ପୁରୀ : ହାଇକୋର୍ଟରେ ରାଜ୍ୟ ସରକାର ରତ୍ନ ଭଣ୍ଡାର ସମ୍ପର୍କରେ ମିଥ୍ୟା ସତ୍ୟାପାଠ ଦାଖଲ କରିବା ପ୍ରତିବାଦରେ ଆଇନ ମନ୍ତ୍ରୀଙ୍କ କୁଶପତ୍ତଳିକା ଦାହ କରିଚି ପୁରୀର ଜଗନ୍ନାଥ ସେନା । ପୁରୀ କଚେରି ଛକ ନିକଟ ଜିଲାପାଳଙ୍କ କାର୍ଯ୍ୟଳୟ ଆଗରେ ମିଥ୍ୟା ସତ୍ୟପାଠ ପ୍ରସଙ୍ଗକୁ ନେଇ ବିକ୍ଷୋଭ କରିଚି ଜଗନ୍ନାଥ୍ ସେନା । ସଂଗଠନର ଆବାହକ ପ୍ରିୟଦର୍ଶନ ପଟ୍ଟନାୟକଙ୍କ ନେତୃତ୍ୱରେରେ ଏହି ପ୍ରତିବାଦ ଓ ବିକ୍ଷୋଭ ଅନୁଷ୍ଠିତ ହୋଇଥିଲା । ଜଗନ୍ନାଥ ସେନା ଅଭିଯୋଗ କରିଛି ଯେ, ମହାପ୍ରଭୁଙ୍କ ରତ୍ନ ଭଣ୍ଡାର ପ୍ରସଙ୍ଗରେ ରାଜ୍ୟ ଆଇନ ବିଭାଗ ହାଇକୋର୍ଟରେ ମିଥ୍ୟା ସତ୍ୟପାଠ ଦାଖଲ କରିଛି । ରତ୍ନ ଭଣ୍ଡାର ସମ୍ପୂର୍ଣ୍ଣ ସୁରକ୍ଷିତ ଥିବା ରାଜ୍ୟ ସରକାର ସତ୍ୟପାଠ ଦାଖଲ କରିଛନ୍ତି । ଯେତେବେଳକୁ ଏଏସଆଇ ହାଇକୋର୍ଟରେ ସତ୍ୟପାଠ ଦେଇଚି ରତ୍ନ ଭଣ୍ଡାର ଅସୁରକ୍ଷିତ ଅବସ୍ଥାରେ ରହିଛି ଓ ଏହାର ମରାମତି ନିହାତି ଆବଶ୍ୟକ । ତେବେ ରତ୍ନ ଭଣ୍ଡାର ଖୋଲିବାରେ ସରକାର କାହିଁକି ଡରୁଛନ୍ତି ବୋଲି ଜଗନ୍ନାଥ୍ ସେନା ପ୍ରଶ୍ନ କରିଚି । ତେବେ ଏହି ବିଜେଡି ସରକାର ସମୟରେ ରତ୍ନ ଭଣ୍ଡାରରୁ ରତ୍ନ ଚୋରି ହୋଇ ଯାଇଥିବାରୁ କାଳେ ଭକ୍ତ ଜାଣିଲେ ସରକାର ଭାଙ୍ଗିଯିବ ସେ ଡରରେ ସରକାର ରତ୍ନ ଭଣ୍ଡାର ଖୋଲୁ ନଥିବା ଜଗନ୍ନାଥ୍ ସେନା ଅଭିଯୋଗ କରିଚି । ସେହିପରି ଚାବି ହଜିବା ପରେ ନକଲି ଚାବି ମିଳିବା ପରେ ରତ୍ନ ଭଣ୍ଡାର ସୁରକ୍ଷାକୁ ନେଇ ପ୍ରଶ୍ନ ଉଠୁଚି । ନକଲି ଚାବି ମିଳିବା ପରେ ରତ୍ନ ଭଣ୍ଡାର ତୁରନ୍ତ ଖୋଲାଯାଇ ଯାଞ୍ଚ ହେବାର ଆବଶ୍ୟକ ରହିଥିଲା । ହେଲେ ଭିତର ରତ୍ନ ଭଣ୍ଡାରରେ କେତେ ଅଳଙ୍କାର ତାହା ଜାଞ୍ଚ କରାନଯାଇ କିଭଳି ରତ୍ନ ଅଳଙ୍କାର ସୁରକ୍ଷିତ ଥିବା ସରକାର ହାଇକୋର୍ଟଙ୍କ ନିକଟରେ ମିଥ୍ୟା ସତ୍ୟପାଠ ଦେଲେ ସେ ନେଇ ଜଗନ୍ନାଥ ସେନା ପ୍ରଶ୍ନ କରିଛି । ତେବେ ଶେଷ ଥର ୧୯୭୮ ମସିହା ରେ ମେ ୧୩ ତାରିଖ ରୁ ଜୁଲାଇ ୨୭ ଯାଏ ଦୀର୍ଘ ୭୪ ଦିନ ଧରି ରତ୍ନ ଭଣ୍ଡାର ଖୋଲାଯାଇ ରତ୍ନ ଅଳଙ୍କାରର ହିସାବ ରଖାଯାଇଥିଲା, ତେବେ ଆସନ୍ତା ରଥ ଯାତ୍ରା ସମୟରେ ମାତ୍ର ୯ ଦିନ ଭିତରେ କିଭଳି ରତ୍ନ ଭଣ୍ଡାର ଖୋଲାଯାଇ ଅଳଙ୍କାର ହିସାବ ସମ୍ଭବ ତାହା ଜଗନ୍ନାଥ ସେନା ପ୍ରଶ୍ନ କରିଛି । ତେବେ ଆସନ୍ତା ରଥଯାତ୍ରା ବେଳକୁ ନିର୍ବାଚନ ଶେଷ ହୋଇ ଯାଇଥିବ । ଏଣୁ ଲୋକଙ୍କ ଆକ୍ରୋଶରୁ ବଞ୍ଚିବା ପାଇଁ ରାଜ୍ୟ ସରକାର ରଥ ଯାତ୍ରା ସମୟ ରେ ରତ୍ନ ଭଣ୍ଡାର ଖୋଲି ଜାଞ୍ଚ ପାଇଁ ନିଷ୍ପତ୍ତି ନେବା କେବଳ ଲୋକଙ୍କୁ ଭୁଆଁ ବୁଲାଇବା ଉଦ୍ଦେଶ୍ୟ ବୋଲି ଜଗନ୍ନାଥ ସେନା ଅଭିଯୋଗ କରିଚି । ଯଦି ସରକାର ସ୍ୱଚ୍ଛ ଏବେ ତୁରନ୍ତ ରତ୍ନ ଭଣ୍ଡାର ଖୋଲି ଲୋକଙ୍କୁ ମହାପ୍ରଭୁଙ୍କ ସୁନା ଅଳଙ୍କାରର ହିସାବ ଦେବାକୁ ଜଗନ୍ନାଥ ସେନା ଦାବୀ କରିଚି । ନ ହେଲେ ଆଗାମୀ ଦିନରେ ରାଜ୍ୟର ସବୁ ଜିଲାରେ ଧାରଣା, ବିକ୍ଷୋଭ ମୁଖ୍ୟମନ୍ତ୍ରୀଙ୍କ ବିରୋଧ ର କରାଯିବ ବୋଲି ଜଗନ୍ନାଥ ସେନା ଚେତାବନୀ ଦେଇଛି ।