ସାଧାରଣ ନିର୍ବାଚନ ପୂର୍ବରୁ ବାଲିଗୁଡ଼ାରେ କଂଗ୍ରେସର ଶକ୍ତି ପ୍ରଦର୍ଶନ

0 496

ବାଲିଗୁଡ଼ା: ଆଗକୁ ଆସୁଛି ୨୦୨୪ ସାଧାରଣ ନିର୍ବାଚନ । ଏବେଠାରୁ ସମସ୍ତ ରାଜନୈତିକ ଦଳ ଭିନ୍ନ ଭିନ୍ନ ଢ଼ଙ୍ଗରେ ପ୍ରାକ୍‌ ନିର୍ବାଚନୀ ପ୍ରଚାର ଆରମ୍ଭ କରିଦେଲେଣି । ଏଭଳି ସ୍ଥିତିରେ କର୍ଣ୍ଣାଟକର ଫଳାଫଳ ପରେ ରାଜ୍ୟ କଂଗ୍ରେସ ବେଶ୍‌ ଉତ୍ସାହିତ ଥିବା ପରିଲକ୍ଷିତ ହେଉଛି । କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ନିର୍ବାଚନ ମଣ୍ଡଳୀ ଦିନେ କଂଗ୍ରେସର ଗଡ଼ ଥିଲା । କିନ୍ତୁ ୨୦୦୪ ସାଧାରଣ ନିର୍ବାଚନରେ କଂଗ୍ରେସର ଗଡ଼ ଭାଙ୍ଗି ବିଜେପି ହାତେଇ ନେଇଥିଲା ବାଲିଗୁଡ଼ା ବିଧାନସଭା କ୍ଷେତ୍ର । ୨୦୧୪ ସାଧାରଣ ନିର୍ବାଚନରେ ବିଜେପିକୁ ମାତ୍‌ ଦେଇ ବିଜେଡ଼ି ଅକ୍ତିଆର କରିନେଲା ବାଲିଗୁଡ଼ା ନିର୍ବାଚନ ମଣ୍ଡଳୀ । ଗତ ଦୁଇଟି ସାଧାରଣ ନିର୍ବାଚନରେ ବିଜେପି ତୃତୀୟ ସ୍ଥାନରେ ଥିବାବେଳେ କଂଗ୍ରେସ ଦ୍ୱିତୀୟ ସ୍ଥାନରେ ରହିଆସିଛି । ବର୍ତ୍ତମାନ ସମୟରେ କଂଗ୍ରେସ ନିଜ ଗଡ଼କୁ ପୁଣି ଥରେ ଅକ୍ତିଆର କରିବା ପାଇଁ ପ୍ରୟାସ ଆରମ୍ଭ କରିଥିବା ଜଣାପଡ଼ିଛି । କଂଗ୍ରେସର ପ୍ରଚାର କମିଟି ଅଧ୍ୟକ୍ଷ ଦିନିକିଆ କନ୍ଧମାଳ ଗସ୍ତରେ ଆସି ବାଲିଗୁଡ଼ା ସଭାଗୃହରେ ନେତା ଓ କର୍ମୀଙ୍କୁ ନେଇ ଏକ ସାଧାରଣ ସଭାରେ ଉଦବୋଧନ ଦେବାସହ ସଙ୍ଗଠନକୁ ତୃଣମୂଳ ସ୍ତରରୁ ସୁଦୃଢ଼ କରିବା ସହ ଆଗାମୀ ସାଧାରଣ ନିର୍ବାଚନରେ ଦଳ ବାଲିଗୁଡ଼ା ନିର୍ବାଚନ ମଣ୍ଡଳୀରେ କିଭଳି ଭଲ ପ୍ରଦର୍ଶନ କରିବ ସେନେଇ ସ୍ଥାନୀୟ ନେତା ଓ କର୍ମୀଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି । ରାଜ୍ୟ ସରକାର ଓ ତାଙ୍କ ବ୍ୟବସ୍ଥାକୁ କଡ଼ା ସମାଲୋଚନା କରିବା ସହ ଆଗାମୀ ୨୦୨୪ କଂଗ୍ରେସର ବର୍ଷ ବୋଲି କହିଛନ୍ତି ବିଜୟ । ସ୍ଥାନୀୟ କଂଗ୍ରେସ ଭବନରୁ ଶତାଧିକ କଂଗ୍ରେସ କର୍ମୀ ଏକ ବିଶାଳ ମୋଟରସାଇକେଲ ଶୋଭାଯାତ୍ରାରେ ବାହାରି ବିଜୟ ପଟ୍ଟନାୟକଙ୍କୁ ପାଛୋଟି ନେଇ ସଭାଗୃହ ଠାରେ ପହଞ୍ଚିଥିଲେ । ସେଠାରେ ସାଧାରଣ ସଭାରେ ୧୦ରୁ ଉର୍ଦ୍ଧ୍ୱ ବିଜେଡ଼ି ଓ ବିଜେପି କର୍ମୀ ନିଜ ଦଳ ଛାଡ଼ି କଂଗ୍ରେସରେ ସାମିଲ ହୋଇଥିବା ଜଣାପଡ଼ିଛି । ସେପଟେ କନ୍ଧମାଳରେ ଆଗାମୀ ସାଧାରଣ ନିର୍ବାଚନରେ କଂଗ୍ରେସ ଭଲ ପ୍ରଦର୍ଶନ କରିବ ଏବଂ ବାଲିଗୁଡ଼ା ନିର୍ବାଚନ ମଣ୍ଡଳୀ ଅକ୍ତିଆର କରିବ ବୋଲି କହିଛନ୍ତି ଜିଲ୍ଲା ସଭାପତି ଅନାମ ନାୟକ । ଏହି କାର୍ଯ୍ୟକ୍ରମରେ ବାଲିଗୁଡ଼ାର ବରିଷ୍ଠ ନେତା ସିମାଞ୍ଚଳ ଆଚାର୍ଯ୍ୟ, ସିତାରାମ ପଣ୍ଡା, ବଳରାମ ଦୋରା,ସପ୍ନେଶ୍ୱର ସାହୁ, ଟୁଟୁ ଆଚାରୀ ଓ ଆଇବର ନାୟକଙ୍କ ସମେତ ବହୁ ନେତା ଓ ଶତାଧିକ କର୍ମୀ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

18 − 3 =