ଭୁବନେଶ୍ୱର: ରବିବାର ସକାଳ ଓଲିଉଡ ଜଗତ ପାଇଁ ଏକ ଦୁଖଦ ସକାଳ ଥିଲା। ବେଶ କିଛିଦିନ ଧରି ଚିକିତ୍ସାଧିନ ଥିବା ଓଲିଉଡର ଲୋକପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାରଙ୍କ ପରଲୋକ ହୋଇଛି। ଏହି ଖବର ପାଇବା ପରେ ସମଗ୍ର ଓଲିଉଡ ଦୁନିଆରେ ଶୋକର ଛାୟା ଖେଳିଯାଇଛି। ସୂଚନାଯୋଗ୍ୟ,୫୪ ବର୍ଷ ବୟସରେ ଭୁବନେଶ୍ୱର ଏମ୍ସରେ ଚିକିତ୍ସାଧିନ ଅବସ୍ଥାରେ ଅଭିଜିତଙ୍କ ଦେହାନ୍ତ ହୋଇଛି। ଲିଭର୍ ଜନିତ ସମସ୍ୟା ପରେ ସେ ଚିକିତ୍ସିତ ହେଉଥିଲେ।
ଏହି ଲୋକପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତଙ୍କ ସଙ୍ଗୀତ କ୍ୟାରିଅର୧୯୯୧ ମସିହାରେ ଆରମ୍ଭ ହୋଇଥିଲା। ‘ଦକ୍ସିଗଲା’ ତାଙ୍କର ପ୍ରଥମ ସମ୍ବଲପୁରୀ ଆଲବମ ଥିଲା, ଯାହା ବେଶ ଲୋକପ୍ରିୟ ହୋଇଥିଲା। ୨୦୦୦ ମସିହାରେ ସେ ଓଡ଼ିଆ ଚଳଚ୍ଚିତ୍ର ଜଗତରେ ସଙ୍ଗୀତ ନିର୍ଦ୍ଦେଶନା ଦେବା ଆରମ୍ଭ କରିଥିଲେ। ତାଙ୍କର ତରଙ୍ଗ ଟିଭିର ‘ମେଲୋଡି ନାଇଟ୍ସ’ ଖୁବ ଲୋକପ୍ରିୟ ହୋଇଥିଲା। ସେ ୭୦୦ରୁ ଅଧିକ ଗୀତରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ।

କଣ୍ଠଶିଳ୍ପୀ ଅଭିଜିତ ମଜୁମଦାରଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୋକ ପ୍ରକାଶ କରିଛନ୍ତି। ।‘ଅଭିଜିତ ମଜୁମଦାରଙ୍କ ବିୟୋଗ ଜାଣି ମୁଁ ଅତ୍ୟନ୍ତ ଦୁଃଖିତ। ତାଙ୍କର ବିୟୋଗ ଆମ ସଙ୍ଗୀତ, ସିନେମା ଓ ସଂସ୍କୃତି ପାଇଁ ଏକ ଅପୂରଣୀୟ କ୍ଷତି। ଶୋକସନ୍ତପ୍ତ ପରିବାର ପ୍ରତି ମୋର ସମବେଦନା ଜଣାଇବା ସହ ଦିବଂଗତ ଆତ୍ମାଙ୍କ ଶାନ୍ତି ପାଇଁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଛି।’ ବୋଲି ମୁଖ୍ୟମନ୍ତ୍ରୀ ତାଙ୍କ ଏକ୍ସରେ ପୋଷ୍ଟ କରିଛନ୍ତି।
