ବିବାଦୀୟ ଆନ୍ଧ୍ର ମନ୍ତ୍ରୀଙ୍କୁ ଗୋଷାଣୀ ବ୍ଲକ୍ ଅଧ୍ୟକ୍ଷଙ୍କ ସମ୍ବର୍ଦ୍ଧନା ପ୍ରସଂଗ, ତୀବ୍ର ନିନ୍ଦା କଲା ଜିଲ୍ଲା କଂଗ୍ରେସ
ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ଠରେ ଜିଲ୍ଲା କଂଗ୍ରେସ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା ।
ବିବାଦୀୟ ଆନ୍ଧ୍ର ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା ଦିଆଯିବା ପ୍ରସଂଗରେ ପ୍ରତିବାଦ ଜଣାଇଛି କଂଗ୍ରେସ । ଆନ୍ଧ୍ର ସରକାରଙ୍କ ମତ୍ସ୍ୟ ଓ ପଶୁ ସମ୍ପଦ ବିଭାଗ ମନ୍ତ୍ରୀ ସିଧି ଆପଲା ରାଜୁ ଗଜପତି ଜିଲ୍ଲା ଗସ୍ତରେ ଆସିଥିବା ବେଳେ ଗୋଷାଣୀ ବ୍ଳକ ଅଧ୍ୟକ୍ଷଙ୍କ ଦ୍ୱାରା ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା, ଯାହାର ପ୍ରତିବାଦ ଜଣାଇଛନ୍ତି ଜିଲ୍ଲା କଂଗ୍ରେସ ଉପ ସଭାପତି ବସନ୍ତ କୁମାର ପଣ୍ଡା । ୨୦୨୧ ମସିହା ସେପ୍ଟେମ୍ବର ମାସରେ ଗଜପତି ଜିଲ୍ଲାର ସୀମାନ୍ତ ବିବାଦୀୟ ଅଞ୍ଚଳ ଗଙ୍ଗାବାଡ ମାଣିକପାଟଣା ଗ୍ରାମରେ ଅଙ୍ଗନବାଡି କେନ୍ଦ୍ରକୁ ନେଇ ଉଠିଥିବା ବିବାଦରେ ଗଜପତି ଜିଲ୍ଲା ପ୍ରଶାସନର ଉପସ୍ଥିତିରେ ଆନ୍ଧ୍ର ମନ୍ତ୍ରୀ ନିଜ ଦଳବଳ ଓ କିଛି ଆନ୍ଧ୍ର ସରକାରୀ ଅଧିକାରୀଙ୍କୁ ଧରି ଧସେଇ ପଶି ଗଜପତି ଜିଲ୍ଲାର ପ୍ରଶାସନିକ ଅଧିକାରୀ, ସ୍ଥାନୀୟ ଜନପ୍ରତିନିଧିଙ୍କୁ ଧମକ ଦେବା ସହ ଅଶଭ୍ୟ ବ୍ୟବହାର କରିଥିଲେ । ଯାହାକୁ ନେଇ ସେହି ସମୟରେ ବିବାଦୀୟ ପରିସ୍ଥିତି ସହ ଘଟଣା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲା । ଘଟଣାକୁ ସେହି ସମୟରେ ରାଜ୍ୟ ସ୍ତରୀୟ ନେତୃବୃନ୍ଦ ମଧ୍ୟ ତୀବ୍ର ସମାଲୋଚନା କରିବା ସହ ଘଟଣା ସ୍ଥଳ ପରିଦର୍ଶନ କରିଥିଲେ । ଗୋଷାଣୀ ବ୍ଳକ ଅଧ୍ୟକ୍ଷ ବିବାଦୀୟ ମନ୍ତ୍ରୀଙ୍କୁ ନିଜ ବ୍ଳକ ନିକଟରେ ଉପଢୌକନ ସହ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଛନ୍ତି ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଘଟଣାକୁ ନେଇ ଜିଲ୍ଲା କଂଗ୍ରେସ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ତିବ୍ର ନିନ୍ଦା କରାଯାଇଛି । ଏହି ଘଟଣାକୁ ନେଇ କଂଗ୍ରେସ ଆନ୍ଦୋଳନ ଓହ୍ଲାଇବ ବୋଲି ଚେତାବନୀ ଦେଇଛି । ଏହି ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ କଂଗ୍ରେସ ନେତା ପୂର୍ବତନ ଗୋଷାଣୀ ବ୍ଲକ୍ ଚେୟାରମ୍ୟାନ ଜୟମହୋନ ରାଓ, ଅଭିମନ୍ୟୁ ପଣ୍ଡା ସମ୍ପାଦନା ଜିଲ୍ଲା କଂଗ୍ରେସ ତଥା ପୂର୍ବତନ ଉପାଧ୍ୟକ୍ଷ ପାରଳାପୌର ପରିଷଦ, ସଂଗ୍ରାମ ସାହୁ ପୂର୍ବତନ ଜିଲ୍ଲା ଛାତ୍ର ସଭାପତି, ବସନ୍ତ କୁମାର ପଣ୍ଡା ଜିଲ୍ଲା ଉପ ସଭାପତି ଏହି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ ।