ଭୁବନେଶ୍ୱର : ଚଳିତ ଟୋକିଓ ପାରାଲିମ୍ପିକ୍ସରେ ଇତିହାସ ରଚିଲେ ଓଡ଼ିଆ ପୁଅ ପ୍ରମୋଦ ଭଗତ। ବ୍ୟାଡ୍ମିଣ୍ଟନ ପୁରୁଷ ଏକକ ବର୍ଗରେ ସେ ଜିତିଛନ୍ତି ସ୍ୱର୍ଣ୍ଣ ପଦକ। ଏହା ସହିତ ପ୍ରଥମ ଭାରତୀୟ ଭାବେ ସେ ପାରାଲିମ୍ପିକ୍ସରେ ବ୍ୟାଡ୍ମିଣ୍ଟନରେ ସ୍ୱର୍ଣ୍ଣ ଜିତିଛନ୍ତି। ଅଲିମ୍ପିକ୍ସରେ ମଧ୍ୟ କୌଣସି ଭାରତୀୟ ଏ ପର୍ଯ୍ୟନ୍ତ ବ୍ୟାଡ୍ ମିଣ୍ଟନରେ ସ୍ୱର୍ଣ୍ଣ ପଦକ ଜିତି ନାହାନ୍ତି। ସେହି ଅଭାବକୁ ଆଜି ପ୍ରମୋଦ ପୂରଣ କରି ଦେଇଛନ୍ତି। ସେ ତାଙ୍କର ବିଶ୍ୱର ୧ ନମ୍ବର ଖେଳାଳି ମାନ୍ୟତାକୁ ବି ବଜାୟ ରଖିଛନ୍ତି।

ବିଶ୍ୱର ୧ ନମ୍ବର ଖେଳାଳି ପ୍ରମୋଦ ଫାଇନାଲରେ ବ୍ରିଟେନ୍ର ଡାନିଏଲ ବେଥେଲଙ୍କୁ ୨୧-୧୪, ୨୧-୧୭ ଗେମ୍ରେ ହରାଇଛନ୍ତି। ୪୫ ମିନିଟ୍ ଧରି ଏହି ଖେଳ ଚାଲିଥିଲା। ପ୍ରଥମ ଗେମ୍ରେ ଆଗୁଆ ରହିବା ପରେ ୨ୟ ଗେମ୍ରେ ବି ପ୍ରମୋଦ ନିଜ ଦବଦବା ବଜାୟ ରଖି ଏହି ସଫଳତା ହାସଲ କରିଛନ୍ତି। ପ୍ରମୋଦ ସ୍ୱର୍ଣ୍ଣ ଜିତିବା ସହିତ ଟୋକିଓ ଅଲିମ୍ପିକ୍ସରେ ଭାରତ ପଦକ ସଂଖ୍ୟା ୧୭କୁ ବୃଦ୍ଧି ପାଇଛି।
