ଟି-୨୦ ବିଶ୍ୱକପ : ବିପର୍ଯ୍ୟୟ ଘଟାଇଲା ନାମିବିଆ, ଶ୍ରୀଲଙ୍କାକୁ ୫୫ ରନରେ ହରାଇଲା

0 109

ନୂଆଦିଲ୍ଲୀ : ଆଇସିସି ପୁରୁଷ ଟି -୨୦ ବିଶ୍ୱକପ ୨୦୨୨ ର ଉଦଘାଟନୀ ମ୍ୟାଚରେ ଏସୀୟ ଚାମ୍ପିୟନ ଶ୍ରୀଲଙ୍କା କ୍ରିକେଟ୍‌ ଦଳ ନାମିବିଆ ବିପକ୍ଷରେ ୫୫ ରନର ପରାଜୟର ସମ୍ମୁଖୀନ ହୋଇଛି । ରାଉଣ୍ଡ ୧ ର ପ୍ରଥମ ମ୍ୟାଚରେ ନାମିବିଆ ରବିବାର ଟସ୍‌ ହାରିବା ପରେ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୭ ୱିକେଟ ହରାଇ ୧୬୩ ସ୍କୋର କରିଥିଲା ଏବଂ ପରେ ୧୯ ଓଭରରେ ୧୦୮ ରନ୍‌ ରେ ଶ୍ରୀଲଙ୍କାକୁ ଅଲଆଉଟ କରି ଟି-୨୦ ବିଶ୍ୱକପ ବିଜୟରୁ ଆରମ୍ଭ କରିଛି । ଏହି ପରାଜୟ ପରେ ଶ୍ରୀଲଙ୍କାର ସୁପର ୧୨ ରେ ପହଞ୍ଚିବାର ଆଶା ଆଶଙ୍କାରେ ରହିଛି । ଟି -୨୦ ଆନ୍ତର୍ଜାତୀୟ କ୍ରିକେଟରେ ପୂର୍ଣ୍ଣ ସଦସ୍ୟ ଦଳ ବିପକ୍ଷରେ ଯେକୌଣସି ଆସୋସିଏଟ୍ସ ଦଳ ପାଇଁ ଏହା ହେଉଛି ତୃତୀୟ ପ୍ରମୁଖ ବିଜୟ ।
ନାମିବିଆ ପାଇଁ ଜାନ ଫ୍ରିଲିଙ୍କ ୪ ଟି ଚୌକା ସହାୟତାରେ ୨୮ ବଲରୁ ଅପରାଜିତ ୪୪ ରନ ସ୍କୋର କରିଥିଲେ । ଏହା ବ୍ୟତୀତ ସେ ବୋଲିଂରେ ଦୁଇଟି ୱିକେଟ୍‌ ନେଇଥିଲେ । ଏଥି ସହିତ ବେନ ଶିକୋଙ୍ଗୋ ପ୍ରଥମ ମ୍ୟାଚରେ ହ୍ୟାଟ୍ରିକ୍‌ ନେବାକୁ ବଞ୍ଚିତ ହୋଇଥିଲେ । ସେ ମ୍ୟାଚ୍‌ରେ ୨ଟି ୱିକେଟ୍‌ ନେଇଥିଲେ । ବର୍ନାର୍ଡ ସ୍କୋଲ୍ଟଜ୍‌ ମଧ୍ୟ ଦୁଇଟି ସଫଳତା ପାଇଥିଲେ ।
ନାମିବିଆ ୧୪.୨ ଓଭରରେ ୯୩ ରନ୍‌ ପାଇଁ ୬ଟି ୱିକେଟ୍‌ ହରାଇଥିଲା । ଏକ ସମୟରେ ଏହା ଲାଗୁଥିଲା ଯେ ସେମାନେ ୧୫୦ ରନରେ ମଧ୍ୟ ପହଞ୍ଚି ପାରିବେ ନାହିଁ, କିନ୍ତୁ ଫ୍ରିଲିଙ୍କ ଏବଂ ସ୍ମିଥଙ୍କ ଯୋଡି ଜୋରଦାର ବ୍ୟାଟିଂ କରି ସପ୍ତମ ୱିକେଟ୍‌ ପାଇଁ ୭୦ ରନ୍‌ ଯୋଡିଥିଲେ । ଫ୍ରିଲିଙ୍କ ୨୮ ବଲରେ ଚାରି ଚୌକା ସହ ୪୪ ରନ କରିଥିବାବେଳେ ସ୍ମିଥ ଦୁଇଟି ଚୌକ ଏବଂ ଦୁଇଟି ଛକା ସହାୟତାରେ ୧୬ ବଲରେ ୩୧ ରନ ସ୍କୋର କରି ଶ୍ରୀଲଙ୍କା ପାଇଁ ୧୬୪ ଟାର୍ଗେଟ କରିଥିଲେ ।
ଏହି ଟାର୍ଗେଟର ଜବାବରେ ଶ୍ରୀଲଙ୍କା ୪୦ ରନ୍‌ରେ ହିଁ ଚାରିଟି ୱିକେଟ୍‌ ହରାଇ ସଂକଟରେ ପଡିଥିଲା । ଭାନୁକା ରାଜପକ୍ଷ (୨୦) ଏବଂ ଅଧିନାୟକ ଦାସୁନ୍‌ ଶାନାକା (୨୯) ଇନିଂସ ପରିଚାଳନା କରିବା ପରେ ପଞ୍ଚମ ୱିକେଟ୍‌ ପାଇଁ ୩୪ ରନ୍‌ ସଂଗ୍ରହ କରିଥିଲେ, କିନ୍ତୁ ରାଜପକ୍ଷ ଦଳୀୟ ସ୍କୋର ୭୪ ରନ୍‌ ଥିବା ବେଳେ ଆଉଟ ହୋଇଥିଲେ । ୨୯ ରନ୍‌ ସଂଗ୍ରହ କରିଥିବା ଶ୍ରୀଲଙ୍କା ପାଇଁ କ୍ୟାପଟେନ ଦାସୁନ୍‌ ଶାନାକା ସର୍ବାଧିକ ସ୍କୋରର ହୋଇଥିଲେ । ତାଙ୍କ ବ୍ୟତୀତ ଭାନୁକା ରାଜପକ୍ଷ ୨୦ ଏବଂ ଧନଞ୍ଜୟ ଦି ସିଲଭା ୧୨ ରନ ସ୍କୋର କରିଥିଲେ । ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ଆଖିଦୃଶିଆ ସ୍କୋର କରିପାରିନଥିଲେ । ଦଳ ୧୦୮ରନରେ ସମସ୍ତ ୱିକେଟ ହରାଇ ମ୍ୟାଚରେ ପରାଜୟ ଭୋଗିଥିଲେ ।

hiranchal ad1
Leave A Reply

Your email address will not be published.

three × two =