ବାଲିଗୁଡ଼ା: କିଛି ଦିନର ନୀରବତା ପରେ କନ୍ଧମାଳ ଜିଲ୍ଲା ବେଲଘର କୋଟଗଡ଼ ଥାନା ସିମାନ୍ତରେ ମାଓ ଗତିବିଧି ଦେଖାଦେଇଛି । ଏସ୍ଓଜି ଓ ସିଆରପିଏଫ୍ ଜବାନଙ୍କ ମିଳିତ କୁମ୍ବିଂ ଅପରେସନ ବେଳେ ବିଲାମାଳ ପଞ୍ଚାୟତର ମୁଣ୍ଡିମାସ୍କା ଜଙ୍ଗଲରେ ସୁରକ୍ଷାକର୍ମୀ ମାଓବାଦୀ ମୁହାଁମୁହିଁ ହେବା ପରେ ଉଭୟଙ୍କ ମଧ୍ୟରେ ଗୁଳିବିନିମୟ ଘଟିଥିବା ଜଣାପଡ଼ିଛି । କିଛି ସମୟ ଉଭୟଙ୍କ ମଧ୍ୟରେ ଗୁଳିବିନିମୟ ପରେ ମାଓବାଦୀ ଛତ୍ରଭଙ୍ଗ ଦେଇଥିବା ସୂଚନା ମିଳୁଛି । ଘଟଣାସ୍ଥଳରେ ଏବେ ବି ଏସ୍ଓଜି ଓ ସିଆରପିଏଫ୍ ଜବାନଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ୍ ଜାରି ରହିଛି । ସମ୍ପୃକ୍ତ ଜଙ୍ଗଲରେ ସୁରକ୍ଷାକର୍ମୀ ମାଓ କ୍ୟାମ୍ପ ଠାବ କରିବା ସହ ସେଠାରୁ ଗୋଟିଏ ବନ୍ଧୁକ ସମେତ, ଖାଇବା ସାମଗ୍ରୀ ଏବଂ ଅନେକ ମାଓ ସାମଗ୍ରୀ ଜବତ ହୋଇଥିବା ସୂଚନା ମିଳିଛି । ସୂଚନା ପ୍ରକାରେ ବେଲଘର ଥାନା ଅନ୍ତର୍ଗତ ବିଲାମାଳ ନିକଟସ୍ଥ ମୁଣ୍ଡିମାସ୍କା ଜଙ୍ଗଲରେ ମାଓ ଗତିବିଧି ସମ୍ପର୍କରେ ଗୁଇନ୍ଦା ବିଭାଗ ପକ୍ଷରୁ ସୂଚନା ପାଇ ୧୦ ଟି ଏସ୍ଓଜି ଟିମ୍ ଓ ସିଆରପିଏଫ୍ ୧୨୭ ବାଟାଲିୟନର ୪ଟି ଟିମ୍ ସମ୍ପୃକ୍ତ ଅଞ୍ଚଳରେ କୁମ୍ବିଂ ଅପରେସନକୁ ଜୋରଦାର କରିଥିଲେ । ଅପରେସନ୍ ବେଳେ ସିଆରପିଏଫ୍ ଜବାନଙ୍କ ସହ ମାଓବାଦୀଙ୍କ ମୁହାଁମୁହିଁ ହେବାପରେ ଉଭୟଙ୍କ ମଧ୍ୟରେ ଗୁଳିବିନିମୟ ଘଟିଥିଲା । ବର୍ତ୍ତମାନ ସମୟରେ ସମ୍ପୃକ୍ତ ଅଞ୍ଚଳକୁ ଘେରାବନ୍ଦି କରି ସୁରକ୍ଷାକର୍ମୀଙ୍କ ପକ୍ଷରୁ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଥିବା ବିଶ୍ବସ୍ତ ସୂତ୍ରରୁ ଜଣାପଡ଼ିଛି।
