ମହୁଲ ଝାରର ଭିତିରିଆ କଥା, ସଙ୍କଟରେ ଆଦିବାସୀଙ୍କ ଜୀବନଜୀବିକା

0 189

ବୌଦ୍ଧ- ବୌଦ୍ଧଜିଲ୍ଲାର ଅଧିକାଂଶ ଗ୍ରାମ ବଣପାହାଡ ଘେରା ହୋଇଥିବା ବେଳେ ତିନୋଟିଯାକ ବ୍ଲକରେ ପ୍ରଚୁର ପରିମାଣରେ ମହୁଲ ଗଛ ରହିଛି । ବନଜାତ ଦ୍ରବ୍ୟ ଆଦିବାସୀ ଓ ବନବାସୀଙ୍କ ଜୀବନଜୀବିକାର ମୁଖ୍ୟ ଆଧାର ହୋଇଥିବା ବେଳେ ବର୍ତମାନ ମହୁଲଫୁଲ ର ଅଭାବୀ ବିକ୍ରିଯୋଗୁଁ ଏମାନଙ୍କ ଜୀବନଜୀବିକା ସଙ୍କଟରେ ପଡିଥିବା ଲକ୍ଷ୍ୟ କରାଯାଇଛି । ଓଡିଶା ଗ୍ରାମପଂଚାୟତ ଆଇନ ୨୦୦୨ ଅନୁଯାୟୀ ୬୭ଟି ଲଘୁବନଜାତ ଦ୍ରବ୍ୟ ସଂଗ୍ରହ ଦାୟିତ୍ୱ ପଂଚାୟତକୁ ହସ୍ତାନ୍ତର ପରଠାରୁ ମହୁଲଫୁଲ ସଂଗ୍ରହ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡିଛି । ଧାର୍ଯ୍ୟ ସମୟରେ ଉଚିତ୍ ଦର ନିର୍ଦ୍ଧାରଣ ହେଉନଥିବାରୁ ବେପାରୀମାନେ ମନଇଛା ଏହି ଦ୍ରବ୍ୟ କୁ ଶାଗମାଛ ଦରରେ କେଜି ପ୍ରତି ମାତ୍ର ୧୦ ରୁ ୧୫ ଟଙ୍କା ରେ ମହୁଲ କିଣୁଥିବା ଦେଖାଯାଇଛି ଏବଂ ଦୁଇ ଚାରି ବର୍ଷ ତଳେ ଏହାର ମୁଲ୍ୟ ଯାହା ରହିଥିଲା ଏବେ ବି ସେହି ସମାନ ଦର ଥିବା ଲକ୍ଷ୍ୟ କରାଯାଇଛି । ଫଳରେ ଆଦିବାସୀମାନେ ଅକ୍ଲାନ୍ତ ପରିଶ୍ରମ କରି ସଂଗ୍ରହ କରୁଥିବା ଏହି ବନଜାତ ଦ୍ରବ୍ୟକୁ ଉଚିତ୍ ମୁଲ୍ୟରେ ବିକ୍ରୀ କରିନପାରି ଶୋଷଣର ଶିକାର ହେଉଛନ୍ତି ।

