ସୁବର୍ଣ୍ଣପୁର: ନବଦିନାତ୍ମକ ଯାତ୍ରା ସାରି ଆଜି ହଜାର ହଜାର ଭକ୍ତଙ୍କ ଗହଣରେ ଛଳିଆ ପାହାଡ ସ୍ଥିତ ଶ୍ରୀମନ୍ଦିରକୁ ବିଜେ କରିଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ପ୍ରଥମେ ଗୋଟି ପହଣ୍ଡିରେ ସୁଦର୍ଶନ, ବଳଭଦ୍ର, ସୁଭଦ୍ରା,ଜଗନ୍ନାଥଙ୍କୁ ନେବାବେଳେ ଭକ୍ତଙ୍କ ହୁଳହୁଳି ଓ ଘଣ୍ଟ ନାଦରେ ପ୍ରକମ୍ପିତ ହୋଇଉଠିଥିଲା ସମଗ୍ର ପାତାଳି କ୍ଷେତ୍ର । ଗୋବର୍ଦ୍ଧନ ମିଶ୍ର, ଲକ୍ଷ୍ମଣ ନାୟକ, ସୁଧାଂଶୁ ଶେଖର ପୁରୋହିତ, ଅନିରୁଦ୍ଧ ପାଢ଼ୀ ପ୍ରମୁଖଙ୍କ ଦ୍ୱାରା ପହଣ୍ଡି ଗୀତ ପରିବେଷଣ କରାଯାଇଥିବା ବେଳେ ସୋନପୁରର ମହିଳା ସଂକୀର୍ତ୍ତନ ଦଳ ଓ ଘଣ୍ଟୁଆଳମାନଙ୍କ ଘଣ୍ଟ ନାଦରେ ମୁଖରିତ ଛଳିଆ କନ୍ଦର ସତେ ଯେମିତି ଏକ ଭକ୍ତି ଭାବମୟ ପରିବେଶରେ ଉଚ୍ଛୁଳି ଉଠିଥିଲା । ବିଧିଅନୁଯାୟୀ ଲକ୍ଷ୍ମୀ ନାରାୟଣଙ୍କ କଳି ଗୀତ ବିଶ୍ୱେଶର ପାଢ଼ୀ, ଶ୍ରୀରାମ ପଣ୍ଡା ଗାଇଥିଲେ । ମା’ ମହାଲକ୍ଷ୍ମୀଙ୍କ ମାନଭଞ୍ଜନ ସହ ରସଗୋଲା ଭୋଗ ଅର୍ପଣ କରାଯାଇଥିଲା । ମେଘୁଆ ପାଗସତ୍ତେ୍ୱ୍ୱ ବହୁ ଭକ୍ତଙ୍କ ସମାଗମ ହୋଇଥିବା ବେଳେ ସମସ୍ତ ରୀତିନୀତି ଅନୁଯାୟୀ ଆରତୀ, ପ୍ରତିଷ୍ଠାଦି ନୀତି ଚତୁର୍ଦ୍ଧା ବିଗ୍ରହଙ୍କ ରତ୍ନ ସିଂହାସନ ବିଜେ ଅନୁଷ୍ଠିତ କରାଯାଇଥିଲା । ଆଜି ସ୍ଥାନୀୟ ସ୍କାଉଟ ପିଲା ପାନୀୟ ଜଳ ବିତରଣ କରିଥିବା ବେଳେ ଶାନ୍ତି ଶୃଙ୍ଖଳା ରକ୍ଷାପାଇଁ ପ୍ରଶାସନ ଓ ରଥଯାତ୍ରା କମିଟି ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଥିଲା ।