ଦିନିକିଆ ସିରିଜ ପୋଛିନେଲା ଦକ୍ଷିଣ ଆଫ୍ରିକା

0 79

କେପ୍‌ ଟାଉନ୍‌ : ଘରୋଇ ଦଳ ଦକ୍ଷିଣ ଆଫ୍ରିକା ନିଜ ମାଟିରେ ହାସଲ କରିଛି ଡବଲ ସିରିଜ ବିଜୟ । ପୂର୍ବରୁ ଟେଷ୍ଟ ସିରିଜ ଜିତିଥିଲା,ଏବେ ଦିନିକିଆ ସିରିଜ ମଧ୍ୟ ଜିତିଛି,ତାହା ପୁଣି କ୍ଲିନ ସୁଇପ । ଭାରତ ବିପକ୍ଷ ଦିନିକିଆ ସିରିଜକୁ ଦଳ ୩-୦ ରେ ପୋଛିନେଇଛି । ଆଜି ଅନୁଷ୍ଠିତ ତୃତୀୟ ତଥା ଶେଷ ଦିନିକିଆରେ ଭାରତ ୪ ରନରେ ହାରିଯାଇଛି । ଶିଖର ଧୱନ,ବିରାଟ କୋହଲି ଓ ଦୀପକ ଚହର ତିନି ତିନି ଜଣଙ୍କ ବିସ୍ଫୋରକ ଅର୍ଦ୍ଧ-ଶତକ ବେକାର ଯାଇଛି । ଏଥିସହିତ ଭାରତର ଦକ୍ଷିଣ ଆଫ୍ରିକା ଗସ୍ତ ଶେଷ ହୋଇଛି । କେପ୍‌ ଟାଉନରେ ଖେଳାଯାଇଥିବା ଏହି ମ୍ୟାଚରେ କ୍ୱିଣ୍ଟନ୍‌ ଡି’କକଙ୍କ ଶତକ ବଳରେ ଦକ୍ଷିଣ ଆଫ୍ରିକା ପ୍ରଥମେ ବ୍ୟାଟିଂ କରି ୪୯.୫ ଓଭରରେ ୨୮୭ ରନ୍‌ କରି ଅଲଆଉଟ୍‌ ହୋଇଥିଲା । ଜବାବରେ ଭାରତ ୪୯.୨ ଓଭରରେ ସମସ୍ତ ୱିକେଟ୍‌ ହରାଇ ୨୮୩ କରିଥିଲା । ଏଥିସହ ବିଜୟରୁ ଅଭିଯାନ ଆରମ୍ଭ କରିଥିବା ଟିମ୍‌ ଇଣ୍ଡିଆ ପରାଜୟ ସହ ଦକ୍ଷିଣ ଆଫ୍ରିକା ଗସ୍ତ ଶେଷ କରିଛି । ୨୮୮ ରନର ଟାର୍ଗେଟର ପିଛା କରୁଥିବା ଭାରତକୁ ପ୍ରାରମ୍ଭିକ ଝଟକା ଲାଗିଥିଲା । କ୍ୟାପଟେନ୍‌ ଲୋକେଶ ରାହୁଲ୍‌ (୯) ପୁଣିଥରେ ନିରାଶ କରିଥିଲେ । ଶିଖର ଧୱନ୍‌ ଓ ପୂର୍ବତନ କ୍ୟାପଟେନ୍‌ ବିରାଟ୍‌ କୋହଲି ଅଭିଜ୍ଞତାର ଭରପୂର ଫାଇଦା ଉଠାଇ ଭାରତକୁ ଭଲ ସ୍ଥିତିରେ ପହଞ୍ଚାଇଥିଲେ । ହେଲେ ଏହି ଯୋଡିକୁ ଭାଙ୍ଗିଥିଲେ ଆଣ୍ଡିଲେ ଫେଲୁକୱାୟୋ । ଧୱନ୍‌ ୬୧ (୭୩ ବଲ୍‌, ୫ ଚୌକା, ୧ ଛକା) ରନ୍‌ କରି ଆଉଟ୍‌ ହୋଇଥିଲେ । ତାଙ୍କ ସ୍ଥାନ ପୂରଣ କରିବାକୁ ଆସିଥିବା ଋଷଭ ପନ୍ତ ଖାତା ଖୋଲିପାରିନଥିଲେ । କୋହଲି ନିଜର