ସିରିଜ୍‌ କ୍ଲିନସୁଇପ କଲା ଭାରତ

0 103

ବେଙ୍ଗାଲୁରୁ,୧୪/୩ : ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜରେ ଭାରତ ଜବରଦସ୍ତ ପ୍ରଦର୍ଶନ କରି ଭାରତୀୟ ପ୍ରଶଂସକଙ୍କୁ ମୁଗ୍ଧ କରିଛି । ପ୍ରଥମ ଟେଷ୍ଟ ମ୍ୟାଚ ଭଳି ଦ୍ୱିତୀୟ ଟେଷ୍ଟକୁ ମଧ୍ୟ ଭାରତ ମାତ୍ର ତିନି ଦିନରେ ଜିତି ନେଇଛି । ପ୍ରଥମ ଟେଷ୍ଟକୁ ଭାରତ ଏକ ଇନିଂସ ଓ ୧୬୨ ରନରେ କବଜା କରିଥିଲା ବେଳେ ଆଜି ଶେଷ ହୋଇଥିବା ଦ୍ୱିତୀୟ ଟେଷ୍ଟରେ ଶ୍ୟୀଲଙ୍କାକୁ ୨୩୮ ରନରେ ପରାସ୍ତ କରିଛି । ଏହଇ ବିଜୟ ସହ ଭାରତ ଦୁଇ ମ୍ୟାଚ ବିଶିଷ୍ଟ ସିରିଜକୁ କ୍ଲିନ ସୁଇପ କରିନେଇଛି । ପ୍ରଥମ ଟେଷ୍ଟରେ ଶ୍ରୀଲଙ୍କାର ସବୁ ବ୍ୟାଟର ଆତ୍ମସମର୍ପଣ କରିଥିଲେ । ପିଙ୍କ ବଲ ଟେଷ୍ଟର ଦ୍ୱିତୀୟ ଇନିଂସରେ ଶ୍ରୀଲଙ୍କା ଅଧିନାୟକ ଦିମୁତ କରୁଣାରତ୍‌ନେ ସଂଘର୍ଷ କରି ଶତକ ହାସଲ କରିଥିଲେ । ତେବେ ତାଙ୍କ ଶତକ ବେକାର ଯାଇଥିଲା । ଶ୍ରୀଲଙ୍କା ମ୍ୟାଚ୍‌ ବଞ୍ଚାଇବାକୁ ସକ୍ଷମ ହୋଇନି । ଭାରତ ଏହି ମ୍ୟାଚ୍‌ ଜିତିବାକୁ ଶ୍ରୀଲଙ୍କାକୁ ୪୪୭ର ବିଶାଳ ଲକ୍ଷ୍ୟ ଦେଇଥିଲା । ଏହାର ଜବାବରେ ଶ୍ରୀଲଙ୍କା ଟିମ୍‌ ୨୦୮ ରନ୍‌ରେ ଅଲଆଉଟ ହୋଇଯାଇଥିଲା । ଏହି ମ୍ୟାଚ୍‌କୁ ୨୩୮ ରନ୍‌ରେ ଜିତି ଟିମ୍‌ ଇଣ୍ଡିଆ ଟେଷ୍ଟ ସିରିଜ୍‌କୁ ୨-୦ରେ କ୍ଲିନ ସୁଇପ କରିଛି । ଭାରତ ପ୍ରଥମ ଇନିଂସରେ ୨୫୨ ରନ୍‌ କରିଥିଲା । ଏହାର ଜବାବରେ ଶ୍ରୀଲଙ୍କା କେବଳ ୧୦୯ ରନ୍‌ କରିଥିଲା । ଏହାପରେ ଭାରତ ତା’ର ଦ୍ୱିତୀୟ ଇନିଂସରେ ୩୦୩/୯ରେ ପାଳି ଘୋଷଣା କରିଥିଲା । ଫଳରେ ଶ୍ରୀଲଙ୍କାକୁ ୪୪୭ ରନ୍‌ର ବିଜୟ ଲକ୍ଷ୍ୟ ମିଳିଥିଲା । କାଲି ୭ ଓଭର ବ୍ୟାଟିଂ କରି ଗୋଟିଏ ୱିକେଟ ହରାଇ ଶ୍ରୀଲଙ୍କା ୨୮ ରନ୍‌ କରିଥିଲା । ଆଜି ଖେଳ ଆରମ୍ଭରୁ କରୁଣାରତ୍‌ନେ ଓ କୁଶଲ ମେଣ୍ଡିସ ଦମଦାର ବ୍ୟାଟିଂ କରିଥିଲେ । ଉଭୟ ଦିବସର ପ୍ରଥମ ୪୫ ମିନିଟ ଯାଏ ଭାରତୀୟ ବୋଲରଙ୍କୁ ସଫଳତା ହାସଲ କରିବାକୁ କୌଣସି ସୁଯୋଗ ଦେଇ ନଥିଲେ । ବିଶେଷ କରି ମେଣ୍ଡିସ ଦର୍ଶନୀୟ ଶଟ ଖେଳି ଦ୍ରୁତ ଗତିରେ ରନ ସଂଗ୍ରହ କରିଥିଲେ । ଏଥିସହ ନିଜର ଅର୍ଦ୍ଧଶତକ ହାସଲ କରିଥିଲେ । ତେବେ ସେ ୫୪ ରନ୍‌ କରିଥିବା ବେଳେ ରବି ଅଶ୍ୱିନ ତାଙ୍କୁ ଆଉଟ କରି ସିଂହଳ ଟିମକୁ ଜବରଦସ୍ତ ଝଟକା ଦେଇଥିଲେ । ଏହାପରେ ଅଭିଜ୍ଞ ଆଞ୍ଜେଲୋ ମାଥ୍ୟୁସ(୧)ଙ୍କୁ ରବୀନ୍ଦ୍ର ଜାଡେଜା କ୍ଲିନବୋଲ୍ଡ କରିଦେଇଥିଲେ । ଦଳୀୟ ସ୍କୋର ୧୦୫ ଥିବା ବେଳେ ଅଶ୍ୱିନ ୪ ରନ୍‌ କରିଥିବା ଧନଞ୍ଜୟ ଡି’ସିଲଭାଙ୍କୁ ପ୍ୟାଭିଲିୟନ ପଠାଇ ଶ୍ରୀଲଙ୍କାକୁ ୪ର୍ଥ ଝଟକା ଦେଇଥିଲେ । ଏକଦା ୯୭ରେ ଗୋଟିଏ ୱିକେଟ ହରାଇଥିବା ଶ୍ରୀଲଙ୍କା ୧୦୫ ରନ୍‌ରେ ୪ ଜଣ ବ୍ୟାଟରଙ୍କୁ ହରାଇ ଅଡୁଆରେ ପଡିଥିଲା । ଗୋଟିଏ ପଟେ ୱିକେଟ ଖସୁଥିବା ବେଳେ ଅଧିନାୟକ କରୁଣାରତ୍‌ନେ ସଂଘର୍ଷ କରିଥିଲେ । ଏଥିସହ ସେ ତାଙ୍କ ଟେଷ୍ଟ କ୍ୟାରିୟର୍‌ରେ ଆଉ ଏକ ଶତକ ହାସଲ କରିଥିଲେ । ୧୭୪ ବଲ୍‌ରେ ୧୦୭ ରନ୍‌ର ଇନିଂସ ଖେଳିଥିବା କରୁଣାରତ୍‌ନେଙ୍କୁ ବୁମ୍ରା କ୍ଲିନ ବୋଲ୍ଡ କରି ଶ୍ରୀଲଙ୍କାର ସବୁ ଆଶାରେ ପାଣି ପକାଇଥିଲେ । କରୁଣାରତ୍‌ନେ ତାଙ୍କ ଶତକୀୟ ଇନିଂସରେ ୧୫ଟି ଚୌକା ମାରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଡିକୱେଲା(୧୨),ଚରିତ ଅସଲାଙ୍କା(୫), ଲସିଥ ଇମ୍ବୁଲଡେନିୟା(୨) ରନ୍‌ କରିବାକୁ ସକ୍ଷମ ହୋଇଥିଲେ । ନିଜ ଟେଷ୍ଟ କ୍ୟାରିୟର ଶେଷ ମ୍ୟାଚ୍‌ ଖେଳୁଥିବା ସୁରାଙ୍ଗା ଲକମଲ(୧)ଙ୍କୁ ବୁମ୍ରା କ୍ଲିନବୋଲ୍ଡ କରିଥିଲେ । ଶେଷ ବ୍ୟାଟର ଭାବେ ବିଶ୍ୱ ଫର୍ଣ୍ଣାଡୋ(୨)ଙ୍କୁ ଅଶ୍ୱିନ ଆଉଟ କରି ଶ୍ରୀଲଙ୍କା ଇନିଂସରେ ପୂର୍ଣ୍ଣଚ୍ଛେଦ ଟାଣିଥିଲେ । ଦ୍ୱିତୀୟ ଇନିଂସରେ ଭାରତ ପକ୍ଷରୁ ରବି ଅଶ୍ୱିନ ସର୍ବାଧିକ ୪ଟି ୱିକେଟ ନେଇଥିଲେ ।

hiranchal ad1
Leave A Reply

Your email address will not be published.

fourteen + 16 =