ହରଭଙ୍ଗା,୬/୯:- ବହୁପୁରାତନ ଜଗନ୍ନାଥ ସଡକ ଏବେ ଶୋଚନୀୟ ହୋଇପଡିଛି । ନୂତନ ନିର୍ମାଣଧୀନ ଧଳପୁର-ଆଠମଲ୍ଲିକ ମହାନଦୀ ସେତୁକୁ ସଂଯୋଗ କରୁଥିବା ଅପ୍ରୋଚରାସ୍ତାକୁ ଲାଗି ସେତୁ ତଳେ ଦୀର୍ଘ ବର୍ଷ ଧରି ରାସ୍ତା ସମସ୍ୟା ଲାଗି ରହିଛି । ବହୁ ସମୟରେ ବ୍ଲକ ପ୍ରଶାସନ, ନେତା ମନ୍ତ୍ରୀ ଓ ପୂର୍ତ୍ତର୍ ବିଭାଗକୁ ବାରମ୍ବାର ଗୁହାରି କରିବା ସହିତ ବହୁ ସମୟରେ ଗଣମାଧ୍ୟମରେ ପ୍ରକାଶ ପାଇ ଆସୁଥିଲେ ମଧ୍ୟ ରାସ୍ତାର ମରାମତି କିମ୍ବା ପୁନଃ ନିର୍ମାଣ ହୋଇ ନପାରିବାରୁ ଗୋଟିଏ ସପ୍ତାହ ହେଲା ଉକ୍ତ ସ୍ଥାନରେ ବହୁ ମାଲବାହୀ ଟ୍ରକ ଫସିବା, ଆମ୍ବୁଲାନ୍ସ ଯାଇନପାରିବା, ଦୁର୍ଘଟଣା ଘଟିବା ଓ ସରକାରୀ ବସ ଫେରିଯିବା ଭଳି ଘଟଣା ଘଟି ଆସୁଛି । ଉକ୍ତ ରାସ୍ତାଟି ବୌଦ୍ଧ, ଅନଗୁଳ ଓ ଫୁଲବାଣୀ ଜିଲ୍ଲାକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ଅଟେ । ରାସ୍ତା ସମସ୍ୟାର ପ୍ରତିବାଦ ରେ ଆଜି ସ୍ଥାନୀୟ ଅଞ୍ଚଳର ସାଧାରଣ ଜନତା ଓ ବିଜେପି କର୍ମୀ ତଥା ପୂର୍ବତନ ଜିଲ୍ଲାପରିଷଦ ପ୍ରାଥୀ ଅରୂପା ଦୀପ ଏକ ଅଭିନବ ପ୍ରତିବାଦରେ କାଦୁଅ ରାସ୍ତାରେ ଧାନ ତଳି ଲଗାଇ, ଜାତୀୟ ପତାକା ଧରି କାଦୁଅରେ ବସି ରହିଥିଲେ । ଯେତେଦିନ ପର୍ଯ୍ୟନ୍ତ ଏହି ରାସ୍ତାର ସମାଧାନ ନହେବ ସେତେଦିନ ପର୍ଯ୍ୟନ୍ତ ଏହି ପ୍ରତିବାଦ ଚାଲୁ ରହିବ ଓ ପ୍ରତିବାଦରେ ଯଦି କାହାର କଣ କ୍ଷତି ହୁଏ ଜିଲ୍ଲା ପ୍ରଶାସନ ଏଥିପାଇ ଦାୟୀ ରହିବେ ବୋଲି ବିଜେପି ନେତା ଅରୂପା ଦୀପ କହଥିଲେ । ଏହି ପ୍ରତିବାଦକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉଷ୍ଣତା ଧୀରେ ଧୀରେ ବଢୁଥିବାବେଳେ ଖବରପାଇ ସଂପୃକ୍ତ ପୂର୍ତ୍ତବିଭାଗ ଯନ୍ତ୍ରୀ ପ୍ରତିବାଦ ସ୍ଥଳରେ ପହଞ୍ଚି ସଙ୍ଗେସଙ୍ଗେ ଉକ୍ତ ରାସ୍ତା କାର୍ଯ୍ୟ ଆରମ୍ଭ କରିବା ସହିତ ଯଥାଶୀଘ୍ର ଉକ୍ତ କାଦୁଅ ହେଉଥିବା ସ୍ଥାନର ରାସ୍ତା ଉନ୍ନତିକରଣ କରିବାର ପ୍ରତିଶୃତି ଦେବାରୁ ପ୍ରତିବାଦରୁ ଜନତା ଓହରି ଥିଲେ ।