ଅହିଂସା ରଥକୁ ସ୍ୱାଗତ କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ବୈଠକ

0 91

ପାରଳାଖମୁଣ୍ଡି : ଚଳିତ ମାସ ୨୧ ତାରିଖରୁ ୨୨ ତାରିଖ ପର୍ଯ୍ୟନ୍ତ ଗଜପତି ଜିଲ୍ଲାରେ ପରିଭ୍ରମଣ କରିବାକୁ ଥିବା ଅହିଂସା ରଥକୁ କିଭଳି ଭାବରେ ମହା ଆଡମ୍ବରରେ ଗଜପତି ଜିଲ୍ଲାରେ ସ୍ୱାଗତ କରାଯିବ ସେଥି ସକାଶେ ଆଜି ଭିଡିଓ କନଫରେନ୍ସ ମାଧ୍ୟମରେ ଜିଲ୍ଲାପାଳ ଶ୍ରୀଯୁକ୍ତ ଲିଙ୍ଗରାଜ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଶ୍ରୀ ପଣ୍ଡା ପ୍ରାରମ୍ଭିକ ସୂଚନା ପ୍ରଦାନ କରି ଜାତୀୟତା ଭାବ ଜାଗ୍ରତ ନିମନ୍ତେ ଉଦ୍ଦିଷ୍ଟ ଏହି ରଥ ପରିଭ୍ରମଣ ସମୟରେ ସମସ୍ତ ପ୍ରକାର ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇ କିଭଳି ସୂଚାରୁ ରୂପେ ରଥଟିକୁ ଭବ୍ୟ ସମ୍ବର୍ଦ୍ଧନା ଦେଇ ଦେଶ ମାତୃକା ନିମନ୍ତେ ଲଢିଥିବା ଶହୀଦ୍‌ ବୀର ମାନଙ୍କ ପ୍ରତି ଗଜପତି ଜିଲ୍ଲାବାସୀ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିବେ ସେଥି ନିମନ୍ତେ କାର୍ଯ୍ୟ ଖସଡା ପ୍ରସ୍ତୁତ କରିବା ପାଇଁ ସମସ୍ତ ସଂପୃକ୍ତ ଅଧିକାରୀ ମାନଙ୍କୁ ଜଣାଇଥିଲେ । ଅତିରିକ୍ତ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା ସମସ୍ତଙ୍କୁ ସ୍ୱାଗତ କରିବା ସହ କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ଅବଗତ କରାଇ କାର୍ଯ୍ୟକ୍ରମଟି କିଭଳି ସୂଚାରୁ ରୂପେ ସମ୍ପାଦିତ ହୋଇପାରିବ ସେଥି ସକାଶେ ସମସ୍ତଙ୍କ ସହଯୋଗ କାମନା କରି ଗାନ୍ଧିଜୀଙ୍କ ପାରଳାଖେମଣ୍ଡି ଗସ୍ତ ଅବସରରେ ଯେଉଁ ଯେଉଁ ସ୍ଥାନ ମାନଙ୍କରେ ସଭାକାର୍ଯ୍ୟ କରିଥିଲେ ସେହି ଅଞ୍ଚଳ ଗସ୍ତ କରିବାର କର୍ଯ୍ୟକ୍ରମ ରହିଛି ବୋଲି ଅବଗତ କରାଇଥିଲେ ।
ଜିଲ୍ଲାରେ ଅହିଂସା ରଥ ପରିଭ୍ରମଣର କାର୍ଯ୍ୟସୂଚୀର ପୁଙ୍ଖାନୁପୁଙ୍ଖ ବିବରଣୀ ଉପସ୍ଥାପନ କରିଥିଲେ । ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ତଥା ଆଜାଦୀ କା ଅମୃତ ମହୋତ୍ସବ ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଗତ ଅଗଷ୍ଟ ୧୫ ତାରିଖ ଦିନ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ଅବସରରେ ଅହିଂସା ରଥର ଶୁଭାରମ୍ଭ କରିଥିଲେ । ଏହି ଦୁଇଟି ଅହିଂସା ରଥ ଓଡିଶାର ବିଭିନ୍ନ ଜିଲ୍ଲା ପରିଭ୍ରମଣ କରି ଗଜପତି ଜିଲ୍ଲାକୁ ଆସିବ । ୨୧ ତାରିଖ ଦିନ ଗଜପତି ଜିଲ୍ଲା ପ୍ରଶାସନ ପକ୍ଷରୁ କାଶୀନଗର ବ୍ଲକ ଅନ୍ତର୍ଗତ କତଗୁଡ଼ା ଠାରେ ମହାସମାରୋହରେ ରଥ ଦୁଇଟିକୁ ସ୍ୱାଗତ କରାଯିବ । ସ୍ୱାଧୀନତାର ସ୍ମାରକୀ ବହନ କରୁଥିବା ଏହି ରଥ ଓଡିଶାର ବୀର ସ୍ୱାଧୀନତା ସଂଗ୍ରାମୀଙ୍କ ବଳିଦାନର ବାର୍ତ୍ତା ଜିଲ୍ଲାରେ ପ୍ରଚାର କରାଯିବ । ଗୋଟିଏ ରଥ କାଶୀନଗର ବ୍ଲକ ସମେତ ଗୁମ୍ମା, ନୂଆଗଡ ଓ ଦ୍ୱିତୀୟ ଦିନରେ ଅର୍‌. ଉଦୟଗିରି ଓ ମୋହନା ବ୍ଲକରେ ପରିଭ୍ରମଣ କରିବ ।
