ରାଉରକେଲା : ରାଉରକେଲା ବିମାନ ଦୁର୍ଘଟଣାସ୍ଥଳରେ ପରିବହନ ମନ୍ତ୍ରୀ। ସ୍ଥିତି ଅନୁଧ୍ୟାନ କଲେ ବିଭୂତି ଜେନା। କହିଲେ ଦୁର୍ଘଟଣା ଅଭାବନୀୟ ଥିଲା, ହେଲେ ଭଗବାନ ରକ୍ଷା କରିଦେଲେ। ସମସ୍ତଙ୍କୁ ତତ୍କାଳ ଉଦ୍ଧାର କରାଯାଇଥିଲା। ଆହତଙ୍କ ସର୍ବୋତ୍ତମ ଚିକିତ୍ସା ପାଇଁ ସରକାର ପ୍ରସ୍ତୁତ। କାହିଁକି ଦୁର୍ଘଟଣା ଘଟିଲା ତାହାକୁ ନେଇ ଆମେ ଚିନ୍ତିତ। ସମସ୍ତେ ସୁରକ୍ଷିତ ଭାବେ ଉଦ୍ଧାର ହେବା ଭଗବାନଙ୍କ ଆଶୀର୍ବାଦ। ଏଭଳି ଘଟଣାର ଯେପରି ପୁନରାବୃତ୍ତି ନହୁଏ ସେଥିପାଇଁ ତଦନ୍ତ ଚାଲିଛି।

ଭୁବନେଶ୍ୱରରୁ ରାଉରକେଲା ଯାଉଥିବା ଇଣ୍ଡିଆ ୱାନ୍ ଏୟାର୍ର ୯-ସିଟର ବିମାନ ଦୁର୍ଘଟଣାରେ ଆଳି ଥାନା ମାଣିକପାଟଣାର ଭାଇ ଭଉଣୀ ସୁଶାନ୍ତ ବିଶ୍ୱାଳ ଓ ଅନିତା ସାହୁ ଗୁରୁତର ହୋଇଛନ୍ତି । ତେବେ ବିମାନ ଦୁର୍ଘଟଣା ପାଇଁ କର୍ତ୍ତୃପକ୍ଷ ଓ ପାଇଲଟ୍ଙ୍କ ଅବହେଳାକୁ ଦାୟୀ କରିଛନ୍ତି ସୁଶାନ୍ତଙ୍କ ଭାଇ ରଞ୍ଜନ ବେହେରା । ତାଙ୍କ କହିବା କଥା, ସେଦିନ ଭୁବନେଶ୍ୱରରୁ ୧୦ଟା ୧୦ରେ ବିମାନ ଛାଡ଼ିବାର ଥିଲା । ହେଲେ ବିମାନ ୧୨ ଟା ୨୭ ମିନିଟ୍ରେ ବିମାନବନ୍ଦର ଛାଡ଼ିଥିଲା । ପ୍ରାୟ ଅଢ଼େଇ ଘଣ୍ଟା ପରେ ବିମାନ ଉଡ଼ାଣ କରିଥିଲା । ବିମାନ ବନ୍ଦର କର୍ତ୍ତୃପକ୍ଷ ଓ ପାଇଲଟ୍ ଜାଣିଥିଲେ ଯେ କିଛି ତ୍ରୁଟି ରହିଛି ଯାହା ଫଳରେ ବିମାନର ମରାମତି କରାଯାଇଥିଲା । ଯେଉଁଥିପାଇଁ ବିଳମ୍ବ ହୋଇଥିଲା । ଏହି ଘଟଣା ପାଇଁ ବିମାନ କର୍ତ୍ତୃପକ୍ଷ ଦାୟୀ । ବିମାନରେ ତ୍ରୁଟି ଥିବା ଜାଣିବା ପରେ ଜନବସତି ପୂର୍ବରୁ ପାଇଲଟ୍ ଅବତରଣ କରିଥିଲେ । ଯଦି ବିମାନରେ ତ୍ରୁଟି ଥିବା ଜାଣିଥିଲେ ତା’ ହେଲେ ବିମାନ ଉଡ଼ାଣ ବାତିଲ ନକରି ପାଇଲଟ୍ କାହିଁକି ରିସ୍କ ନେଇଥିଲେ? ନିୟମିତ ଇଞ୍ଜିନ୍ ଯାଞ୍ଚ କରାଯିବା ନିୟମ ପାଳନ କରାଯାଇନାହିଁ, ଏଥିରେ ଅବହେଳା କରାଯାଇଥିବା ରଞ୍ଜନ ଅଭିଯୋଗ ଆଣିଛନ୍ତି ।
