ସେପ୍ଟେମ୍ବର ୬ରେ ପୁରୀରେ ଗଣେଶ ପୂଜା ଭସାଣୀ

0 83

ପୁରୀ : ପୁରୀ ସହରର ଗଣେଶ ପୂଜା ଭସାଣୀ ସେପ୍ଟେମ୍ବର ୬ ତାରିଖରେ ଅନୁଷ୍ଠିତ ହେବ । ଭସାଣୀରେ ସାମିଲ ହେବାକୁ ଚାହୁଁ ଥିବା ମେଢ଼ମାନେ ଶରଧାବାଲିରେ ଏକତ୍ରିତ ହେବା ପରେ ମଙ୍ଗଳାହାଟ ସ୍ଥିତ ଅସ୍ଥାୟୀ ବିସର୍ଜନ ପୋଖରୀରେ ମୂର୍ତ୍ତି ବିସର୍ଜନ କରାଯିବ ବୋଲି ସର୍ବସମ୍ମତ ନିଷ୍ପତ୍ତି ନିଆଯାଇଛି । ଆଜି ଅପରାହ୍ନରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ ଗୃହରେ ଉପଜିଲ୍ଲାପାଳ ଭବତାରଣ ସାହୁଙ୍କ ଅଧ୍ୟକ୍ଷତାରେ ଗଣେଶ ପୂଜା ଓ ଭସାଣୀକୁ ଶାନ୍ତିଶୃଙ୍ଖଳାର ସହ ପାଳନ ନିମିତ୍ତ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । କରୋନା ଯୋଗୁଁ ଦୁଇ ବର୍ଷ ପରେ ଶ୍ରୀ ଗଣେଶଙ୍କର ଏହି ପୂଜା ଅନୁଷ୍ଠିତ ହେଉଥିବାରୁ ସମସ୍ତେ ଉତ୍ସାହିତ । ତେବେ ଶାନ୍ତି ଶୃଙ୍ଖଳା ଓ ସଦଭାବନାର ସହ ଏହାକୁ ପାଳନ କରିବାକୁ ଉପଜିଲ୍ଲାପାଳ ଶ୍ରୀ ସାହୁ କହିବା ସହ ପ୍ରତ୍ୟେକ ପୂଜା କମିଟି ନିଆଯାଉଥିବା ନିଷ୍ପତ୍ତିର ଅନୁପାଳନ କରିବାକୁ ଅନୁରୋଧ କରିଥିଲେ । ସିଟି ଡିଏସପି ଜନାର୍ଦ୍ଦନ ପାଢ଼ୀ ନିର୍ବିବାଦୀୟ ସ୍ଥାନରେ ପୂଜା କରିବା, ମାନ୍ୟବର ମୁଖ୍ୟ ନ୍ୟାୟାଳୟଙ୍କ ଆଦେଶ ଆଧାରରେ ପୂଜା ଓ ଭସାଣୀ ଆୟୋଜନ କରିବା, ପ୍ରତ୍ୟେକ ପୂଜା କମିଟି ପୂଜା ଓ ଭସାଣୀ ପାଇଁ ଉପରକୁ କର୍ତ୍ତୃପକ୍ଷଙ୍କଠାରୁ ଅନୁମତି ନେବା, ପୂଜା ଓ ଭସାଣୀ ସମୟରେ ଅଯଥା ଭିଡ ନ କରି ଶୃଙ୍ଖଳିତ ଭାବେ କାର୍ଯ୍ୟ କରିବାକୁ ଅନୁରୋଧ କରିଥିଲେ । ପୌର ନିର୍ବାହୀ ଅଧିକାରୀ ସରୋଜ କୁମାର ସ୍ୱାଇଁ ପ୍ରତ୍ୟେକ ପୂଜା କମିଟି ସ୍ୱଛତା ପ୍ରତି ଦୃଷ୍ଟିଦେଇ ଓଦା ଓ ଶୁଖିଲା ଆବର୍ଜନା ଗଛିତ ପାଇଁ ଦୁଇଟି ଡଷ୍ଟବିନ ରଖିବାକୁ ଅନୁରୋଧ କରିବା ସହ ଏହି ଅଳିଆ ନିୟମିତ ଭାବେ ମୁନିସିପାଲଟି ଉଠେଇ ନେବ ବୋଲି କହିଥିଲେ । ରାସ୍ତା ଘାଟ ମରାମତି ଓ ପରିସ୍କାର, ପରିଛନ୍ନ, ଆଲୋକ ବ୍ୟବସ୍ଥା,ପାନୀୟ ଜଳ ଯୋଗାଣ, ଆଇନ ଶୃଙ୍ଖଳା ରକ୍ଷା, ଟ୍ରାଫିକ ନିୟନ୍ତ୍ରଣ, ଅଗ୍ନି ନିର୍ବାପକ ବ୍ୟବସ୍ଥା ଇତ୍ୟାଦି ସମ୍ପୃକ୍ତ ବିଭାଗ ବ୍ୟବସ୍ଥା କରିବାକୁ ପରାମର୍ଶ ଦିଆଗଲା । ପ୍ରାରମ୍ଭରେ ଗଣେଶ ପୂଜା କମିଟିର ସଂଗଠନ ସଂପାଦକ ଚକ୍ରଧର ମହାପାତ୍ର, ସୁଭଦ୍ରାଙ୍କ ମୁଖ୍ୟ ବାଡଗ୍ରାହୀ ରାମଚନ୍ଦ୍ର ଦାସମହାପାତ୍ର, ଶ୍ରୀକ୍ଷେତ୍ର ଗଣେଶ ପୂଜା କମିଟି ର ସାଧାରଣ ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ଦାଶ ପ୍ରମୁଖ ପୂଜା ଓ ଭସାଣୀ ସମ୍ପର୍କରେ ବିଷଦ ଆଲୋଚନା କରି ବିବିଧ ପ୍ରସ୍ତାବ ମାନ ଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଆଇଆଇସି ଗୋକୁଳ ରଞ୍ଜନ ଦାସ, ଚିନ୍ମୟ ରାଉତ, ଦିଲ୍ଲୀପ କୁମାର ସ୍ୱାଇଁ, ବିଭିନ୍ନ ପୂଜା କମିଟିର ସଦସ୍ୟ ମାନେ ଯୋଗ ଦେଇଥିଲେ ।ଶେଷରେ ଡେପୁଟି କଲେକ୍ଟର ରାମ ଚନ୍ଦ୍ର ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।

hiranchal ad1
Leave A Reply

Your email address will not be published.

thirteen + 18 =