ସେହିପରି ଦ୍ୱିତୀୟ ରଥଟି କାଶୀନଗର, ଗୋଷାଣୀ ପାରଳାଖେୁଣ୍ଡି ଓ ଦ୍ୱିତୀୟ ଦିନରେ ରାୟଗଡ ଓ ମୋହନା ବ୍ଲକ ଆଦି ଐତିହାସିକ ସ୍ଥାନ ପରିଭ୍ରମଣ କରିବାର କାର୍ଯ୍ୟକ୍ରମ ରହିଛି । ଅହିଂସା ରଥକୁ ୨୧ ତାରିଖ ଦିନ ପାରଳାଖମୁଣ୍ଡି ପୌରପରିଷଦ ପକ୍ଷରୁ ଏକ ବିରାଟ ସ୍ୱାଗତ ସମ୍ବର୍ଦ୍ଧନା ସହ ସ୍ୱାଧୀନତା ସଂଗ୍ରାମୀଙ୍କ ଜୀବନ ସହ ସଂଶ୍ଲିଷ୍ଟ ପାରଳାଖେୁଣ୍ଡି ସହରରେ ପରିଭ୍ରମଣ କରିବ । ଏ ଅବସରରେ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ । ଜିଲ୍ଲାର କାଶୀନଗର, ପାରଳାଖେମଣ୍ଡି ଓ ମୋହନା ଠାରେ ମେଗା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ରଥଟିକୁ ସ୍ୱାଗତ ଅବସରରେ ବିଶାଳ ଶୋଭାଯାତ୍ରାରେ ସମସ୍ତ ଜନସାଧାରଣ,ଲୋକପ୍ରତିନିଧି, ସହରର ମାନ୍ୟଗଣ୍ୟ ବ୍ୟକ୍ତି, ବିଦ୍ୟାଳୟ, ମହାବିଦ୍ୟାଳୟ କର୍ମକର୍ତ୍ତା, ଛାତ୍ରଛାତ୍ରୀ, ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ, ଅଙ୍ଗନୱାଡି କର୍ମୀ ମାନେ ଯୋଗ ଦେବାର କର୍ଯ୍ୟକ୍ରମ ରହିଛି । ପ୍ରତ୍ୟେକ ବ୍ଲକ୍‌ ହେଡକ୍ୱାର୍ଟର ମାନଙ୍କରେ କିଭଳି ଭାବେ ଅହିଂସା ରଥକୁ ସ୍ୱାଗତ କରାଯାଇ ସାଂସ୍କୃତିକ କାର୍ଯ୍ୟକ୍ରମ, ଜନ ସଚେତନତା, ସ୍ୱାଧୀନତା ସଂଗ୍ରାମୀଙ୍କ ଉତ୍ତର ଦାୟାଦ ମାନଙ୍କୁ ସମ୍ମାନୀତ କରାଯିବ ସେଥିନିମନ୍ତେ ସଂପୃକ୍ତ ଗୋଷ୍ଠୀ ଉନ୍ନମୟନ ଅଧିକାରୀ, ତହସିଲଦାର, କାର୍ଯ୍ୟ ନିର୍ବାହୀ ଅଧିକାରୀଗଣ ମାଇକ୍ରୋପ୍ଲାନ୍‌ କରି ସେହି ଅନୁସାରେ କାର୍ଯ୍ୟପନ୍ଥା ସ୍ଥିର କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ । ୨୩ ତାରିଖ ଦିନ ଗଞ୍ଜାମ ଜିଲ୍ଲାକୁ ଏହି ଅହିଂସା ରଥ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ଅହିଂସା ରଥ ପରିଭ୍ରମଣ କାର୍ଯ୍ୟକ୍ରମ ଯେପରି ସଫଳ ହେବ ସେଥିନିମନ୍ତେ ଜିଲ୍ଲାର ସମସ୍ତ ଅଧିକାରୀ, କର୍ମଚାରୀ ମାନଙ୍କ ସହଯୋଗ ଏକାନ୍ତ କାମ୍ୟ ବୋଲି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପଣ୍ଡା ଜଣାଇଛନ୍ତି ।
ବୈଠକରେ ଗଜପତି ଆରକ୍ଷୀ ଅଧୀକ୍ଷକ ଜୟରାମ ଶତପଥୀ, ଉପ ଜିଲ୍ଲାପାଳ ଆଲୋକ କୁମାର ପ୍ରଧାନ, ଅତିରିକ୍ତ ଉନ୍ନୟନ ଅଧିକାରୀ ତଥା କାର୍ଯନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ,ଗଜପତି ଲଳିତ କୁମାର କହଁର, ପାରଳାଖେମଣ୍ଡି ପୌରପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଜୁବୁଲି ଚରଣ ବେହେରା, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ପ୍ରଦୀପ୍ତ ଗୁରୂମାଇ , ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଅରୁଣ କୁମାର ତ୍ରିପଠୀ, ପୂର୍ଣ୍ଣଚନ୍ଦ୍ର ମହାପାତ୍ର ସମେତ ଜିଲ୍ଲାର ସମସ୍ତ ଅଧିକାରୀ ଓ ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତହସିଲଦାର,କାର୍ଯ୍ୟ ନିର୍ବାହୀ ଅଧିକାରୀ, ସିଡିପିଓ ପ୍ରମୁଖ ଭିଡିଓ କନଫରେନ୍ସ ଦ୍ୱାରା ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।

hiranchal ad1
Leave A Reply

Your email address will not be published.

fifteen − 9 =