ଟ୍ରଲର ଧକ୍କାରେ ବାଇକ୍ ଚାଳକ ମୃତ

0 38

କଲ୍ୟାଣସିଂହପୁର : ରାୟଗଡା ଜିଲ୍ଲାର କାଶୀପୁର ବ୍ଲକ ଟିକିରି ଥାନା ଅଧୀନସ୍ଥ କାଳିଆପଡ଼ା ଘାଟି ରାସ୍ତାରେ ଟ୍ରଲର ଧକ୍କାରେ ଜଣେ ବାଇକ୍ ଚାଳକଙ୍କ ମୃତ୍ୟୁ ଘଟିଛି କ୍ଷତିପୂରଣ ଦାବିରେ ଉତ୍ତ୍ୟକ୍ତ ଲୋକେ ରାସ୍ତା ଅବରୋଧ କରିବା ସହିତ ବୁଝାସୁଝା କରିବାକୁ ଆସିଥିବା ପୁଲିସକୁ ଆକ୍ରମଣ କରିଛନ୍ତି। ଏଥିରେ ମହିଳା ପୁଲିସ ଅଧିକାରୀ ପ୍ରିସ୍କା ଓଝା ଆହତ ହୋଇଛନ୍ତି | ଖବର ପାଇ ରାୟଗଡ଼ା ଏସ୍‌ଡିପିଓ ଗୌରହରି ସାହୁଙ୍କ ନେତୃତ୍ବରେ କାଶୀପୁର ଓ ଦୋରାଗୁଡ଼ା ଥାନା ଅଧିକାରୀଙ୍କ ଏବଂ ପୁଲିସ ଫୋର୍ସ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ସହ ଲୋକେ ଅଟକ ରଖିଥିବା ଟିକିରି ଥାନା ଅଧିକାରୀ ବିଶ୍ବବନ୍ଦିନୀ ବାଗ ଓ ଅନ୍ୟ ପୁଲିସ କର୍ମଚାରୀଙ୍କୁ ଉଦ୍ଧାର କରି ଚିକିତ୍ସା ବ୍ୟବସ୍ଥା କରାଇଛି। ଏଥିସହ ଆହତ ପୁଲିସ ଅଧିକାରୀଙ୍କ ଚିକିତ୍ସା ବ୍ୟବସ୍ଥା କରାଯାଇଛି। ମୃତ ଯୁବକ ଜଣଙ୍କ ଶଙ୍କରଡ଼ା ପଞ୍ଚାୟତ ଏସ୍. ଡ଼ଙ୍ଗାସିଲ ଗ୍ରାମର ସଦା ମାଝୀଙ୍କ ବଡ଼ପୁଅ ପ୍ରଶାନ୍ତ ମାଝୀ ବୋଲି ଜଣାପଡ଼ିଛି।
ସୂଚନା ଅନୁଯାୟୀ, ମଙ୍ଗଳବାର ସକାଳେ ପ୍ରଶାନ୍ତ ମାଝୀ ବାଇକ ଯୋଗେ ନିଜ ଗାଁରୁ ଟିକିରି ଅଭିମୁଖେ ଯାଉଥିଲେ । ଏହି ସମୟରେ କାଳିଆପଡ଼ା ଘାଟି ରାସ୍ତାର ଏକ ବୁଲାଣିରେ ବିପରୀତ ଦିଗରୁ ଆସୁଥିବା ଏକ ଟ୍ରଲର୍(ଏପି ୩୯ଭିସି ୮୮୩୬) ବାଇକ୍‌କୁ ଧକ୍କା ଦେବାରୁ ପ୍ରଶାନ୍ତ ଗୁରୁତର ହୋଇଥିଲେ | ଖବର ପାଇ ଟିକିରି ପୁଲିସ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ପ୍ରଶାନ୍ତଙ୍କୁ ଉଦ୍ଧାର କରି ନିକଟସ୍ଥ ଉତ୍କଳ ହସ୍ପିଟାଲରେ ଭର୍ତ୍ତି କରିଥିଲେ । କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ | ଦୁର୍ଘଟଣା ଖବର ପାଇ ପରିବାର ଓ ମୃତକଙ୍କ ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚିଥିଲେ | କିନ୍ତୁ ଘଟଣାସ୍ଥଳରେ ପ୍ରଶାନ୍ତଙ୍କ ମୃତଦେହ କିମ୍ବା ବାଇକ୍ ପାଇନଥିଲେ । ଘଟଣାକୁ ଚପାଇ ଦେବାକୁ ଉଦ୍ୟମ କରିବା ଅଭିଯୋଗ ଏବଂ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ଉତ୍ତ୍ୟକ୍ତ ଲୋକେ ରାସ୍ତା ଅବରୋଧ କରିଥିଲେ। ଏଥିସହ ପୁଲିସ ସହିତ ଗଣ୍ଡଗୋଳ କରି ପୋଲିସ ଅଧିକାରୀ ଓ କର୍ମଚାରୀ ଙ୍କୁ ଲାତ ଗୋଇଠା ମାଡ଼ ମାରିଥିବାରୁ ଘଟଣା ସ୍ଥଳରେ ଚାପା ଉତେଜନା ସୃଷ୍ଟି ହୋଇଥିଲା। ମୃତ ପ୍ରଶାନ୍ତଙ୍କ ପତ୍ନୀଙ୍କୁ ଥଇଥାନ ଏବଂ କ୍ଷତିପୂରଣ ଯୋଗାଇ ଦେବାକୁ ଦାବି କରିଥିଲେ ଅପରାହ୍ନରେ ପ୍ରଶାସନିକ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ମୃତକଙ୍କ ପରିବାରକୁ ରେଡ୍‌କ୍ରସ ପାଣ୍ଠିରୁ ୧୦ ହଜାର ଟଙ୍କା ପ୍ରଦାନ କରିବା ପରେ ରାସ୍ତାରୋକ ପ୍ରତ୍ୟାହୃତ ହୋଇଥିଲେ ।

hiranchal ad1
Leave A Reply

Your email address will not be published.

thirteen − one =