ଶାନ୍ତିଶୃଙ୍ଖଳାରେ ସରିଲା ପୌର ନିର୍ବାଚନ, ସୁରକ୍ଷିତ ଅବସ୍ଥାରେ ପହଁଚିଲେ ପୋଲିଂ ଟିମ୍‌ ଓ ଇଭିଏମ୍‌

0 95

ବାଲିଗୁଡ଼ା:କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦରେ ଶାନ୍ତିଶୃଙ୍ଖଳା ସହ ସରିଲା ମତଦାନ । ବାଲିଗୁଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦର ୧୩ ଟି ୱାର୍ଡରେ ମୋଟ ୧୪୭୦୪ ଭୋଟରଙ୍କ ପାଇଁ ୧୭ଟି ମତଦାନ କେନ୍ଦ୍ରର ବ୍ୟବସ୍ଥା କରାଯାଇଥିଲା । ପ୍ରଶାସନ ପକ୍ଷରୁ ସେଥିମଧ୍ୟରୁ ୯ ନଂ ଓ ୧୦ ନଂ ୱାର୍ଡ ପାଇଁ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୧୧ ଓ ୧୨ ନଂ ବୁଥକୁ ପିଙ୍କ୍‌ ବୁଥ୍‌ ଓ ଦଣ୍ଡପଦରଠାରେ ୪ ନଂ ୱାର୍ଡ ପାଇଁ ୫ ନଂ ବୁଥକୁ ଆଦର୍ଶ ବୁଥ୍‌ ଭାବେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିଲା । ସବୁ ମତଦାନ କେନ୍ଦ୍ରରେ ଭୋଟରଙ୍କ ପାଇଁ ପ୍ରଶାସନ ପକ୍ଷରୁ ସୁବନ୍ଦୋବସ୍ତ କରାଯିବା ସହ ଆବଶ୍ୟକ ଅନୁଯାୟୀ ପୋଲିସ୍‌ ଫୋର୍ସ ମୁତୟନ କରାଯାଇଥିଲା । ପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ଟିମ୍‌ ସମସ୍ତ ବୁଦ୍ଧ ପେଟ୍ରୋଲିଂ କରି ପରିସ୍ଥିତି ଉପରେ କଡ଼ା ନଜର ରଖିଥିଲେ । ମତଦାନ ଶେଷ ସୁଦ୍ଧା ମୋଟ ଶତକଡ଼ା ୬୯.୦୭ ପ୍ରତିଶତ ମତଦାନ ହୋଇଥିବା ଜଣାପଡ଼ିଛି । ସେପଟେ ସମସ୍ତ ପୋଲିଂ ପାର୍ଟି ନିଜ ନିଜର ବୁଥରୁ ଇଭିଏମ୍‌ ବକ୍ସ ଧରି ସୁରକ୍ଷିତ ଅବସ୍ଥାରେ ବାଲିଗୁଡ଼ା ଆଦିବାସୀ ମହାବିଦ୍ୟାଳୟରେ ହୋଇଥିବା ଷ୍ଟ୍ରଙ୍ଗ ରୁମ୍‌ ନିକଟରେ ପହଁଚି ଏଭିଏମ୍‌ ବକ୍ସ ସମେତ ଅନ୍ୟାନ୍ୟ ସାମଗ୍ରୀ ଜିମା ଦେଇଥିଲେ । ବାଲିଗୁଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦର ୪୨ ଜଣ କାଉଁସିଲର ପ୍ରାର୍ଥୀ ଓ ତିନି ପ୍ରମୁଖ ରାଜନୈତିକ ଦଳ ବିଜେଡ଼ି ବିଜେପି ଓ କଂଗ୍ରେସ ଦଳର ଅଧ୍ୟକ୍ଷ ପ୍ରାର୍ଥୀଙ୍କ ଭାଗ୍ୟ ବର୍ତ୍ତମାନ ଇଭିଏମରେ ସିଲ୍‌ ହୋଇ ରହିଛି ଆସନ୍ତା ୨୬ ତାରିଖରେ ଫଳାଫଳ ପ୍ରକାଶ ପାଇବାକୁ ଥିବାବେଳେ ଜନତା ଜନାର୍ଦ୍ଦନଙ୍କ କାହା ସପକ୍ଷରେ ରାୟ ଯାଉଛି ତାହା ଦେଖିବାକୁ ବାକି ରହିଲା । ନିର୍ବାଚନ ଅଧିକାରୀ ତଥା ବାଲିଗୁଡ଼ା ତହସିଲଦାର ଶଶାଙ୍କ ପାତ୍ର ଓ ପୋଲିସ୍‌ ପ୍ରଶାସନର କଡ଼ା ସୁରକ୍ଷା ମଧ୍ୟରେ ଷ୍ଟ୍ରଙ୍ଗ ରୁମରେ ସମସ୍ତ ଇଭିଏମ୍‌ ବକ୍ସ ଗୁଡ଼ିକୁ ରଖାଯାଇଥିବା ଜଣାପଡ଼ିଛି ।

hiranchal ad1
Leave A Reply

Your email address will not be published.

one × five =