ନନ୍ଦାହାଣ୍ଡି : ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ବିଜ୍ଞାପନ ପ୍ରକାରେ ୱାର୍ଡ ସଭ୍ୟ/ସଭ୍ୟା ପାଇଁ ଆବେଦନ ଲୋଡା ଯାଇଥିଲା । ଜଗନ୍ନାଥପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ନମ୍ବର ୦୧ ଓ ୦୯ ୱାର୍ଡ ପାଇଁ ଗତ ୧୦ /୦୭/୨୩ ରିଖରେ ବିଜ୍ଞପ୍ତି ଜାରି କରାଯାଇଥିଲା । ଚଳିତ ୧୪ ତାରିଖ ଠାରୁ ୧୮ ତାରିଖ ପର୍ଯ୍ୟନ୍ତ ନାମାଙ୍କନ ଗ୍ରହଣ ପାଇଁ ସୂଚିତ କରାଯାଇଥିଲା । ସଦର ଜଗନ୍ନାଥପୁର ୱାର୍ଡ ନଂ ୧ ପାଇଁ ଅଣସଂରକ୍ଷିତଙ୍କ ଆସନ ଥିବା ଯୋଗୁଁ ପ୍ରସାଦ ଗୌଡ ଓ କେଶବ ହରିଜନ ନାମାଙ୍କନ କରିଥିଲେ । ବଡଦେବତାଗୁଡା ୱାର୍ଡ ନଂ ୯ ଆଦିବାସୀ ମହିଳାଙ୍କ ସଂରକ୍ଷିତ ଥିବା ଯୋଗୁଁ ଦୁଇ ଜଣ ମହିଳା ଯଥା ସଜନୀ ସାନ୍ତା ଓ ଧନମତୀ ନାୟକ ନାମାଙ୍କନ ଦାଖଲ କରିଥିଲେ । ଆଜି ପ୍ରକ୍ରିୟାରେ ୦୧ ୱାର୍ଡର ପ୍ରାର୍ଥୀ ଦ୍ୱୟ ନିର୍ବାଚନ ଲଢିବା ପାଇଁ ଯୋଗ୍ୟ ବିବେଚିତ ହୋଇପାରିଛନ୍ତି । ୱାର୍ଡ ନଂ ୦୯ର ପ୍ରାର୍ଥୀଙ୍କ ଯାଞ୍ଚ ସମୟରେ ଆସିଥିଲା ରୋଚକ ମୋଡ୍ । ଆଦିବାସୀ ମହିଳାଙ୍କ ପାଇଁ ସଂରକ୍ଷିତ ଥିବା ଯୋଗୁଁ ନାମାଙ୍କନ ସମୟରେ କୌଣସି ପ୍ରାର୍ଥୀ ଜାତି ପ୍ରମାଣ ପତ୍ର ଦାଖଲ ନକରି ଯାଞ୍ଚ ଦିନ ଦେଖାଇବୁ ବୋଲି ଲିଖିତ ପ୍ରତିଶୃତି ଦେଇଥିଲେ କିନ୍ତୁ ଆଜି ଯାଞ୍ଚ ସମୟରେ କୌଣସି ପ୍ରାର୍ଥୀ ଜାତି ପ୍ରମାଣ ପତ୍ର ଦାଖଲ କରି ପାରିଲେ ନାହିଁ । ଦାଇତ୍ୱରେ ଥିବା ନିର୍ବାଚନ ଅଧିକାରୀ ପ୍ରିୟଚାନ୍ଦ ମଲ୍ଲିକ ଅପରାହ୍ନ ୩ଟା ସମୟରେ ଉଭୟଙ୍କ ନାମାଙ୍କନ ପତ୍ରକୁ ନାକଚ କରିଦେଇଥିଲେ । ଏଠାରେ ସୂଚନାଯୋଗ୍ୟ ଯେ,ଗତ ତ୍ରିସ୍ତରୀୟ ନିର୍ବାଚନରେ ଉଭୟ ୦୧ ଓ ୦୯ ୱାର୍ଡର ସଭ୍ୟ/ସଭ୍ୟା ନିର୍ବାଚିତ ହୋଇଥିଲେ କିନ୍ତୁ ଦୁଇରୁ ଅଧିକ ସନ୍ତାନ ଥିବା ଯୋଗୁଁ ନବରଙ୍ଗପୁର ଜିଲ୍ଲାପାଳ ଦୁଇ ପ୍ରାର୍ଥୀଙ୍କୁ ଅଯୋଗ୍ୟ ଘୋଷଣା କରିଥିଲେ । ଆସନ୍ତା ୯ ତାରିଖରେ ଭୋଟ ଗ୍ରହଣ କରାଯିବ ବୋଲି ବିଜ୍ଞପ୍ତି ପ୍ରକାଶ ପାଇଛି ।