ନୂଆଦିଲ୍ଲୀ-ଆଇପିଏଲ ମଝିରେ ଭାରତର ମିଡିଲ ଅର୍ଡର ବ୍ୟାଟର ଶ୍ରେୟସ ଆୟରଙ୍କୁ ମିଳିଛି ବଡ ପୁରସ୍କାର । ତାଙ୍କୁ ମାର୍ଚ୍ଚ ମାସ ପାଇଁ ଆଇସିସିର ପ୍ଲେୟାର ଅଫ୍ ଦ ମନ୍ଥ ଆୱାର୍ଡ ମିଳିଛି । ମଙ୍ଗଳବାର ଏହି ଘୋଷଣା କରିଛି ଆଇସିସି । ଆୟରଙ୍କୁ ଏହି ପୁରସ୍କାର ଜିତିବା ପାଇଁ ନ୍ୟୁଜିଲାଣ୍ଡର ଜୈକବ ଓ ରଚିନ ରବିନ୍ଦ୍ରଙ୍କୁ କଡା ଟକ୍କର ଦେବାକୁ ପଡିଥିଲା । ଆୟର ଚାମ୍ପିଆନ୍ସ ଟ୍ରଫିରେ ଭାରତ ପାଇଁ ସର୍ବାଧିକ ରନ କରିଥିଲେ । ସେ ଏହି ଟୁର୍ଣ୍ଣାମେଣ୍ଟରେ ୨୪୩ରନ କରିଥିଲେ । ଏଥିରେ ଦୁଇଟି ଅର୍ଦ୍ଧଶତକ ଥିଲା । ଏହି ପୁରସ୍କାର ଜିତିବା ପରେ ଶ୍ରେୟସ କହିଛନ୍ତି ଯେ, ଏହି ଆୱର୍ଡ ମୋ ପାଇଁ ଗର୍ବର ବିଷୟ । ଚାମ୍ପିଆନ୍ସ ଟ୍ରଫି ଉଠାଇବା ସମୟ ମୋ ପାଇଁ ସବୁଦିନ ପାଇଁ ଚିରୋସ୍ମରଣୀୟ ହୋଇ ରହିବ ।ଶ୍ରେୟସ ଆୟରଙ୍କ ପୂର୍ବରୁ ଭାରତୀୟ ଓପନର ଶୁବମାନ ଗିଲ ମଧ୍ୟ ଫେବୃଆରୀ ମାସ ଏହି ପୁରସ୍କାର ଜିତିଥିଲେ । ଲଗାତାର ଭାବେ ଭାରତୀୟ ଖେଳାଳି ଏହି ପୁରସ୍କାର ଜିତିବାର ରେକର୍ଡ କରିଛନ୍ତି ।
ଆୟର ଚାମ୍ପିଅନ୍ସ ଟ୍ରଫି ଲିଗ୍ ମ୍ୟାଚରେ ନ୍ୟୁଜିଲାଣ୍ଡ ବିପକ୍ଷରେ ୯୮ବଲରେ ୭୯ ରନ କରିଥିବା ବେଳେ ଅଷ୍ଟ୍ରେଲିଆ ବିପକ୍ଷ ସେମିଫାଇନାଲ ମ୍ୟାଚରେ ୬୨ବଲରେ ୪୫ରନର ଗୁୁରୁତ୍ୱପୂର୍ଣ୍ଣ ଇନିଂସ ଖେଳିଥିଲେ । ସେହିପରି ଫାଇନାଲ ମ୍ୟାଚରେ ୬୨ ବଲରେ ୪୮ରନ କରି ଭାରତର ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।
ବର୍ତ୍ତମାନ ଶ୍ରେୟସ ଆୟର ଆଇପିଏଲରେ ପଞ୍ଜାବ କିଙ୍ଗ୍ସ ଦଳର ନେତୃତ୍ୱ ନେଇଛନ୍ତି । ତାଙ୍କ ଦଳ ଏବେ ଆଇପିଏଲରେ ଏପର୍ଯ୍ୟନ୍ତ ଚମତ୍କାର ପ୍ରଦର୍ଶନ କରିଛି । ସେ ମଧ୍ୟ ଫର୍ମରେ ଥିବା ଜଣାପଡିଛି ।
