ପ୍ରକାଶ ପାଇଲା ବୌଦ୍ଧ ଜିଲ୍ଲାର ଚୂଡାନ୍ତ ଭୋଟର ତାଲିକା-୨୦୨୪

0 96

ବୌଦ୍ଧ : ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଚୂଡାନ୍ତ ଭୋଟର ତାଲିକା -୨୦୨୪ ଆଜି ପ୍ରକାଶିତ ହୋଇଅଛି । ଜିଲ୍ଲା ନିର୍ବାଚନ ଅଧିକାରୀ ତଥା–ଜିଲ୍ଲାପାଳ, ବୌଦ୍ଧ ଏହି ସଭାରେ ଅଧ୍ୟକ୍ଷତା କରିଥିଲେ । ୮୫-କଣ୍ଟାମାଳ ନିର୍ବାଚନ ମଣ୍ଡଳୀ ଏବଂ ୮୬-ବୌଦ୍ଧ ନିର୍ବାଚନ ମଣ୍ଡଳୀ ର ଭୋଟର ପଞ୍ଜୀକରଣ ଅଧିକାରୀ ତଥା ଉପ–ଜିଲ୍ଲାପାଳ, ବୌଦ୍ଧ ଏହି ଚୂଡାନ୍ତ ଭୋଟର ତାଲିକାକୁ ପ୍ରକାଶନ କରିଥିଲେ । ଅତିରିକ୍ତ ଜିଲ୍ଲାପାଳ ବୌଦ୍ଧ, ଡେପୁଟି କଲେକ୍ଟର ( ନିର୍ବାଚନ), ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ପ୍ରମୁଖ ଉପସ୍ଥିତ ରହିଥିଲେ । ସମସ୍ତ ଜାତୀୟ ଏବଂ ରାଜ୍ୟସ୍ତରୀୟ ମାନ୍ୟତାପ୍ରାପ୍ତ ରାଜନୈତିକ ଦଳର ପ୍ରତିନିଧି ମାନଙ୍କ ଉପସ୍ଥିତିରେ ଏହି ଭୋଟର ତାଲିକା ପ୍ରକାଶିତ ହୋଇଥିଲା । ଉପ–ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମେତ ସମସ୍ତ ସହକାରୀ ଭୋଟର ପଞ୍ଜୀକରଣ ଅଧିକାରୀଙ୍କ କାର୍ଯ୍ୟଳୟରେ ଏହି ତାଲିକା ପ୍ରକାଶନ କରାଯାଇଛି । ଜିଲ୍ଲାର ସର୍ବମୋଟ ୪୧୧ ଭୋଟ ଗ୍ରହଣ କେନ୍ଦ୍ରରେ ବୁଥ ସ୍ତରୀୟ ଅଧିକାରୀ (ବିଏଲଓ) ମାନେ ଉପସ୍ଥିତ ରହି ଏହି ଚୂଡାନ୍ତ ଭୋଟର ତାଲିକାକୁ ପ୍ରକାଶିତ କରିଛନ୍ତି । ଏହି ଚୂଡାନ୍ତ ଭୋଟର ତାଲିକାର ଯୋଗ୍ୟତା ତାରିଖ ହେଉଛି ୦୧.୦୧.୨୦୨୪ । ଆଜି ପ୍ରକାଶିତ ହୋଇଥିବା ଚୂଡାନ୍ତ ଭୋଟର ତାଲିକା ଅନୁଯାୟୀ ଜିଲ୍ଲାର ସର୍ବମୋଟ ଭୋଟର ହେଉଛି ୩,୩୨,୬୯୨ ତନ୍ମଧ୍ୟରୁ ୮୫-କଣ୍ଟାମାଳ ନିର୍ବାଚନ ମଣ୍ଡଳୀର ଭୋଟର ସଂଖ୍ୟା ୧,୬୭,୮୩୮ ଏବଂ ୮୬-ବୌଦ୍ଧ ନିର୍ବାଚନ ମଣ୍ଡଳୀ ର ଭୋଟର ସଂଖ୍ୟା ୧,୬୪,୮୫୪ । ଚିଠା ଭୋଟର ତାଲିକା ଯାହାକି ୨୭.୧୦.୨୦୨୩ ରେ ପ୍ରକାଶିତ ହୋଇଥିଲା , ତାହା ପରେ ବୌଦ୍ଧ ଜିଲ୍ଲାରେ ଆହୁରି ୬୧୬୩ ଜଣ ଭୋଟର ତାଲିକାଭୁକ୍ତ ହୋଇଛନ୍ତି । ଯୁବ ଭୋଟର ଏବଂ ମହିଳା ଭୋଟର ପଞ୍ଜୀକରଣ ହାର ମଧ୍ୟ ଉଲ୍ଲେଖନୀୟ ଭାବରେ ବୃଦ୍ଧି ପାଇଅଛି । ଜିଲ୍ଲାପାଳ, ବୌଦ୍ଧ ଏହି ଅବସରରେ ଜିଲ୍ଲାର ଜନସାଧାରଣ, କର୍ମଚାରୀ, ରାଜନୈତିକ ଦଳର ପ୍ରତିନିଧି ଏବଂ ଗଣମଧ୍ୟମର ପ୍ରତିନିଧି ମାନଙ୍କୁ ସାଧୁବାଦ ଜ୍ଞାପନ କରିଥିଲେ ।

hiranchal ad1
Leave A Reply

Your email address will not be published.

1 × five =