ନୈତିକତାକୁ ବ୍ରତ ପାଇଁ ଡାକ୍ତରଙ୍କୁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଆହ୍ୱାନ

0 24

ବଲାଙ୍ଗିର,୨୧/୬:- ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷଠାରେ ଆଜି ଓଡିଶା ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଜିଲ୍ଲାର ସ୍ୱାସ୍ଥ୍ୟ ବିଭାଗର ବିଭିନ୍ନ କାର୍ଯ୍ୟକ୍ରମ ଉପରେ ମନ୍ତ୍ରୀ ସମୀକ୍ଷା କରିଥିଲେ । ଡାକ୍ତର ଅଭାବ ତଥା ମାନବ ସଂସାଧନ ବୃଦ୍ଧି ଦିଗରେ ଆଲୋଚନା ହୋଇଥିଲା । ଡାକ୍ତରମାନେ ନୈତିକତାକୁ ବ୍ରତ ରୂପେ ପାଳନ କରିବାସହ ରୋଗୀଙ୍କୁ ଉତ୍ତମ ବ୍ୟବହାର କରିବାକୁ ଡ. ମହାଲିଙ୍ଗ ପରାମର୍ଶ ଦେଇଛନ୍ତି । ଲମ୍ବା ତଥା ବର୍ଷ ବର୍ଷ ଧରି ଛୁଟିରେ ରହୁଥିବା ଡାକ୍ତର ମାନଙ୍କୁ ଲମ୍ବା ଛୁଟିର କାରଣ ଦର୍ଶାଇବାକୁ ସିଡିଏମଓଙ୍କୁ ନିର୍ଦ୍ଦେଶ ଦେଇଥିଲେ । କୌଣସି ରୋଗୀ କିମ୍ବା ରୋଗୀ ସମ୍ପର୍କୀୟ ଆମ୍ବୁଲାନ୍ସ ସେବାରୁ ଯେପରି ବଞ୍ଚିତ ନହୁଅନ୍ତି ସେ ଦିଗରେ ଧ୍ୟାନ ଦେବାକୁ କହିଥିଲେ । ୭ ଦିନ ଭିତରେ ଅବ୍ୟବହୃତ ମେଡିକାଲ ସାମଗ୍ରୀ ଗୁଡିକର ତାଲିକା ଦେବାକୁ ଡ. ମହାଲିଙ୍ଗ ନିର୍ଦ୍ଦେଶ ଦେଇଥିଲେ । ଭୀମଭୋଇ ମେଡିକାଲ କଲେଜର ୨ ବର୍ଷରୁ ଉଦ୍ଧ୍ୱର୍ ଧରି ୨ ଗୋଟି ଅଚଳ ଅକ୍ସିଜେନ ପ୍ଳାଣ୍ଟକୁ ନେଇ କ୍ଷୁବ୍ଧ ହେବା ସହ ଯଥା ଶୀଘ୍ର ମରାମତି ପାଇଁ ମେଡିକାଲ ସୁପରିଟେଣ୍ଡେଣ୍ଟଙ୍କୁ କହିଛନ୍ତି । ସମସ୍ୟାର ସମାଧାନ ଛଡା ଅନ୍ୟ କୌଣସି ବିକଳ୍ପରୁ ବିରତ ରହିବାକୁ କହିଛନ୍ତି । କର୍ମରେ ଅବହେଳାକୁ ପ୍ରଶୟ ନ ଦେବାକୁ ସେ ତାଗିଦ କରିଛନ୍ତି । ନିର୍ମଳ ଯୋଜନାରେ ସମସ୍ତ ମେଡିକାଲର ସଫେଇ କାର୍ଯ୍ୟ ଯେପରି ସୁରୁଖୁରୁରେ ହେବ ତଥା ସମ୍ପୃକ୍ତ ଏଜେନ୍ସୀ ଦରକାର ମୁତାବକ ମାନବ ସଂଶାଧନ ଯୋଗେଇ ଦେବାକୁ ଆଦେଶ ଦେଇଛନ୍ତି । “ସମସ୍ତଙ୍କ ପାଇଁ ଉତ୍ତମ ସ୍ୱାସ୍ଥ୍ୟ” ଆଧାରରେ ମନ୍ତ୍ରଣାଳୟ କାମ କରିବ । ସେଥିପାଇଁ ସେ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ଆରୋଗ୍ୟ କେନ୍ଦ୍ରରେ ଯେମିତି ସବୁଦିନ ଯୋଗ ପ୍ରଶିକ୍ଷକଙ୍କ ଦ୍ୱାରା ଯୋଗ ହେବ ସେଥିପାଇଁ ଧ୍ୟାନ ଦେବାକୁ ସିଡିଏମଓଙ୍କୁ ନିର୍ଦ୍ଦେଶ ଦେଇଥିଲେ । ସାମାଜିକ ଗଣମାଧ୍ୟମ ‘ଏକ୍ସ’ ରେ ସମସ୍ତ ଡାକ୍ତରଖାନା ନିଜସ୍ୱ ଆକାଉଣ୍ଟ ଖୋଲି ଅଭିଯୋଗର ଯଥା ଶୀଘ୍ର ସମାଧାନ କରିବାକୁ କହିଥିଲେ । ଏହା ସହ ସମସ୍ତ ମେଡିକାଲର ନୂତନ ଓ ପୁରୁଣା କୋଠା, ମେଡିସିନ ଉପଲବ୍ଧତା ଆଦି ବିଷୟରେ ଅଲୋଚନା କରିଥିଲେ । ଏହି ସମୀକ୍ଷା ବୈଠକରେ ଟିଟିଲାଗଡ ବିଧାୟକ ନବୀନ ଜୈନ , କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ , ଅତିରିକ୍ତ ଜିଲ୍ଲାପାଳ ଡ. ବିଜୟାନନ୍ଦ ସେଠୀ, ଜିଲ୍ଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଶ୍ରୀ ପ୍ରଭାତ କୁମାର ମହାପାତ୍ର, ଭୀମଭୋଇ ମେଡିକାଲ କଲେଜ ଡିନ ପ୍ରିନ୍ସିପାଲ ଡ ସ୍ୱୟମପ୍ରଭା ପ୍ରଧାନ, ସିଡିଏମଓ ଡ ପ୍ରଦୀପ କୁମାର ଗୁରୁ , ଭୀମଭୋଇ ମେଡିକାଲ କଲେଜ ସୁପରିଟେଣ୍ଡେଣ୍ଟ ମାନସୀ ପଣ୍ଡା , ଡିପିଏଚଓ ଡ ଦିବ୍ୟକିଶୋର ପତି , ଅତିରିକ୍ତ ସୁପେରିଟେଣ୍ଡେଣ୍ଟ ଡ. ପ୍ରଭାତ କୁମାର ଦାଶ, ଏଡିପିଏଚଓ ଡ. କୁବେର ଚନ୍ଦ୍ର ମହନ୍ତ, ଏଡିପିଏଚଓ ଡ. ସୁଦ୍ଧା ବାର୍ଲା, ଏଡିପିଏଚଓ ସିଦେ୍ଧଶ୍ୱର ମାଝି ପ୍ରମୁଖ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

6 + 13 =