ଅର୍ଦ୍ଧଶତକ ପୂରଣ କରି ଶତକ ଆଡକୁ ଅଗ୍ରସର ହେଉଥିଲେ । କିନ୍ତୁ ପୂର୍ବ ମ୍ୟାଚ୍‌ ଭଳି ପୁଣିଥରେ ଖରାପ ଶଟ୍‌ ଖେଳି କୋହଲି ନିଜ ୱିକେଟ୍‌ ଦେଇ ବସିଥିଲେ । ସେ ୬୫ (୮୪ ବଲ୍‌, ୫ ଚୌକା) ରନ୍‌ କରି କେଶବ ମହାରାଜଙ୍କ ଶିକାର ହୋଇଥିଲେ । ଶ୍ରେୟର୍‌ ଆୟର୍‌ (୨୬) ପୁଣିଥରେ ସୁଯୋଗର ଫାଇଦା ଉଠାଇବାରେ ବିଫଳ ହୋଇଥିଲେ । ସିରିଜରେ ପ୍ରଥମଥର ସୁଯୋଗ ପାଇଥିବା ସୂର୍ଯ୍ୟକୁମାର ଯାଦବ ଚିରାଚରିତ ଢଙ୍ଗରେ ବ୍ୟାଟିଂ କରିଥିଲେ । କିନ୍ତୁ ଠିକଣା ସମୟରେ ସେ ନିଜ ୱିକେଟ୍‌ ହରାଇ ବସିଥିଲେ । ସୂର୍ଯ୍ୟକୁମାର ୩୨ ବଲରେ ୪ ଚୌକା ଓ ୧ ଛକା ସହ ୩୯ ରନ୍‌ କରି ଡେନ୍‌ ପ୍ରିଟୋରିୟସଙ୍କ ବଲରେ ଆଉଟ୍‌ ହୋଇଥିଲେ । ଜୟନ୍ତ ଯାଦବ (୨) ମଧ୍ୟ ବେଶୀ ସମୟ କ୍ରିଜରେ ତିଷ୍ଠିପାରିନଥିଲେ । ୨୨୩ ରନରେ ୭ ୱିକେଟ୍‌ ହରାଇ ଭାରତ ନିଶ୍ଚିତ ପରାଜୟ ଦ୍ୱାରରେ ପହଞ୍ଚିଥିବା ବେଳେ ଦୀପକ ଚହର୍‌ ଦେଖାଇଥିଲେ ଦମ୍‌ । ସେ ପରିସ୍ଥିତି ବିପରିତ ବ୍ୟାଟିଂ କରି ଦକ୍ଷିଣ ଆଫ୍ରିକା ବୋଲରଙ୍କୁ ନିର୍ଧୁମ ଧୂଲେଇ କରିଥିଲେ । ତାଙ୍କୁ ସାଥ୍‌ ଦେଇଥିଲେ ଯଶପ୍ରୀତ ବୁମ୍ରା । ଦୁହେଁ ଅଷ୍ଟମ ୱିକେଟ୍‌ ପାଇଁ ୫୫ ରନର ମହତ୍ୱପୂର୍ଣ୍ଣ ଭାଗିଦାରୀ କରିଥିଲେ । ଚହର୍‌ ୩୪ ବଲରେ ୫ ଚୌକା ଓ ୨ ଛକା ସହ ୫୪ ରନ୍‌ କରି ଆଉଟ୍‌ ହୋଇଥିଲେ । ବୁମ୍ରା ୧୨ ଓ ଚହଲ୍‌ ୨ ରନ୍‌ କରି ପ୍ୟାଭିଲିୟନ ଫେରିଥିବା ବେଳେ ପ୍ରସିଦ୍ଧ କ୍ରିଷ୍ଣା ୨ ରନ୍‌ କରି ଅପରାଜିତ ଥିଲେ । ଦକ୍ଷିଣ ଆଫ୍ରିକା ପକ୍ଷରୁ ଲୁଙ୍ଗି ଏନଗିଡି ଓ ଫେଲୁକୱାୟୋ ୩ଟି ଲେଖାଏ ୱିକେଟ୍‌ ହାସଲ କରିଥିଲେ ।

hiranchal ad1
Leave A Reply

Your email address will not be published.

4 × one =