ଡେପୁଟି ରେଞ୍ଜରଙ୍କ ସନ୍ଦେହଜନକ ମୃତ୍ୟୁ,ପୋଲିସର ତଦନ୍ତ ଆରମ୍ଭ

0 138

ରାୟଗଡା: ରାୟଗଡା ଜିଲ୍ଳା ବନଖଣ୍ଡ ଅନ୍ତର୍ଗତ କଲ୍ୟାଣସିଂହପୁର ରେଞ୍ଜରେ ଡେପୁଟି ରେଞ୍ଜର ଭାବେ କାର୍ଯ୍ୟରତ ବ୍ରଜମୋହନ ଭୋଇଙ୍କ ଆଜି ସନ୍ଦେହଜନକ ମୃତ୍ୟୁ ହୋଇଛି । ରେଞ୍ଜ କାର୍ଯ୍ୟାଳୟର ଉପର ମହଲାରେ ଥିବା ବାସଭବନରୁ ତାଙ୍କ ମୃତଦେହ ଠାବ ହୋଇଛି । ତେବେ ମୃତ୍ୟୁର କାରଣ ଅସ୍ପଷ୍ଟ ଥିବା ବେଳେ ଘଟଣାସ୍ଥଳରେ ମାଜିଷ୍ଟ୍ରେଟ ସୁଧାକର ରୋଇତଙ୍କ ଉପସ୍ଥିତିରେ କଲ୍ୟାଣସିଂହପୁର ଥାନା ପୋଲିସ ପଂହଚି ଶବ ଉଦ୍ଧାର କରି ଅଧିକ ତଦନ୍ତ ଚଳାଇଛି । ଆଜି ସକାଳେ ଡେପୁଟି ରେଞ୍ଜର କାର୍ଯ୍ୟାଳୟକୁ ନ ଆସିବାରୁ କିଛି ଅଫିସ କର୍ମଚାରୀମାନେ ଶ୍ରୀ ଭୋଇଙ୍କୁ ଡାକିବାକୁ ଯାଇଥିଲେ । ତେବେ ସେ କବାଟ ଖୋଲି ନ ଥିବା ବେଳେ ଉଲଗ୍ନ ଅବସ୍ଥାରେ ଖଟ ଉପରେ ପଡି ରହିଥିବା କର୍ମଚାରୀମାନେ ଦେଖିବାକୁ ପାଇ ରେଞ୍ଜର ଚନ୍ଦନ ଗମାଙ୍ଗଙ୍କୁ ଖବର ଦେଇଥିଲେ । ଖବର ପାଇ ରେଞ୍ଜର ଘଟଣା ସଂପର୍କରେ ନିଜ ଉପରିସ୍ଥ ଅଧିକାରୀ ଡିଏଫଓ ବିଜୟ କୁମାର ପରିଡାଙ୍କୁ ଏବଂ ସ୍ଥାନୀୟ ଥାନା ଅଧିକାରୀଙ୍କୁ ଜଣାଇ ନିଜେ ମଧ୍ୟ ଘଟଣାସ୍ଥଳକୁ ଯାଇଥିଲେ । ଘଟଣା ସଂପର୍କରେ ଖବର ପାଇ କଲ୍ୟାଣସିଂହପୁର ଥାନା ଅଧିକାରୀ ମୁକୁନ୍ଦ ଦେବ ନାଏକ ଓ ଷ୍ଟାଫ୍‌ ପଂହଚି ତହସିଲଦାର ଶ୍ରୀ ରୋଇତଙ୍କ ଉପସ୍ଥିତିରେ ତଦନ୍ତ ଆରମ୍ଭ କରିଥିଲେ । ମୃତ ଶ୍ରୀ ଭୋଇ ପୂର୍ବରୁ କାଶିପୁର ରେଞ୍ଜରେ ଫରେଷ୍ଟର ଭାବେ କାର୍ଯ୍ୟରତ ଥିବା ବେଳେ ପ୍ରମୋଶନ ପାଇ ଡେପୁଟି ରେଞ୍ଜର ଭାବେ କଲ୍ୟାଣସିଂହପୁର ରେଞ୍ଜ କାର୍ଯ୍ୟାଳୟରେ ଗତବର୍ଷ ଅକ୍ଟୋବର ମାସରେ ଯୋଗଦାନ କରିଥିଲେ । ତାଙ୍କ ଘର କଳାହାଣ୍ଡି ଜିଲ୍ଳା ମଦନ ରାମପୁରରେ ବୋଲି ଜଣାପଡିଥିବା ବେଳେ ତାଙ୍କ ପରିବାର ବର୍ଗ ପହଞ୍ଚିବା ପରେ ଶବ ବ୍ୟବଚ୍ଛେଦ କରାଯାଇ ପରିବାର ବର୍ଗକୁ ହସ୍ତାନ୍ତର କରାଯିବ ଏବଂ ବ୍ୟବଚ୍ଛେଦ ରିପୋର୍ଟ ପରେ ପ୍ରକୃତ ସତ୍ୟ ବାହାରକୁ ଆସିବ ବୋଲି ପୋଲିସ ସୂତ୍ରରୁ ଜଣାପଡିଛି । ଗତକାଲି ସେ ନିଜ ଗାଁରୁ ଫେରିଥିବା ବେଳେ ଆଜି ତାଙ୍କର ସନ୍ଦେହଜନକ ମୃତ୍ୟୁ ହୋଇଛି । ତେବେ ମୃତ ଡେପୁଟି ରେଂଜର ଉଲଗ୍ନ ଅବସ୍ଥାରେ ଖଟ ଉପରେ ପଡି ମୃତ୍ୟୁବରଣ କରିଥିବା ଘଟଣା ସମସ୍ତଙ୍କୁ ଚକିତ କରିଛି । ଏ ନେଇ ବିଭାଗୀୟ କର୍ତ୍ତୃର୍ପକ୍ଷ କୌଣସି ପ୍ରତିକ୍ରିୟା ରଖୁ ନ ଥିବା ବେଳେ ଖବର ଲେଖାସୁଦ୍ଧା ପରିବାର ପକ୍ଷରୁ କଲ୍ୟାଣସିଂହପୁର ଥାନାରେ ଏତଲା ଦିଆଯାଇ ନ ଥିଲା ।

hiranchal ad1
Leave A Reply

Your email address will not be published.

20 − sixteen =