ପ୍ରଥମ ଦିନର ଖେଳ ଶେଷ : ରାହୁଲଙ୍କ ଶତକ, ଭାରତ ୨୭୨/୩

0 99

ସେଞ୍ଚୁରିଆନ : ସେଞ୍ଚୁରିଆନର ସୁପରସ୍ପୋର୍ଟ ପାର୍କ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଉଥିବା ସିରିଜର ପ୍ରଥମ ଟେଷ୍ଟର ପ୍ରଥମ ଦିନ ଭାରତର ନାମରେ ରହିଛି । କେଏଲ ରାହୁଲଙ୍କ ଅପରାଜିତ ଶତକ ବଳରେ ଦଳ ପ୍ରଥମ ଦିନ ଶେଷ ସୁଦ୍ଧା ୨୭୨/୩ରେ ପହଞ୍ଚିଛି । ଭାରତର ଅଧିନାୟକ ବିରାଟ କୋହଲି ଆଜି ଟସ୍‌ ଜିଣି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ଭାରତ ଦୁଇ ଓପନର କେଏଲ ରାହୁଲ ଓ ମୟଙ୍କ ଅଗ୍ରୱାଲ ପ୍ରଥମରୁ ଦକ୍ଷିଣ ଆଫ୍ରିକାର ପେସରଙ୍କୁ ଉତ୍ତମ ମୁକାବିଲା କରି ୧୦୦ରନର ଭାଗିଦାରୀ କରିଥିଲେ । ଭାରତର ପ୍ରଥମ ଉଇକେଟ ମୟଙ୍କ ଅଗ୍ରୱାଲଙ୍କ ରୂପରେ ୧୧୭ରେ ପତନ ହୋଇଥିଲା । ମୟଙ୍କ ୧୨୩ ବଲରେ ୬୦ ରନ କରିଥିଲେ । ଏହାପରେ ଅଭିଜ୍ଞ ବ୍ୟାଟ୍ସମ୍ୟାନ ଚେତେଶ୍ୱର ପୂଜାରା ବ୍ୟାଟିଂ କରିବାକୁ ଆସିଥିଲେ । ସେ ପ୍ରଥମ ବଲରେ ହିଁ ଆଉଟ୍‌ ହୋଇଥିଲେ । ପରେ ଦଳର ଅଧିନାୟକ ବିରାଟ କୋହଲି ଆସି କେଏଲ ରାହୁଲ ସହ ଯୋଡି ଦଳୀୟ ସ୍କୋରକୁ ୨୦୦ ଅତିକ୍ରମ କରାଇଥିଲେ । କିନ୍ତୁ ଦୁର୍ଭାଗ୍ୟଜନକ ଭାବେ ଅଧିନାୟକ କୋହଲି ୯୪ ବଲରେ ୩୫ କରି ଏନଗିଡିଙ୍କ ଶିକାର ହୋଇଥିଲା । ଏନଗିଡି ପୂର୍ବରୁ ଲଗାତାର ଦୁଇଟି ବଲରେ ମୟଙ୍କ ଓ ଚେତେଶ୍ୱର ପୂଜାରାଙ୍କୁ ଆଉଟ କରିଥିଲେ । ଫର୍ମ ସହ ସଂଘର୍ଷ କରୁଥିବା ଆଜିଙ୍କ୍ୟ ରାହାଣେ ପଞ୍ଚମ ନମ୍ବରରେ ବ୍ୟାଟିଂ କରିବାକୁ ଆସିଥିଲେ । ସେ ରାହୁଲଙ୍କ ସହ ଯୋଗ ଦେଇ ଭାରତୀୟ ସ୍କୋରକୁ ଆଗେଇ ନେଇଥିଲେ । ଏହି କ୍ରମରେ ଓପନର କେଏଲ ରାହୁଲ ନିଜର ଶତକ ପୂରଣ କରିଥିଲେ । ଖେଳ ଶେଷ ସୁଦ୍ଧା ଉଭୟ ବ୍ୟାଟ୍ସମ୍ୟାନ ଅପରାଜିତ ରହିଥିଲେ । କେଏଲ ରାହୁଲ ୧୨୨ କରିଥିବା ବେଳେ ରାହାଣେ ୪୦ କରି ଅପରାଜିତ ଅଛନ୍ତି । ବୋଲିଂ ଦକ୍ଷିଣ ଆଫ୍ରିକା ପକ୍ଷରୁ ଭାରତର ସମସ୍ତ ତିନୋଟି ଉଇକେଟ ଏନଗିଡିଙ୍କ ନାମରେ ରହିଛି ।

hiranchal ad1
Leave A Reply

Your email address will not be published.

20 + eleven =