ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଖୋଲିବା ପ୍ରସଂଗ, ଶ୍ରୀମନ୍ଦିର କାର୍ଯ୍ୟାଳୟ ଘେରାଉ କଲା ଭାରତ ବିକାଶ ପରିଷଦ

0 91

ପୁରୀ : ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଖୋଲିବା ଦାବୀ ନେଇ ଶ୍ରୀ ମନ୍ଦିର କାର୍ଯ୍ୟାଳୟ ଘେରାଉ କରିଛି ଭାରତ ବିକାଶ ପରିଷଦ । ପୁରୀ ରେଲୱେ ଷ୍ଟେସନରୁ ଏକ ରାଲିରେ ସଙ୍ଗଠନର କର୍ମକର୍ତ୍ତା ଆସି ଶ୍ରୀମନ୍ଦିର କାର୍ଯ୍ୟାଳୟ ଆଗରେ ପହଂଚି ବିକ୍ଷୋଭ କରିଥିଲେ । ତୁରନ୍ତ ସରକାର ରତ୍ନ ଭଣ୍ଡାର ଖୋଲି ଭକ୍ତଙ୍କୁ ମହାପ୍ରଭୁଙ୍କ ଅଳଙ୍କାର ସ୍ଥିତି ଜଣାଇବାକୁ ଭାରତ ବିକାଶ ପରିଷଦ ଦାବି କରିଚି । ଏ ନେଇ ଏକ ଦାବିପତ୍ର ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଂଜନ କୁମାର ଦାଶଙ୍କୁ ପ୍ରଦାନ କରାଯାଇଛି । ଏହି ପ୍ରତିବାଦରେ ସାମିଲ ଥିବା ଜଗନ୍ନାଥ୍‌ ସେନାର ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ କହିଛନ୍ତି ରାଜ୍ୟ ସରକାର କଣ ପାଇଁ ରତ୍ନ ଭଣ୍ଡାର ଖୋଲିବାକୁ ପଛ ଘୁଂଚା ଦେଉଛନ୍ତି । କୋଟି କୋଟି ଜଗନ୍ନାଥ ପ୍ରେମୀ ଏହାକୁ ନେଇ ଏବେ ସନ୍ଦେହ କରୁଛନ୍ତି । ରତ୍ନ ଭଣ୍ଡାରରେ ଆଉ ରତ୍ନ ଅଳଙ୍କାର ଅଛି ନା କିଏ ଲୁଟ କରି ନେଇଛି ତାକୁ ନେଇ ପ୍ରଶ୍ନ ଉଠିଛି । ଏଣୁ ଏହି ସନ୍ଦେହକୁ ଦୂର କରିବା ପାଇ ରାଜ୍ୟ ସରକାର ତୁରନ୍ତ ରତ୍ନ ଭଣ୍ଡାର ଖୋଲି ଦିଅନ୍ତୁ । ନ ହେଲେ ଆଗାମୀ ଦିନରେ ବ୍ୟାପକ ବିରୋଧ ହେବ ।
ଏହି ଆନ୍ଦୋଳନର ନେତୃତ୍ୱ ନେଇଥିବା ଭାରତ ବିକାଶ ପରିଷଦ ସଭାପତି ସୁରେନ୍ଦ୍ର ପାଣିଗ୍ରାହୀ କହିଛନ୍ତି ମହାପ୍ରଭୁଙ୍କ ରତ୍ନ ଭଣ୍ଡାର ଅସୁରକ୍ଷିତ ଅବସ୍ଥାରେ ରହିଛି । ବର୍ଷା ଦିନେ ରତ୍ନ ଭଣ୍ଡାର ଛାତରୁ ବର୍ଷା ପାଣି ଗଲୁଛି । ଏହାର ମରାମତି କରିବା ପାଇଁ ସେବାୟତ, ଗଜପତି ମହାରାଜା, ଭକ୍ତମାନେ ବି କହି ସାରିଛନ୍ତି । ହେଲେ ରାଜ୍ୟ ସରକାର ପଛ ଘୁଂଚା ଦେଉଛନ୍ତି । ଏଣୁ ରତ୍ନ ଭଣ୍ଡାରରେ ରତ୍ନ ଅଛି ନା କେହି ଲୁଟି ନେଇଛି ତାହା ଏବେ ସନ୍ଦେହ ହୋଇଚି । ଏଣୁ ରତ୍ନ ଭଣ୍ଡାରରେ ରତ୍ନ କେତେ ସୁରକ୍ଷିତ ତାକୁ ସରକାର ସାର୍ବ ଜନୀନ କରିବାକୁ ଭାରତ ବିକାଶ ପରିଷଦ ଦାବୀ କରିଚି । ସେପଟେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଚନ୍ତି ରତ୍ନ ଭଣ୍ଡାର ମାମଲା ଏବେ କୋର୍ଟରେ ରହିଛି । ଏହା ଉପରେ କୌଣସି ମତ ସେ ଦେଇ ପାରିବେ ନାହିଁ । ତେବେ ରତ୍ନ ଭଣ୍ଡାର ଖୋଲିବା ଦାବିପତ୍ରକୁ ସେ ଗ୍ରହଣ କରୁଛନ୍ତି । ରାଜ୍ୟ ସରକାରଙ୍କୁ ଏ ନେଇ ଅବଗତ କରାଇବେ । ରତ୍ନ ଭଣ୍ଡାର ଖୋଲିବା ପାଇଁ ଦାବୀ ବଢୁଥିବା ବେଳେ ରାଜ୍ୟ ସରକାରଙ୍କ ପାଇଁ ଏହି ଅବହେଳା ଆଗାମୀ ଦିନରେ ମହଙ୍ଗା ହେବ ବୋଲି ଚର୍ଚ୍ଚା ହେଉଛି ।

hiranchal ad1
Leave A Reply

Your email address will not be published.

19 − seventeen =