ଆଜି ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ଚିତାଲାଗି ନୀତି

0 18

ଆଜି ଶ୍ରାବଣ ଅମାବାସ୍ୟା ଅବସରରେ ଶ୍ରୀମନ୍ଦିରରେ ଚିତାଲାଗି ନୀତି ଅନୁଷ୍ଠିତ ହେବ । ଆଜି ମହାପ୍ରଭୁଙ୍କୁ ରତ୍ନଚିତା ଲାଗି କରାଯିବ । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ହୀରା ଚିତା,ପ୍ରଭୁ ବଳଭଦ୍ରଙ୍କୁ ନୀଳା ଚିତା ଓ ଦେବୀ ସୁଭଦ୍ରାଙ୍କୁ ପାନା ଚିତା ଲାଗି କରାଯିବ । ପ୍ରଥମ ଭୋଗମଣ୍ଡପ ଶେଷ ହେବାପରେ ରତ୍ନସିଂହାସନରୁ ଶ୍ରୀଦେବୀ ଓ ଭୂଦେବୀ ଖଟଶେଯ ଘରକୁ ବିଜେ କରିବା ପରେ ଶ୍ରୀଜୀଉଙ୍କ ଝୋବା ମଇଲମ ହୋଇ ଜୟବିଜୟ ଦ୍ୱାର ବନ୍ଦ କରାଯିବ । ପତିମହାପାତ୍ର ସେବକ ସଂସ୍କାର କରିବା ପରେ ବାଡ଼ଗ୍ରାହୀ ଦଇତାପତି ମାନେ ରତ୍ନସିଂହାସନାରେ ଅଧିଷ୍ଠିତ ଶ୍ରୀଜୀଉଙ୍କର ଚିତାଲାଗି କାର୍ଯ୍ୟ ସମ୍ପର୍ଣ୍ନ କରିବେ । ସ୍ନାନପୂର୍ଣ୍ଣିମା ଦିନ ରାତ୍ରିରେ ଶ୍ରୀଜୀଉମାନଙ୍କ ଶ୍ରୀମସ୍ତକରୁ ଏହି ସୁବର୍ଣ୍ଣ ଚିତାକୁ ଓଲାଗି କରାଯାଇଥିଲା । ରଥଯାତ୍ରା ଦିନ ମହାପ୍ରଭୁଙ୍କୁ ସୋଲ ଚିତା ଲାଗି କରାଯାଇଥିଲା । ତେବେ ଆଜି ଏହି ସୋଲ ଚିତାକୁ ଓଲାଗି କରି ରତ୍ନଚିତା ଲାଗି କରାଯିବ । ଚିତାଲାଗି ନୀତି ସରିବା ପରେ ଠାକୁରଙ୍କୁ ମହାସ୍ନାନ କରାଯିବ | ତେବେ ଏହା ଏକ ଗୁପ୍ତନୀତି ହୋଇଥିବାରୁ ଆଜି ଅପରାହ୍ନ ସାଢେ 2ଟାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ସର୍ବସାଧାରଣଙ୍କ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି | ଚିତାଲାଗି କରି ଦଇତାପତି ସେବାୟତ ମାନେ ରତ୍ନସିଂହାସନରୁ ତଳକୁ ଓହ୍ଲାଇବା ପରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ମହାସ୍ନାନ କରାଯିବା ପରେ ପୁନର୍ବାର ସର୍ବସାଧାରଣ ଦର୍ଶନ ଆରମ୍ଭ ହେବ। ସେପଟେ ଆଜି ଅମାବାସ୍ୟା ନାରାୟଣ ଠାକୁର ମଧ୍ୟ ସାଗର ବିଜେ କରିବେ।

hiranchal ad1
Leave A Reply

Your email address will not be published.

15 + 3 =