hiring

ଜଙ୍ଗଲ ବିଭାଗ ତଥା ସରକାରଙ୍କ ଉଦାସୀନତା ଯୋଗୁଁ ବନଜାତ ଦ୍ରବ୍ୟ ସଂଗ୍ରହ କରି ବର୍ଷର ୪ମାସ ଆୟର ପନ୍ଥା ଖୋଜୁଥିବା ଆଦିବାସୀଙ୍କ ଜୀବନଜୀବିକା ଏଥିପାଇଁ ସଙ୍କଟରେ ପଡିଛି । ମହୁଲକୁ ବନବାସୀ ଓ ଆଦିବାସୀମାନେ ଖାଦ୍ୟଭାବେ ବ୍ୟବହାର କରୁଥିବାବେଳେ ,ଏଥିରୁ ମଦ ପ୍ରସ୍ତୁତ ହେବା ସହ ଗାଈଗୋରୁଙ୍କ ପ୍ରମୁଖ ଖାଦ୍ୟ ଅଟେ । ଏଥିରୁ ଆଧୁନିକ ପଦ୍ଧତିରେ ଅନେକ ପ୍ରକାର ଉତ୍ପାଦ ପ୍ରସ୍ତୁତ କରାଯାଉଥିବା ବେଳେ ଏହି ଦ୍ରବ୍ୟ ର ବଜାର ବ୍ୟବସ୍ଥା ପ୍ରତି ଧ୍ୟାନ ଦିଆଯାଉ ନ ଥି ବାରୁ ମହୁଲ ବେପାରୀଙ୍କ ହାତକୁ ଆପେ ଆପେ ଏହି ବ୍ୟବସାୟ ଟେକି ହୋଇପଡିଛି । ରାଜ୍ୟ ସରକାର ରାଜସ୍ୱ ବୃଦ୍ଧିଲାଗି ନୂତନ ଅବକାରୀ ନିର୍ଦ୍ଧାରଣ କରି ଇ- ନିଲାମକୁ ପ୍ରାଧାନ୍ୟ ଦେଉଥିବାବେଳେ ବନବାସୀ ଓ ଆଦିବାସୀଙ୍କ ରୋଜଗାରର ଅନ୍ୟତମ ମାଧ୍ୟମ ମହୁଲଫୁଲ ଏବେ ଅଲୋଡା ହୋଇପଡିଛି । ୨୦୦୨ ମସିହାରେ ଓଡିଶା ସରକାରଙ୍କ ନୂଆ ଲଘୁବନଜାତ ଦ୍ରବ୍ୟ ସଂଗ୍ରହ ଓ ବ୍ୟବସାୟ ନୀତି ପ୍ରଚଳନ ହେବା ପରଠାରୁ ମହୁଲଫୁଲ ସଂଗ୍ରହରେ ଅବ୍ୟବସ୍ଥା ଅଧିକ ବୃଦ୍ଧି ପାଇଛି । ଫଳରେ ସରକାରଙ୍କ ଏହିନୀତି ଯୋଗୁଁ ଏହା ବର୍ତମାନ ବ୍ୟବସାୟୀ ଓ ଭାଟିବାଲା ମାନଙ୍କ ପାଇଁ ଲାଭବାନ୍ ହେବାର ସୁଯୋଗ ସୃଷ୍ଟି ହୋଇଛି । ବନଜାତ ଦ୍ରବ୍ୟ ବିକ୍ରୀ ପାଇଁ ସ୍ଥାୟୀ ବଜାର ନ ଥିବାରୁ ଏହା ସେମାନଙ୍କ ପାଇଁ ଅନ୍ତରାୟ ସାଜିଛି । ଏଭଳି ପରିସ୍ଥିତିରେ ମହୁଲ ବେପାର ସମ୍ପୂର୍ଣ୍ଣ ଭାବରେ କୁଚିଆ ମଦ ବେପାରୀ ନିୟନ୍ତ୍ରଣକୁ ଚାଲିଯାଉଥିବା ଦେଖିବାକୁ ମିଳୁଛି । ମହୁଲଫୁଲ ର ପ୍ରସ୍ତୁତ ହେଉଥିବା ମଦକୁ ଭାଟିମାଲିକ ଲିଟର ପ୍ରତି ୮୦ ରୁ ୯୦ ଟଙ୍କା ବିକ୍ରୀ କରି ବେଶ୍ ଲାଭବାନ୍ ହେଉଥିବା ବେଳେ ଦିନତମାମ୍ ପରିଶ୍ରମ କରି ମହୁଲ ଗୋଟାଉଥିବା ଆଦିବାସୀମାନେ ଏହାକୁ ବିକ୍ରୀକରି ସର୍ବନିମ୍ନ ପାରିଶ୍ରମିକ ମଧ୍ୟ ପାଉନାହାଁନ୍ତି । କାହିଁ କେଉଁକାଳରୁ ଆଦିବାସୀମାନେ ଜଙ୍ଗଲରୁ ଝୁଣା, ମହୁଲ, ଶାଳପତ୍ର, କାଠ, ଶାଳମଞ୍ଜି, କେନ୍ଦୁ, ଚାରମଞ୍ଜିି, ଲିମ୍ବ, ବାହାଡା, ଅଁଳା, ହରିଡା ପ୍ରଭୃତି ବନଜାତ ଦ୍ରବ୍ୟ ସଂଗ୍ରହକରି ଜୀବନଜୀବିକା ନିର୍ବାହ କରିଆସୁଛନ୍ତି । ହେଲେ ପରିସ୍ଥିତି ଦିନକୁ ଦିନ ବଦଳି ଯାଇଛି ,କିନ୍ତୁ ଏହି ଆଦିବାସୀ ବନବାସୀମାନେ ନିର୍ଭର କରି ଚଳୁଥିବା ମହୁଲ ଭଳି ବନଜାତ ଦ୍ରବ୍ୟ ବଜାର ମୁଲ୍ୟ ବୃଦ୍ଧି ପାଉ ନ ଥିବାରୁ ଏମାନଙ୍କ ଅକ୍ଲାନ୍ତ ପରିଶ୍ରମ ର ସମସ୍ତ ଶ୍ରେୟ ଅସାଧୁ ବ୍ୟବସାୟୀ ଓ ମଦବେପାରୀଙ୍କ ହାତକୁ ଟେକି ହୋଇପଡିଛି ।

ମହୁଲ ଭଳି ବନଜାତ ଦ୍ରବ୍ୟର ଏପରି ଅମୂଲ ମୂଲ ଯୋଗୁଁ ଏହି ସମୟରେ କାମଧନ୍ଦା ନ ପାଇ ମହୁଲ ଗୋଟେଇ ଚାରିମାସର ଜୀବିକା ବଂଚାଇବା ଅକ୍ଲାନ୍ତ ପରିଶ୍ରମ କରୁଥିବା ଗରିବ ଆଦିବାସୀଙ୍କ ଜୀବନ ଜୀବିକା ଦୋଛକିରେ ବନ୍ଧାପଡିଛି । ସରକାର ମହୁଲର ଉଚିତ ଦର ନିର୍ଦ୍ଧାରଣ ସହିତ ମଣ୍ଡି ବ୍ୟବସ୍ଥା ଭଳି ସ୍ଥାୟୀ ପ୍ରତିକାର ପ୍ରତି ଦୃଷ୍ଟି ଦେଲେ ଏହାର ସୁଫଳ ଗରିବ ଆଦିବାସୀ ପାଇପାରିବେ ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି ।

hiranchal ad1
Leave A Reply

Your email address will not be published.

seventeen + four =