷା ଆଜି ଭଲ ଖେଳିଥିଲେ । ଅଧିକ ସମୟ କ୍ରିଜ୍‌ରେ ରହିଥିଲେ । ୭୯ଟି ବଲ୍‌ ଖେଳି ୩୫ ରନ୍‌ କରିଥିଲେ । ତା’ ମଧ୍ୟରେ ୪ଟି ଚୌକା ଥିଲା । ତାଙ୍କୁ ପ୍ରବୀଣ ଜୟବିକ୍ରମା ବୋଲ୍ଡ କରି ଦେଇଥିଲେ । ପୂର୍ବତନ ଅଧିନାୟକ ବିରାଟ କୋହଲି ଆଜି ସବୁଠୁ ଖରାପ ଖେଳିଲେ । ପ୍ରଥମ ଇନିଂସରେ ୨୩ ରନ୍‌ କରିଥିବା ବିରାଟ ଆଜି ୧୬ଟି ବଲ୍‌ରେ ୧୩ ରନ୍‌ କରିଥିବା ବେଳେ ପ୍ରବୀଣ ଜୟବିକ୍ରମାଙ୍କ ଦ୍ୱାରା ଏଲ୍‌ବିଡବ୍ଲ୍ୟୁ ହୋଇଥିଲେ । ପ୍ରଥମ ଇନିଂସ୍‌?ରେ ୨୬ଟି ବଲ୍‌ରୁ ୩୯ ରନ୍‌ କରିଥିବା ୱିକେଟ୍‌ କିପର ଋଷଭ ପନ୍ତ ଦ୍ୱିତୀୟ ଇନିଂସରେ ୩୧ଟି ବଲ୍‌ରୁ ୫୦ ରନ୍‌ କରିଥିବା ବେଳେ ଆଉଟ୍‌ ହୋଇଥିଲେ । ସେ ୨୮ଟି ବଲ୍‌ରୁ ଅର୍ଦ୍ଧଶତକ ହାସଲ କରି କପିଲ ଦେବଙ୍କ ନାଁରେ ଥିବା ୪୦ ବର୍ଷର ରେକର୍ଡକୁ ଭାଙ୍ଗିଥିଲେ । ଟେଷ୍ଟରେ ଭାରତୀୟ ଭାବେ କପିଲ ୩୦ଟି ବଲ୍‌ରୁ ଦ୍ରୁତ ଅର୍ଦ୍ଧଶତକ ହାସଲ କରିଥିଲେ । ସେହିଭଳି ପ୍ରଥମ ଇନିଂସରେ ଦମଦାର ପ୍ରଦର୍ଶନ କରି ୯୨ ରନ୍‌ କରିଥିବା ଶ୍ରେୟସ ଆୟର ଦ୍ୱିତୀୟ ଇନିଂସରେ ବି ଶତକ ଆଡକୁ ଆଗେଇ ଚାଲିଥିବା ବେଳେ ଆଉଟ୍‌ ହୋଇଯାଇଥିଲେ । ସେ ୮୭ଟି ବଲ୍‌ରୁ ୬୭ ରନ୍‌ କରିଥିବା ବେଳେ ଲସିଥ ଏମ୍ବୁଲଡେନିୟାଙ୍କ ଦ୍ୱାରା ଏଲ୍‌ବିଡବ୍ଲ୍ୟୁ ହୋଇଥିଲେ । ତାଙ୍କର ୬୭ ରନ୍‌ ମଧ୍ୟରେ ୯ଟି ଚୌକା ଅଛି । ଅନ୍ୟମାନଙ୍କ ମଧ୍ୟରେ ରବୀନ୍ଦ୍ର ଜାଡେଜା ୨୨, ରବିଚନ୍ଦ୍ରନ ଅଶ୍ୱିନ ୧୩ ଓ ଅକ୍ଷର ପଟେଲ ୯ ରନ୍‌ କରିଥିଲେ । ଦଳ ଦ୍ୱିତୀୟ ଇନିଂସ୍‌ରେ ୯ ୱିକେଟ୍‌ ହରାଇ ୩୦୩ ରନ୍‌ କରିଥିବା ବେଳେ ପାଳି ଘୋଷଣା କରିଥିଲା । ଏହା ସହିତ ଦଳ ଶ୍ରୀଲଙ୍କାକୁ ୪୪୭ ରନ୍‌ ବିଜୟ ଲକ୍ଷ୍ୟ ଦେଇଛି । ଶ୍ରୀଲଙ୍କା ପକ୍ଷରୁ ଦ୍ୱିତୀୟ ଇନିଂସରେ ପ୍ରବୀଣ ଜୟବିକ୍ରମା ସର୍ବାଧିକ ୪ଟି ୱିକେଟ୍‌ ନେଇଥିବା ବେଳେ ଲସିଥ ଏମ୍ବୁଲଡେନିୟା ୩ଟି ୱିକେଟ୍‌ ନେଇଛନ୍ତି । ବିଶ୍ୱ ଫର୍ଣ୍ଣାଡୋ ଓ ଧନଞ୍ଜୟ ଡି’ସିଲ୍‌ଭା ଗୋଟିଏ ଲେଖାଏଁ ୱିକେଟ୍‌ ନେଇଛନ୍ତି । ଖେଳ ଏବେ ଯେଭଳି ସ୍ଥିତିରେ ରହିଛି,ଏହା ଆସନ୍ତାକାଲି ଶେଷ ହୋଇଯାଇପାରେ ବୋଲି ଅନୁମାନ କରାଯାଉଛି ।

hiranchal ad1
Leave A Reply

Your email address will not be published.

3 − one =